ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବୁଧବାର ସାବରୀମାଳା ମାମଲାର ଶୁଣାଣି ସମୟରେ ହିନ୍ଦୁ ଧର୍ମକୁ ନେଇ କିଛି ଗୁରୁତ୍ଵପୂର୍ଣ୍ଣ ଟିପ୍ପଣୀ କରିଛନ୍ତି। ୯ ଜଜଙ୍କ ବୃହତ ସାମ୍ବିଧାନିକ ଖଣ୍ଡପୀଠ କହିଛନ୍ତି, ହିନ୍ଦୁ ଧର୍ମ ବାସ୍ତବରେ ଜୀବନ ଜିଇଁବାର ଏକ ତରିକା। ଏହାର ଆସ୍ଥା ପ୍ରମାଣିତ କରିବା ପାଇଁ ମନ୍ଦିର ଯିବାର ଆବଶ୍ୟକତା ନାହିଁ। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଜଷ୍ଟିସ ବିଭି ନାଗରତ୍ନାଙ୍କ ଏହି ଟିପ୍ପଣୀ ଉପରେ ସହମତି ପ୍ରକାଶ କରିଛନ୍ତି। ସେ କହିଛନ୍ତି, ନିଜର ଆସ୍ଥା ପ୍ରମାଣିତ କରିବା ପାଇଁ ଘରେ ଦୀପ ଜଳାଇବା ମଧ୍ୟ ପର୍ଯ୍ୟାପ୍ତ।

ଉଲ୍ଲେଖନୀୟ ସିଜେଆଇ ସୂର୍ଯ୍ୟକାନ୍ତଙ୍କ ନେତୃତ୍ଵାଧୀନ ପୀଠ ସାବରୀମାଳା ମନ୍ଦିରେ ମହିଳାଙ୍କ ପ୍ରବେଶ ଓ ମହିଳାଙ୍କ ଧାର୍ମିକ ସ୍ଵାଧୀନତା ସଂପର୍କିତ ଯାଚିକା ଉପରେ ବୁଧବାର ଶୁଣାଣି କରିଛନ୍ତି। ଶୁଣାଣିର ଆଜି ଥିଲା ୧୫ତମ ଦିନ। ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ବାଢି ଆଡଭୋକେଟ୍ ଡ. ମୋହନ ଗୋପାଳ କହିଛନ୍ତି, ଧାର୍ମିକ ସମୁଦାୟ ଭିତରେ ସାମାଜିକ ନ୍ୟାୟର ଦାବି ଉଠିବା କେତେ ଦୂର ଠିକ୍।

ଦୀପ ଜାଳିବା ହିଁ ବିଶ୍ୱାସର ପ୍ରମାଣ

ଧାର୍ମିକ ସ୍ଵାଧୀନତା ଏବଂ ମହିଳାଙ୍କ ମନ୍ଦିର ପ୍ରବେଶ ଅଧିକାର ସହ ଜଡ଼ିତ ବିଭିନ୍ନ ପିଟିସନର ଶୁଣାଣି ବେଳେ ପ୍ରଧାନ ବିଚାରପତି (CJI) ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ୯ ଜଣିଆ ସାମ୍ବିଧାନିକ ପୀଠ ଏହି ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ସିଜେଆଇ କହିଛନ୍ତି ଯେ, ଯଦି ଜଣେ ବ୍ୟକ୍ତି ନିଜ ଘରେ ଭିତରେ ଦୀପଟିଏ ଜାଳୁଛନ୍ତି, ତେବେ ତାହା ହିଁ ତାଙ୍କର ବିଶ୍ୱାସ ଓ ଧର୍ମକୁ ପ୍ରମାଣିତ କରିବା ପାଇଁ ଯଥେଷ୍ଟ। ଏଥିପାଇଁ କୌଣସି ବଡ଼ ଅନୁଷ୍ଠାନ କିମ୍ବା ମନ୍ଦିରକୁ ଯିବା ବାଧ୍ୟତାମୂଳକ ନୁହେଁ।

ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ହିନ୍ଦୁ ଧର୍ମକୁ ଧାର୍ମିକ ଶ୍ରେଣୀ ରୂପେ ପରିଭାଷିତ କରାଯାଇଥିଲା। ଏହା ପରେ ୧୯୬୬ରେ ଏହି ମାନ୍ୟତା ରହିଲା ଯେ, ଧର୍ମ ଓ ଦର୍ଶନ ସବୁଥିରେ ବେଦକୁ ସର୍ବୋଚ୍ଚ ସ୍ଥାନରେ ରଖାଯାଇଛି। ବିଚାରପତି ଏହା ମଧ୍ୟ କହିଛନ୍ତି, ବେଦ ପ୍ରତି ମୋର ଅତ୍ୟନ୍ତ ଆଦରଭାବ ରହିଛି। ମାତ୍ର ଏହା କଣ ସତ୍ୟ କି ଆଜି ଯେଉଁ ବ୍ୟକ୍ତି ନିଜକୁ ହିନ୍ଦୁ କହୁଛି ସେମାନେ କନ ଆଧ୍ୟାତ୍ମିକ ଓ ଦାର୍ଶନିକ ମାମଲାରେ ବେଦକୁ ସର୍ବୋଚ୍ଚ ମାନୁଛି ?

୧୯୬୬ର ରାୟକୁ ନେଇ ଚର୍ଚ୍ଚା

ଶୁଣାଣି ସମୟରେ ବରିଷ୍ଠ ଆଇନଜୀବୀ ଡକ୍ଟର ଜି. ମୋହନ ଗୋପାଳ ୧୯୬୬ ମସିହାର ଏକ ପୁରୁଣା ରାୟର ପ୍ରସଙ୍ଗ ଉଠାଇଥିଲେ। ସେହି ସମୟରେ ଅଦାଲତ ହିନ୍ଦୁ ଧର୍ମକୁ ‘ବେଦର ସର୍ବୋଚ୍ଚତା’ ସହ ଯୋଡ଼ିଥିଲେ। ଏହାର ଉତ୍ତରରେ ଜଷ୍ଟିସ୍ ବି.ଭି. ନାଗରତ୍ନ କହିଥିଲେ ଯେ, ହିନ୍ଦୁ ଧର୍ମ ଏକ ବ୍ୟାପକ ଜୀବନଶୈଳୀ ହୋଇଥିବାରୁ ଏଠାରେ ପ୍ରତ୍ୟେକ ବ୍ୟକ୍ତି ନିଜ ଶ୍ରଦ୍ଧା ଅନୁଯାୟୀ ଭକ୍ତି ପ୍ରଦର୍ଶନ କରିପାରିବେ। କାହାର ବିଶ୍ୱାସରେ ବାଧା ସୃଷ୍ଟି କରିବାର ଅଧିକାର କାହାରି ନାହିଁ।

ସାମ୍ବିଧାନିକ ପୀଠରେ କିଏ ଅଛନ୍ତି ସାମିଲ?

ଏହି ବୃହତ ସାମ୍ବିଧାନିକ ପୀଠରେ ସିଜେଆଇ ସୂର୍ଯ୍ୟକାନ୍ତଙ୍କ ସମେତ ଅନ୍ୟ ୮ ଜଣ ବିଚାରପତି ହେଉଛନ୍ତି ଜଷ୍ଟିସ୍ ବି.ଭି. ନାଗରତ୍ନ, ଜଷ୍ଟିସ୍ ଏମ୍.ଏମ୍. ସୁନ୍ଦରେଶ, ଜଷ୍ଟିସ୍ ଅହସାନୁଦ୍ଦିନ ଅମାନୁଲ୍ଲାହ, ଜଷ୍ଟିସ୍ ଅରବିନ୍ଦ କୁମାର, ଜଷ୍ଟିସ୍ ଅଗଷ୍ଟିନ୍ ଜର୍ଜ ମସିହ, ଜଷ୍ଟିସ୍ ପ୍ରସନ୍ନ ବି. ବରାଲେ, ଜଷ୍ଟିସ୍ ଆର. ମହାଦେବନ, ଜଷ୍ଟିସ୍ ଜୟମାଲ୍ୟ ବାଗଚି।

ସାବରୀମାଲା ମାମଲା ସହ ଜଡ଼ିତ ଏହି ଶୁଣାଣି

ଉଲ୍ଲେଖଯୋଗ୍ୟ ଯେ, ସେପ୍ଟେମ୍ବର ୨୦୧୮ରେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ପୀଠ ସାବରୀମାଲା ମନ୍ଦିରରେ ୧୦ ରୁ ୫୦ ବର୍ଷ ବୟସର ମହିଳାଙ୍କ ପ୍ରବେଶ ଉପରେ ଥିବା କଟକଣାକୁ ହଟାଇଥିଲେ। କୋର୍ଟ ଏହି ପ୍ରଥାକୁ ଅସାମ୍ବିଧାନିକ ଦର୍ଶାଇଥିଲେ। ବର୍ତ୍ତମାନର ୯ ଜଣିଆ ପୀଠ ସେହି ରାୟ ସହ ଜଡ଼ିତ ଧାର୍ମିକ ସ୍ଵାଧୀନତା ଏବଂ ସମାନତାର ବ୍ୟାପକ ଦିଗ ଉପରେ ଶୁଣାଣି କରୁଛନ୍ତି।