ଦିଲ୍ଲୀ CMଙ୍କ ଅଡୁଆ ଥମୁନି, ପ୍ରଚାର ପାଇଁ ଅନୁମତି ଦେଲେନି ସୁପ୍ରିମକୋର୍ଟ

Published By : Prameya-News7 Bureau | April 15, 2024 IST

ନୂଆଦିଲ୍ଲୀ ୧୫/୦୪: ଲୋକସଭା ନିର୍ବାଚନ ମାହୋଲ ମଧ୍ୟରେ ଗିରଫ ହୋଇ ଜେଲରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଜାମିନ ପାଇଁ କେଜ୍ରିୱାଲଙ୍କ ପକ୍ଷରୁ ଏକାଧିକ ଆବେଦନ ହେଉଥିଲେ ମଧ୍ୟ ତାଙ୍କୁ ଆଶ୍ୱସ୍ଥି ମିଳିପାରୁ ନାହିଁ। ଆଜି ମଧ୍ୟ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ନିରାଶ ହେବାକୁ ପଡ଼ିଛି । ସେପଟେ କେଜରିଓ୍ୱାଲ ନିର୍ବାଚନ ପ୍ରଚାର କରିପାରିବେନି ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ । 

ଏପ୍ରିଲ ୯ରେ ହାଇକୋର୍ଟରୁ ନିରାଶ ହେବା ପରେ ଏହା ପର ଦିନ ଇଡିର ଗିରଫଦାରୀ ବିପକ୍ଷରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କେଜ୍ରିୱାଲ। ଆଜି ଜଷ୍ଟିସ ସଞ୍ଜିବ ଖାନ୍ନା ଏବଂ ଦୀପଙ୍କର ଦତ୍ତ ଏହି ଆବେଦନ ଉପରେ ବିଚାର କରି ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୯କୁ ଧାର୍ଯ୍ୟ କରିଛନ୍ତି । 

କୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଏଏପି) ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କ ନ୍ୟାୟିକ ସଂରକ୍ଷଣକୁ ଏପ୍ରିଲ ୨୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ୧୫ ଦିନିଆ ନ୍ୟାୟିକ ବନ୍ଦୋବସ୍ତ ଶେଷ ହେବା ପରେ ଆଜି (ଏପ୍ରିଲ୍ ୧୫) ତିହାର ଜେଲରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ତାଙ୍କୁ ରାଉସ୍ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା । ଯେଉଁଠାରେ କୋର୍ଟ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇଥିଲେ ।

ମାର୍ଚ୍ଚ ୨୧ରେ ଦିଲ୍ଲୀ ଏକ୍ସାଇଜ୍ ପଲିସି ମାମଲାରେ ସିଏମ କେଜ୍ରିୱାଲଙ୍କୁ ତାଙ୍କ ବାସଭବନରୁ ଗିରଫ କରାଯାଇଥିଲା । ସେବେଠାରୁ କେଜ୍ରିୱାଲ ଦିଲ୍ଲୀର ତିହାର ଜେଲରେ ରହିଛନ୍ତି। ସେପଟେ ଆଜି ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ମାନ ତାଙ୍କୁ ଭେଟିଥିଲେ । 

ଏହା ପରେ ସେ ଦାବି କରିଛନ୍ତି ଯେ କେଜ୍ରିୱାଲଙ୍କୁ ଜଣେ କଠୋର ମୂଳ ଅପରାଧୀ ଭଳି ଜେଲରେ ରଖାଯାଇଛି । ଜେଲରେ ଆତଙ୍କବାଦୀଙ୍କୁ ଦିଆଯାଉଥିବା ସୁବିଧା ମଧ୍ୟ ସିଏମ୍ ମିଳୁନାହିଁ । ଭଗଓ୍ୱନ୍ତ ମାନ କହିଛନ୍ତି, “ତାଙ୍କୁ ଦେଖିବା ପରେ ମୁଁ ଭାବପ୍ରବଣ ହୋଇଗଲି । ତାଙ୍କୁ ଜଣେ କଠିନ ଅପରାଧୀ ଭଳି ବ୍ୟବହାର କରାଯାଉଛି । 

ସେମାନଙ୍କର ଭୁଲ କ’ଣ? AAP ନେତା ମାନ କହିଛନ୍ତି ଯେ ସେ କେଜ୍ରିୱାଲଙ୍କୁ ଅଧ ଘଣ୍ଟା ପାଇଁ ଭେଟିଥିଲେ କିନ୍ତୁ ସେମାନଙ୍କ ମଧ୍ୟରେ ଏକ ଗ୍ଲାସ କାନ୍ଥ ଥିଲା ଏବଂ ଦୁଇ ନେତାଙ୍କ ମଧ୍ୟରେ କଥାବାର୍ତ୍ତା ଫୋନ୍ କଲ ମାଧ୍ୟମରେ ହୋଇଥିଲା । ଆଜି ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ମଧ୍ୟ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା । ଏପ୍ରିଲ ୨୪ ସୁଦ୍ଧା ସୁପ୍ରିମକୋର୍ଟ ତାଙ୍କ ଆବେଦନ ଉପରେ ଇଡିଙ୍କଠାରୁ ଜବାବ ମାଗିଛନ୍ତି । ଏପ୍ରିଲ ୧୯ରୁ ଏହି ମାମଲାର ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.