ନୂଆଦିଲ୍ଲୀ ୨୦।୫: ଦିଲ୍ଲୀ ଅବକାରୀ ଦୁର୍ନୀତି ସମ୍ପର୍କିତ ମନିଲଣ୍ଡ୍ରିଂ ମାମଲାରେ ଗିରଫ ବିଆରଏସ୍ ନେତ୍ରୀ କେ.କବିତାଙ୍କ ବିଚାରବିଭାଗୀୟ ହାଜତ ମିଆଦ ଜୁନ ୩ ତାରିଖ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି। ସୋମବାର ଦିଲ୍ଲୀ ରାଉଜ ଏଭେନ୍ୟୁ କୋର୍ଟରେ କବିତାଙ୍କ ମାମଲାର ଶୁଣାଣି ହୋଇଛି। ମନିଲଣ୍ଡ୍ରିଂ ମାମଲାରେ ବିଚାରବିଭାଗୀୟ ହାଜତ ମିଆଦ ପୁରା ହେବାରୁ ତାଙ୍କୁ ଭର୍ଚୁଆଲୀ କୋର୍ଟରେ ହାଜର କରାଯାଇଥିଲା।
କୋର୍ଟରେ କବିତାଙ୍କ ଓକିଲ କହିଥିଲେ ଯେ ଗଣମାଧ୍ୟମରୁ ଜଣାପଡିଛି ଯେ ମାମଲାରେ ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇସାରିଲାଣି। ଏହାର ଜବାବରେ କୋର୍ଟ ହଁ ଏକ ପ୍ରୋସିକ୍ୟୁସନ ଅଭିଯୋଗ ଦାଖଲ ହୋଇଛି ବୋଲି କହିବାରୁ ଓକିଲ ତାଙ୍କୁ ଅଭିଯୋଗ ଫର୍ଦ୍ଦର କପି ଉପଲବ୍ଧ କରାଇବାକୁ ନିବେଦନ କରିଥିଲେ। ଏଥିରେ କୋର୍ଟ କହିଥିଲେ ଯେ ଏହା ଏବେବି ତଦନ୍ତାଧୀନ ରହିଛି।
ତେବେ ଇଡିପକ୍ଷରୁ ଉପସ୍ଥିତ ଓକିଲ କହିଥିଲେ ଯେ ଏହି ପର୍ଯ୍ୟାୟରେ ମାମଲାରେ ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇପାରିବନି। ଏଣୁ ଏହା ଉପରେ ପ୍ରଥମେ କୋର୍ଟଙ୍କୁ ବିଚାର କରିବାକୁ ପଡିବ। ଏହାକୁ କବିତାଙ୍କ ଓକିଲ କୋର୍ଟରେ ବିରୋଧ କରିଥିଲେ ଓ କହିଥିଲେ ଯେ ଯଦି ଆମେ ଥରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଦେଲେ ଓ କୋର୍ଟ ଏହାର ସଂଜ୍ଞାନ ନେଇ ନାହାନ୍ତି , ଏଥିରେ କୋର୍ଟ ତାଙ୍କ ହାଜତ ମିଆଦ ବଢେଇ ପାରିବେନି ଏଣୁ ସେ ଜାମିନରେ ମୁକୁଳିବାକୁ ହକଦାର। ତେବେ କୋର୍ଟ କବିତାଙ୍କ ବିଚାରବିଭାଗୀୟ ହାଜତ ମିଆଦକୁ ପୁଣି ଜୁନ ୩ ତାରିଖ ପର୍ଯ୍ୟନ୍ତ ବଢେଇ ଦେଇଛନ୍ତି।