ପାକିସ୍ତାନରେ ବେକାବୁ ହେଲା ଇରାନ ସମର୍ଥିତ ଆନ୍ଦୋଳନ: ହିଂସକ ଆନ୍ଦୋଳନରେ ମୃତ୍ୟୁ ସଂଖ୍ୟା ୨୧ ପାର୍

NEWS7
according-to-meteorological-model-no-chance-of-cyclone

ଇସ୍ଲାମାବାଦ: ଆମେରିକା-ଇସ୍ରାଏଲ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଅୟାତୋଲ୍ଲା ଅଲି ଖାମେନିଙ୍କ ମୃତ୍ୟୁ ପରେ ରବିବାର ପାକିସ୍ତାନରେ ହିଂସକ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଏଥିରେ ପ୍ରଥମେ ୮ ଜଣଙ୍କର ମୃତ୍ୟୁ ହୋଇଥିଲା ବୋଲି କୁହାଯାଉଥିଲା। ହେଲେ ରୟଟର୍ସର ରିପୋର୍ଟ ଅନୁସାରେ ମୃତ୍ୟୁ ସଂଖ୍ୟା ୨୧ ପାର୍ କରିଛି। ପାକିସ୍ତାନର ସିଆ ବହୁଳ ଅଞ୍ଚଳରେ ହିଂସାତ୍ମକ ସଂଘର୍ଷ, ପୋଡ଼ାଜଳା ଏବଂ ଆମେରିକା ବିରୋଧୀ ପ୍ରଦର୍ଶନ ହୋଇଛି। ରଏଟର୍ସ ରିପୋର୍ଟ ଅନୁସାରେ, ଅନେକ ସହରରେ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ହୋଇଛି।

ଫୁଟେଜ୍ ଏବଂ ଗଣମାଧ୍ୟମ ରିପୋର୍ଟ ଅନୁସାରେ, କରାଚୀ ଏବଂ ଲାହୋରରେ ଆମେରିକୀୟ କନସୁଲେଟ୍ ନିକଟରେ ହିଂସା ଘଟିଥିବା ରିପୋର୍ଟ ହୋଇଛି। ଯେଉଁଠାରେ ଶହ ଶହ ପ୍ରଦର୍ଶନକାରୀ ଏକତ୍ରିତ ହୋଇ ଭଙ୍ଗାରୁଜା କରିବା ସହ ପରିସରରେ କିଛି ଅଂଶରେ ନିଆଁ ଲଗାଇ ଦେଇଥିଲେ। ଗିଲଗିଟ-ବାଲ୍ଟିସ୍ତାନର ଉତ୍ତର ଅଞ୍ଚଳରେ, ପ୍ରଦର୍ଶନକାରୀମାନେ ସ୍କାର୍ଡୁରେ ଥିବା ଏକ ଜାତିସଂଘ କାର୍ଯ୍ୟାଳୟରେ ନିଆଁ ଲଗାଇ ଦେଇଥିଲେ ଏବଂ ନିକଟବର୍ତ୍ତୀ କୋଠାଗୁଡ଼ିକରେ ଭଙ୍ଗାରୁଜା କରିଥିଲେ।

ଇରାନ ଯୁଦ୍ଧର ଉତ୍ତେଜନା ଦେଶକୁ ବ୍ୟାପିବା ପରେ ପାକିସ୍ତାନର କର୍ତ୍ତୃପକ୍ଷମାନେ କୂଟନୈତିକ ସ୍ଥାନ ଏବଂ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକ ପାଖରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଥିଲେ। ତଥାପି ଜନ ଆନ୍ଦୋଳନ ତୀବ୍ର ହେବାରୁ ପାକିସ୍ତାନରେ ଲୋକଙ୍କ ମୃତ୍ୟୁ ହୋଇଛି।

ପଢ଼ନ୍ତୁ- ପ୍ରତିବାଦକାରୀଙ୍କୁ ବୁଝାଇବାକୁ ଯାଇ ଫସିଲେ ମୋହସିନ ନକଭୀ, ଧକ୍କା ମାରି ବିଦା କଲେ ଲୋକେ

ସେପଟେ ଇରାନ ସହ ଯୁଦ୍ଧକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ଼ ଦାବି କରିଛନ୍ତି। ଇରାନ ଉପରେ ଆକ୍ରମଣକୁ ସଫଳ ଓ ଆଶା ଠାରୁ ଦ୍ରୁତ ଗତିରେ ଆଗକୁ ବଢ଼ୁଛି ବୋଲି ଟ୍ରମ୍ପ ସିଏନଏନକୁ ଇଣ୍ଟରଭ୍ୟୁ ଦେଇ କହିଛନ୍ତି। ଇସ୍ରାଏଲ ସହିତ କରିଥିବା ମିଳିତ ସାମରିକ ଅପରେସନରେ ୪୮ ଜଣ ଇରାନୀ ନେତା ନିହତ ହୋଇଛନ୍ତି ବୋଲି ଟ୍ରମ୍ପ ଦାବି କରିଛନ୍ତି। ସେ କହିଛନ୍ତି “ଆମେ ଯେଉଁ ସଫଳତା ପାଇଛୁ ତାହା କେହି ବିଶ୍ୱାସ କରିପାରିବେ ନାହିଁ। ଗୋଟିଏ ଥରରେ ୪୮ ଜଣ ନେତାଙ୍କ ମୃତ୍ୟୁ ହେଲା। ଏହା ଦ୍ରୁତ ଗତିରେ ଆଗକୁ ବଢ଼ୁଛି।” ଆମେରିକା ଗଣମାଧ୍ୟମ ସହିତ ଏକ ପୃଥକ ଆଲୋଚନାରେ, ଟ୍ରମ୍ପ କହିଛନ୍ତି ଯେ ଇରାନରେ ଆମେରିକାର ସାମରିକ ଆକ୍ରମଣ "ନିର୍ଦ୍ଧାରିତ ସମୟ ପୂର୍ବରୁ" ଏବଂ "ବହୁତ ଭଲ ଭାବରେ ଆଗକୁ ବଢୁଛି"।

ଗୋଟିଏ ପଟେ ଇରାନ ଆହୁରି ଆକ୍ରମଣ ତୀବ୍ର କରିବା ବୋଲି କହୁଥିବା ବେଳେ ରାଷ୍ଟ୍ରପତି ଟ୍ରମ୍ପ କିନ୍ତୁ ଇଣ୍ଟରଭ୍ୟୁରେ ଅଲଗା ଦାବି କରିଛନ୍ତି। ଇରାନର ନୂଆ ନେତୃତ୍ୱ ୱାଶିଂଟନ ସହିତ ଆଲୋଚନା କରିବାକୁ ରାଜି ହୋଇଛନ୍ତି ବୋଲି ଟ୍ରମ୍ପ ଦାବି କରିଛନ୍ତି। ଟ୍ରମ୍ପ କହିଛନ୍ତି "ନୂଆ ଇରାନୀ ନେତାମାନେ କଥାବାର୍ତ୍ତା କରିବାକୁ ଚାହୁଁଛନ୍ତି ଏବଂ ମୁଁ କଥାବାର୍ତ୍ତା କରିବାକୁ ରାଜି ହୋଇଛି।" ଟ୍ରମ୍ପ ଇଣ୍ଟରଭ୍ୟୁରେ ଏଭଳି କହିଥିବା ସମ୍ବାଦ ସରବରାହ ସଂସ୍ଥା ରଏଟର୍ସ ଦି ଆଟଲାଣ୍ଟିକରେ ରିପୋର୍ଟ କରିଛି।