ବିଲ୍ଡରଙ୍କ ପୁଅ, ୨ କୋଟି ଟଙ୍କା ପୋର୍ସେ କାର ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ଆଉ ଦଣ୍ଡ-୩୦୦ ଶବ୍ଦର ରଚନା

Published By : Prameya-News7 Bureau | May 20, 2024 IST

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୁଣେ ସହରରେ ସଡ଼କ ଦୁର୍ଘଟଣାରେ ୨ ଜଣ ଆଇଟି ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଛି । ଘଟଣାର ଅଭିଯୁକ୍ତକୁ ୧୪ ଘଣ୍ଟା ଭିତରେ ହିଁ ଜାମିନ ମିଳିଛି । ସୂଚନା ଅନୁସାରେ ଦ୍ରୁତ ବେଗରେ ଲଗଜରୀ ପୋର୍ସେ କାର ମୋଟରସାଇକେଲକୁ ଧକ୍କା ଦେଇଥିଲା, ଯେଉଁଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ପୋଲିସ ଅନୁସାରେ କାର ଚଲାଉଥିବା ୧୭ ବର୍ଷୀୟ ନାବାଳକ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରିବା ପରେ ତାକୁ ହେପାଜତକୁ ନିଆଯାଇଥିଲା, ଜୁଭେନାଇଲ କୋର୍ଟରେ ହାଜର କରାଯାଇଥିଲା, ଯେଉଁଠି ତାକୁ ଜାମିନ ମିଳିଛି ।

ପୁଣେ ସହର ପୋଲିସ କମିଶନର ଅମିତେଶ କୁମାରଙ୍କ ଏକ ବୟାନରେ କହିଛନ୍ତି, ଏହି ଦୁର୍ଘଟଣା ମାମଲାରେ ଅଭିଯୁକ୍ତର ବାପା ଏବଂ କିଶୋର/ଅଭିଯୁକ୍ତକୁ ମଦ ଦେଇଥିବା ବାର୍ ବିରୋଧରେ କିଶୋର ନ୍ୟାୟ ଅଧିନିୟମ ଧାରା ୭୫ ଏବଂ ୭୭ ଅଧିନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

ନାବାଳକ ଅଭିଯୁକ୍ତର ଜାମିନକୁ ନେଇ ପୋଲିସ ଅଧିକାରୀ କହିଛନ୍ତି ଯେ କୋର୍ଟ ଅପରାଧକୁ ଅଧିକ ସଙ୍ଗୀନ ବୋଲି ମାନି ନଥିଲେ, ଯେଉଁଥିରେ ଜାମିନ ମନା କରାଯାଇ ପାରିବ । କୋର୍ଟ ସର୍ତ୍ତ ସହ ଯୁବକକୁ ଜାମିନ ଦେଇଛନ୍ତି ।

ଅଭିଯୁକ୍ତକୁ ସଡ଼କ ଦୁର୍ଘଟଣାର ପ୍ରଭାବ ଏବଂ ଏହାର ସମାଧାନ ଉପରେ ୩୦୦ ଶବ୍ଦର ରଚନା ଲେଖିବା ପାଇଁ ଆଦେଶ ଦେଇଛନ୍ତି ।

୧୫ ଦିନ ଯାଏ ଟ୍ରାଫିକ୍ ପୋଲିସ ସହ ଅଭିଯୁକ୍ତକୁ କାମ କରିବାକୁ ହେବ ।

ନିଶାମୁକ୍ତ କେନ୍ଦ୍ର ଯାଇ ମଦ ନିଶା ଛାଡ଼ିବା ପାଇଁ ମଧ୍ୟ ଅଭିଯୁକ୍ତକୁ କୁହାଯାଇଛି ।

ଟ୍ରାଫିକ୍ ନିୟମର ସୂଚନା ନେଇ ପୁଣି ଥରେ ଜୁଭେନାଇଲ୍ କୋର୍ଟ ସାମନାରେ ହାଜର ହେବା ପାଇଁ ଆଦେଶ ଦିଆଯାଇଛି ।

ଘଟଣା ପରେ ଅଭିଯୁକ୍ତ ଯୁବକ ବିରୋଧରେ ଧାରା ୩୦୪ ଅଧିନରେ ମାମଲା ରୁଜୁ କରାଯାଇଥିଲା । ଦେଶରେ ସଡ଼କ ଦୁର୍ଘଟଣା ମାମଲାରେ ମୁଖ୍ୟ ରୂପେ ଦୁଇଟି ଧାରାରେ କେସ୍ ରୁଜୁ ହୋଇଥାଏ । ଧାରା ୩୦୪ ଏବଂ ଦ୍ୱିତୀୟ ଧାରା ୩୦୪ଏ ଅଧିନରେ ପୋଲିସ ଦ୍ୱାରା କେସ୍ ରୁଜୁ କରାଯାଇଥାଏ । ଧାରା ୩୦୪ ଅଧିନରେ ଦୋଷୀକୁ ସର୍ବାଧିକ ୧୦ ବର୍ଷ ଜେଲ୍ ଦଣ୍ଡ ହୋଇପାରେ । ତେବେ ନାବାଳକ ହେବା କାରଣରୁ ଅଭିଯୁକ୍ତକୁ ଏହାର ଲାଭ ମିଳିଛି ଏବଂ ଜାମିନ ମିଳିଛି ।

କଲ୍ୟାଣୀ ନଗରର ଏକ ଭୋଜନାଳୟରେ ପାର୍ଟି ପରେ ସାଙ୍ଗମାନେ ନିଜ ମୋଟରସାଇକେଲରେ ଘରକୁ ଫେରୁଥିଲେ । ଏଫଆଇଆର ଅନୁସାରେ ସେମାନେ କଲ୍ୟାଣ ନଜର ଜଙ୍କସନ ପହଞ୍ଚିବା ବେଳେ ଏକ ଦ୍ରୁତ ବେଗରେ ଆସୁଥିବା ଏକ ଲଜଗରୀ କାର ମୋଟରସାଇକେଲକୁ ଧକ୍କା ଦେଇଥିଲା । ଯେଉଁଥିରେ ମୋଟରସାଇକେଲରେ ଯାତ୍ରା କରୁଥିବା ଦୁଇ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.