News7 Logo

‘ବେଆଇନ ଗଛ କଟା ଯୋଗୁଁ ଆସୁଛି ବିପର୍ଯ୍ୟୟ’, ଉତ୍ତର ଭାରତ ବନ୍ୟା ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ଟିପ୍ପଣୀ

NEWS7
supreme court

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଜମ୍ମ କାଶ୍ମୀର ଓ ପଞ୍ଜାବରେ ବ୍ୟାନ ସହ ଜଡ଼ିତ ଏକ ଆବେଦନ ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି । ବର୍ଷା ଓ ବନ୍ୟା ଉପରେ ଗମ୍ଭୀର ଚିନ୍ତା ବ୍ୟକ୍ତ କରି ପାହାଡ଼ରେ ବେଆଇନ ଭାବେ ଗଛ କଟା ହେଉଥିବା ସୁପ୍ରିମକୋର୍ଟ କହିଛନ୍ତି । ହିମାଚଳ ପ୍ରଦେଶ ବନ୍ୟା ପାଣିରେ ପାହାଡ଼ରୁ ବୋହି ଆସୁଥିବା କାଠ ଖଣ୍ଡର ଭିଡିଓକୁ ଉଲ୍ଲେଖ କରି ଏହା ଗୁରୁତର ବିଷୟ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ସର୍ବୋଚ୍ଚ ଆଦାଲତ ବିଭିନ୍ନ ରାଜ୍ୟରେ ଭୂସ୍ଖଳନ ଓ ବନ୍ୟା ମାମଲା ଉପରେ ସଜ୍ଞାନ ନେଇଛନ୍ତି । ଏହି ମାମଲାରେ କେନ୍ଦ୍ର ସରକାର, ଏନଡିଏମଏ ଓ ଅନ୍ୟ ପକ୍ଷଧାରକଙ୍କୁ ନୋଟିସ୍ ଜାରି କରାଯାଇଛି । କୋର୍ଟ କହିଛନ୍ତି ଯେ ଉତ୍ତର ଭାରତ ରାଜ୍ୟଗୁଡ଼ିକରେ ବେଆଇନ ଗଛ କାଟିବା କାରଣରୁ ଏହି ବିପର୍ଯ୍ୟୟ ଆସିଛି । ସିଜେଆଇ ଜଷ୍ଟିସ୍ ବିଆର ଗଭାଇ ଓ ଜଷ୍ଟିସ୍ କେ.ବିନୋଦ ଚନ୍ଦ୍ରନଙ୍କ ଖଣ୍ଡପୀଠ ଅନାମିକା ରାଣାଙ୍କ ଦ୍ୱାରା ଦାଖଲ ଆବେଦନର ଆଜି ଶୁଣାଣି କରିଥିଲେ ।

ଶୁଣାଣି ବେଳେ ସିଜେଆଇ କହିଥିଲେ, ଆମେ ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଓ ପଞ୍ଜାବରେ ଭୂସ୍ଖଳନ ଓ ବନ୍ୟା ଦେଖିଛୁ । ମିଡିଆ ରିପୋର୍ଟରୁ ଜଣାପଡ଼ୁଛି ଯେ ବନ୍ୟାରେ ବିପୁଳ ମାତ୍ରାରେ କାଠ ଖଣ୍ଡ ବୋହି ଆସୁଛି । ପ୍ରଥମ ଦୃଶ୍ୟରେ ଗଛଗୁଡ଼ିକୁ ବେଆଇନ ଭାବେ କଟା ଯାଇଥିବା ଜଣାପଡ଼ୁଛି । ଦୁଇ ସପ୍ତାହ ମଧ୍ୟରେ ଜବାବ ଦେବା ପାଇଁ ନୋଟିସ୍ ଜାରି କରାଯାଇଛି ।

ଖଣ୍ଡପୀଠ ଆବେଦନକାରୀ ଅନାମିକା ରାଣାଙ୍କ ପକ୍ଷରୁ ଉପସ୍ଥିତ ଓକିଲ ଆକାଶ ବଶିଷ୍ଠ ଏବଂ ଶୁଭମ୍ ଉପାଧ୍ୟାୟଙ୍କୁ କେନ୍ଦ୍ରୀୟ ସଂସ୍ଥାକୁ ନୋଟିସ୍ ଏବଂ ଆବେଦନର ଏକ କପି ପ୍ରଦାନ କରିବାକୁ ଅନୁମତି ଦେଇଥିଲେ । ସଲିସିଟର ଜେନେରାଲ କହିଥିଲେ, "ଆମେ ପ୍ରକୃତି ସହିତ ଏତେ ହସ୍ତକ୍ଷେପ କରିଛୁ ଯେ ପ୍ରକୃତି ଏବେ ଆମକୁ ଜବାବ ଦେଉଛି । ମୁଁ ଆଜି ପରିବେଶ ମନ୍ତ୍ରଣାଳୟର ସଚିବଙ୍କ ସହ କଥା ହେବି ଏବଂ ସେ ରାଜ୍ୟଗୁଡ଼ିକର ମୁଖ୍ୟ ସଚିବଙ୍କ ସହ କଥା ହେବେ।" ମେହେଟା କହିଥିଲେ ଯେ ଏପରି ପରିସ୍ଥିତିକୁ ଅନୁମତି ଦିଆଯାଇପାରିବ ନାହିଁ ।

ଓକିଲ ଆକାଶ ବଶିଷ୍ଠଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆବେଦନରେ ଭୂସ୍ଖଳନ ଏବଂ ବନ୍ୟାର କାରଣଗୁଡ଼ିକର ଏକ କାର୍ଯ୍ୟ ଯୋଜନା ଏବଂ SIT ତଦନ୍ତ ଦାବି କରାଯାଇଛି । ଏପରି ବିପର୍ଯ୍ୟୟ ଯେପରି ପୁନରାବୃତ୍ତି ନହୁଏ ତାହା ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି । ପିଟିସନରେ ପ୍ରଭାବିତ ନାଗରିକଙ୍କ ପାଇଁ ଜରୁରୀକାଳୀନ ରିଲିଫ୍, ଉଦ୍ଧାର, ସୁରକ୍ଷା ଏବଂ ପ୍ରାଥମିକ ଚିକିତ୍ସା ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ଏବଂ ଅନ୍ୟାନ୍ୟ ସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଦେବାକୁ ମଧ୍ୟ ଦାବି କରାଯାଇଥିଲା ।