LIVE TV

କିଏ ଏହି ଜଷ୍ଟିସ୍ ଅତୁଲ ଶ୍ରୀଧରନ୍ ? ଯାହାଙ୍କ ପାଇଁ କେନ୍ଦ୍ରର ଅନୁରୋଧରୁ ମାନିଲା ସୁପ୍ରିମକୋର୍ଟ କଲେଜିୟମ, ବଦଳାଇଲା ନିଷ୍ପତ୍ତି

NEWS7
supreme court

ନୂଆଦିଲ୍ଲୀ: ଦେଶର ନ୍ୟାୟପାଳିକା ଇତିହାସରେ ଏକ ବିରଳ ଘଟଣା ଦେଖିବାକୁ ମିଳିଛି । କେନ୍ଦ୍ର ସରକାରଙ୍କ ଅନୁରୋଧରେ ସୁପ୍ରିମକୋର୍ଟ କଲେଜିଅମ ଜଣେ ଜଜ୍‌ଙ୍କ ବଦଳିକୁ ନେଇ ନିଜ ପୂର୍ବ ନିଷ୍ପତ୍ତିକୁ ପରିବର୍ତ୍ତନ କରିଛି । ପ୍ରଧାନ ବିଚାରପତି ଜଷ୍ଟିସ୍ ବିଆର ଗଭାଇଙ୍କ ଅଧ୍ୟକ୍ଷତାରେ କଲେଜିୟମ ଏହି ନିଷ୍ପତ୍ତି ନେଇଛି । ଅଗଷ୍ଟ ୨୫ରେ କଲେଜିଅମ ମଧ୍ୟପ୍ରଦେଶ ହାଇକୋର୍ଟର ଜଜ୍ ଜଷ୍ଟିସ୍ ଅତୁଲ ଶ୍ରୀଧରନଙ୍କୁ ଛତିଶଗଡ଼ ହାଇକୋର୍ଟ ବଦଳି କରିବା ପାଇଁ ସୁପାରିଶ କରିଥିଲା । କିନ୍ତୁ ଅକ୍ଟୋବର ୧୪ରେ ହୋଇଥିବା ବୈଠକରେ କଲେଜିୟମ ପୁନର୍ବିଚାର କରି ତାଙ୍କୁ ଆହ୍ଲାବାଦ ହାଇକୋର୍ଟ ପଠାଇବା ପାଇଁ ସୁପାରିଶ କରିଛି ।

କଲେଜିୟମ ବୟାନରେ କହିଛି, ସୁପ୍ରିମକୋର୍ଟ କଲେଜିୟମ ଅକ୍ଟୋବର ୧୪ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପୁନର୍ବିଚାର ଆବେଦନ ଉପରେ ନିଷ୍ପତ୍ତି ନିଆଯାଇଛି । ମଧ୍ୟପ୍ରଦେଶ ହାଇକୋର୍ଟର ବିଚାରପତି ଅତୁଲ ଶ୍ରୀଧରନଙ୍କୁ ଏବେ ଛତିଶଗଡ଼ ପରିବର୍ତ୍ତେ ଆହ୍ଲାବାଦ ହାଇକୋର୍ଟକୁ ବଦଳି କରାଯାଉଛି ।

ଏହା ପ୍ରଥମ ଥର ନୁହେଁ ଯେତେବେଳେ କଲେଜିୟମ କୌଣସି ବଦଳି ଉପରେ ପୁନର୍ବିଚାର କରିଛନ୍ତି । ତେବେ ସରକାରଙ୍କ ଅନୁରୋଧରେ ନିଷ୍ପତ୍ତିର ପୁନର୍ବିଚାର କରାଯାଇଥିବା ନେଇ କଲେଜିୟମ ସର୍ବାଜନୀନ ଭାବେ ସ୍ୱୀକାର କରିବା ଏକ ଅତ୍ୟନ୍ତ ବିରଳ ଘଟଣା । ଯଦି ଜଷ୍ଟିସ ଶ୍ରୀଧରନଙ୍କୁ ଛତିଶଗଡ଼ ବଦଳି କରାଯାଇଥାନ୍ତା, ତେବେ ସେ ସେଠାରେ ଦ୍ୱିତୀୟ ବରିଷ୍ଠ ଜଜ୍ ହୋଇଥାନ୍ତେ । ଅନ୍ୟପଟେ ଆହ୍ଲାବାଦ ହାଇକୋର୍ଟରେ ସପ୍ତମ ବରିଷ୍ଠ ଜଜ୍ ହେବେ ।

ଜଷ୍ଟିସ୍ ଶ୍ରୀଧରନଙ୍କୁ ୨୦୧୬ରେ ମଧ୍ୟପ୍ରଦେଶ ହାଇକୋର୍ଟରେ ନିଯୁକ୍ତି ଦିଆଯାଇଥିଲା । ଆଇନଜୀବୀ ଭାବେ ବରିଷ୍ଠ ଓକିଲ ଗୋପାଲ ସୁବ୍ରମଣ୍ୟମଙ୍କ ସହ ପାଞ୍ଚ ବର୍ଷ ଯାଏ ପ୍ରାକ୍ଟିସ୍ କରିଥିଲେ । ଏହାପରେ ସେ ନିଜର ସ୍ୱତନ୍ତ୍ର ଓକିଲାତି ଆରମ୍ଭ କରିଥିଲେ । ୨୦୨୩ରେ ନିଜ ଇଚ୍ଛାରେ ବଦଳି ପାଇଁ ଦାବି କରିଥିଲେ । ସେ କହିଥିଲେ ଯେ ତାଙ୍କ ଝିଅ ଇନ୍ଦୋରରେ ଓକିଲାତି ଆରମ୍ଭ କରିବାକୁ ଯାଉଛନ୍ତି । ଏହାପରେ ଜମ୍ମୁ କାଶ୍ମୀର ଓ ଲଦାଖ ହାଇକୋର୍ଟ ପଠାଯାଇଥିଲା ଓ ୨୦୨୫ରେ ମଧ୍ୟପ୍ରଦେଶ ଫେରିଥିଲେ । ଶ୍ରୀନଗରରେ ରହିବା ସମୟରେ ସେ ପବ୍ଲିକ୍ ସେଫ୍ଟି ଆକ୍ଟ ଅଧିନରେ ନିର୍ମାଣ କରାଯାଇଥିବା ବିଲ୍ଡିଂ ମାମଲାରେ ହସ୍ତକ୍ଷେପ କରି ରଦ୍ଦ କରିଥିଲେ ।

କଲେଜିୟମ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେର ଜଜଙ୍କ ନିଯୁକ୍ତି ଓ ବଦଳିକୁ ନେଇ ମତଭେଦ ପୂର୍ବରୁ ରହିଆସିଛି । କିନ୍ତୁ ଏହି ମାମଲା ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ କଲେଜିୟମ ନିଜେ ସାର୍ବଜନୀନ ଭାବେ କେନ୍ଦ୍ରର ଅନୁରୋଧରେ ନିଷ୍ପତ୍ତି ବଦଳାଇଥିବା କଲେଜିୟମ ସ୍ୱୀକାର କରିଛି ।