ନୂଆଦିଲ୍ଲୀ ୨୬/୦୭: ଦେଶରେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ପ୍ରସଙ୍ଗରେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମକୋର୍ଟ । ସମସ୍ତ ସ୍କୁଲ, କଲେଜ ଏବଂ କୋଚିଂ ସେଣ୍ଟରଗୁଡ଼ିକରେ ପିଲାଙ୍କ ମାନସିକ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ସର୍ବୋଚ୍ଚ ଅଦାଲତ ଶୁକ୍ରବାର ବ୍ୟାପକ ମାର୍ଗଦର୍ଶିକା ଜାରି କରିଛନ୍ତି । ଆତ୍ମହତ୍ୟା ଯୋଗୁ ଲଗାତର ଯୁବ ଛାତ୍ରଛାତ୍ରୀଙ୍କ ଜୀବନ ଯିବା ବ୍ୟବସ୍ଥାଗତ ବିଫଳତାକୁ ଉଜାଗର କରୁଛି ବୋଲି ଜଷ୍ଟିସ୍ ବିକ୍ରମ ନାଥ ଏବଂ ଜଷ୍ଟିସ୍ ସନ୍ଦୀପ ମେହଟାଙ୍କ ଖଣ୍ଡପୀଠ କହିଛନ୍ତି ।
ଖଣ୍ଡପୀଠ କହିଛନ୍ତି ଯେ ଏହି ପ୍ରସଙ୍ଗକୁ ଅଣଦେଖା କରାଯାଇପାରିବ ନାହିଁ । ୨୦୨୨ରେ ‘ଭାରତରେ ଅଚାନକ ମୃତ୍ୟୁ ଏବଂ ଆତ୍ମହତ୍ୟା ଶୀର୍ଷକ’ରେ ପ୍ରକାଶିତ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ(ଏନ୍ସିଆର୍ବି)ର ତଥ୍ୟ ବେଶ୍ ଚିନ୍ତାଜନକ । ଏପରି ମାମଲା ବିଶେଷକରି ମାନସିକ ଅବସାଦ, ପାଠପଢ଼ା ବୋଝ, ସାମାଜିକ ନିନ୍ଦା ଭୟ ଏବଂ ସଂସ୍ଥାଗତ ଅସମ୍ବେଦନଶୀଳତା ଭଳି ରୋକାଯାଇପାରୁଥିବା କାରଣରୁ ଘଟୁଛି ବୋଲି ଖଣ୍ଡପୀଠ କହିଛନ୍ତି ।
ବିଶାଖାପାଟଣାରେ ଏକ ଛାତ୍ରାବାସରେ ଜଣେ ନିଟ୍ ପ୍ରାର୍ଥୀଙ୍କ ଆତ୍ମହତ୍ୟା ମାମଲାର ଶୁଣାଣିବେଳେ ସୁପ୍ରିମକୋର୍ଟ ଏହି ଦିଶାନିର୍ଦ୍ଦେଶ ଜାରି କରିଛନ୍ତି । ରିପୋର୍ଟ ଅନୁସାରେ ୨୦୨୨ରେ ଦେଶରେ ମୋଟ ୧୩,୦୪୪ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ୧୫ ସୂତ୍ରୀ ବାଧ୍ୟତାମୂଳକ ମାର୍ଗଦର୍ଶିକା ଜାରି କରିଛନ୍ତି । ଯେ ପର୍ଯ୍ୟନ୍ତ ସରକାର ପିଲାଙ୍କ ଆତ୍ମହତ୍ୟା ରୋକିବା ଲାଗି କୌଣସି ଆଇନ କିମ୍ବା ନିୟାମକ ଢାଞ୍ଚା ବନାଇନାହାନ୍ତି ସେ ପର୍ଯ୍ୟନ୍ତ ଏହି ମାର୍ଗଦର୍ଶିକା ପାଳନ ଅନିବାର୍ଯ୍ୟ ରହିବ ବୋଲି କହିଛନ୍ତି ।
କେନ୍ଦ୍ର ଏବଂ ରାଜ୍ୟ ସରକାର ଏହାକୁ ତତ୍କାଳ ଲାଗୁ କରିବେ ଏବଂ ୯୦ ଦିନ ଭିତରେ ଷ୍ଟାଟସ୍ ରିପୋର୍ଟ ଦେବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟ ଜାରି କରିଥିବା ମାର୍ଗଦର୍ଶିକା ଅନୁସାରେ, ସମସ୍ତ ଶିକ୍ଷାନୁଷ୍ଠାନ ମାନସିକ ସ୍ୱାସ୍ଥ୍ୟ ନୀତି ଆପଣାଇବେ, ଯାହା କି ‘ଉମିଦ୍’, ‘ମନୋଦର୍ପଣ’ ଏବଂ ଜାତୀୟ ଆତ୍ମହତ୍ୟା ରୋକିବା ନୀତିରୁ ପ୍ରେରିତ ହୋଇଥିବ । ସଂସ୍ଥାଗୁଡ଼ିକ ଏହି ନୀତିକୁ ୱେବସାଇଟ ଏବଂ ସୂଚନା ପ୍ଲେଟ୍ ମାଧ୍ୟମରେ ଉପଲବ୍ଧ କରାଇବେ ।
ଏଥିସହ ପ୍ରତିବର୍ଷ ଏହାକୁ ଅପ୍ଟେଡ କରାଯିବ । ୧୦୦ କିମ୍ବା ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ଥିବା ଶିକ୍ଷାନୁଷ୍ଠାନରେ ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞ ଯଥା ପ୍ରଶିକ୍ଷିତ କାଉନସେଲର, ମନୋବିଜ୍ଞାନୀ କିମ୍ବା ସାମାଜିକ କାର୍ଯ୍ୟକର୍ତ୍ତାଙ୍କ ନିଯୁକ୍ତି ବାଧ୍ୟତାମୂଳକ । ଛୋଟ ଶିକ୍ଷାନୁଷ୍ଠାନଗୁଡ଼ିକ ବାହାରେ ବିଶେଷଜ୍ଞଙ୍କ ସହ ଯୋଗାଯୋଗରେ ରହିବେ । ଯାହା ଫଳରେ ଆବଶ୍ୟକ ପଡ଼ିଲେ ସେ ସେହି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ କାଉନସେଲିଂ କରିପାରିବେ ।
ଛାତ୍ରାବାସ ଥିବା ସଂସ୍ଥାଗୁଡ଼ିକର ଛାତ, ବାଲକୋନି ଏବଂ ଫ୍ୟାନ୍ରେ ସୁରକ୍ଷା ଉପକରଣ ଲଗାଯିବ । ଏହାଦ୍ୱାରା ଆତ୍ମହତ୍ୟା ଘଟଣା ରୋକିବାରେ ସହାୟତା ମିଳିବ । ସେହିପରି କୋଚିଂ ସେଣ୍ଟରଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ଆଧାରରେ ସେମାନଙ୍କୁ ଅଲଗା ବ୍ୟାଚ୍କୁ ପଠାଯିବା, ସାର୍ବଜନୀନ ଭାବେ ଅପମାନିତ କରିବା କିମ୍ବା ସେମାନଙ୍କ ପାଇଁ କଷ୍ଟକର ଥିବା ପାଠ୍ୟକ୍ରମକୁ ଟାର୍ଗେଟ ଭାବେ ଦିଆଯିବା ଭଳି କାର୍ଯ୍ୟକଳାପ ଉପରେ ରୋକ ଲଗାଯାଇଛି ।
ଜାତି, ଧର୍ମ, ବର୍ଗ, ବିକଳାଙ୍ଗତା କିମ୍ବା ଲିଙ୍ଗଗତ ଆଧାରରେ ଛାତ୍ରଛାତ୍ରୀଙ୍କୁ ଉତ୍ପୀଡ଼ନ, ଯୌନ ହିଂସା କିମ୍ବା ର୍ୟାଗିଂ ଆଦି ମାମଲା ପାଇଁ ଗୋପନୀୟ ତଥା ସୁଲଭ ଏବଂ ସହଜ ଅଭିଯୋଗ ଗ୍ରହଣ ବ୍ୟବସ୍ଥା କରିବା ବାଧ୍ୟତାମୂଳକ ହେବ । ଅଭିଯୋଗକାରୀ ଛାତ୍ରଛାତ୍ରୀଙ୍କ ବିରୋଧରେ କୌଣସି ପ୍ରକାର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଉପରେ ‘ଶୂନ ସହନଶୀଳ’ ନୀତି ଆପଣାଯିବ । ଏପରି ମାମଲାରେ ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ତତ୍କାଳ ସହାୟତା ପ୍ରଦାନ ସୁନିଶ୍ଚିତ କରାଯିବ ଏବଂ ଛାତ୍ରଛାତ୍ରୀଙ୍କ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟର ସୁରକ୍ଷାକୁ ସର୍ବୋପରି ବିବେଚନା କରାଯିବ ।
ଯଦି କୌଣସି ସଂସ୍ଥାର ଅବହେଳା ଯୋଗୁ ପିଲା ଆତ୍ମହତ୍ୟା କରନ୍ତି ତେବେ ସେହି ସଂସ୍ଥାକୁ ଆଇନଗତ ଭାବେ ଦୋଷୀ ବିବେଚନା କରାଯିବ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି । ସୁପ୍ରିମକୋର୍ଟ ବିଶେଷକରି କୋଟା, ଜୟପୁର, ଚେନ୍ନାଇ, ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ ଭଳି ସ୍ଥାନରେ ବିପୁଳମାତ୍ରାରେ ଥିବା କୋଚିଂ ସେଣ୍ଟରଗୁଡ଼ିକୁ ଏହି ଦିଶାନିର୍ଦ୍ଦେଶ କଡ଼ାକଡ଼ି ଲାଗୁ କରିବା ସହ ପିଲାଙ୍କ ମାନସିକ ସ୍ୱାସ୍ଥ୍ୟର ସୁରକ୍ଷା ଲାଗି ଉପାୟ ଆପଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଏଥିସହ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ୨ ମାସ ଭିତରେ ଘରୋଇ କୋଚିଂ ସେଣ୍ଟରଗୁଡ଼ିକ ପାଇଁ ପଞ୍ଜୀକରଣ, ପିଲାଙ୍କ ସୁରକ୍ଷା ସମ୍ବନ୍ଧିତ ନିୟମ ଏବଂ ଅଭିଯୋଗ ନିବାରଣ ବ୍ୟବସ୍ଥା ଲାଗୁ କରିବାକୁ କହିଛନ୍ତି । ମାମଲା ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୨୭ରେ ହେବ । ଅନ୍ୟପକ୍ଷରେ ଆନ୍ଧ୍ରପ୍ରଦେଶ ବିଶାଖାପାଟଣାର ୧୭ ବର୍ଷୀୟ ନିଟ୍ ଛାତ୍ରଙ୍କ ଆତ୍ମହତ୍ୟା ମାମଲା ସୁପ୍ରିମକୋର୍ଟ ସିବିଆଇକୁ ହସ୍ତାନ୍ତର କରିଛନ୍ତି । ପୂର୍ବରୁ ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ଏହାର ସିବିଆଇ ଯାଞ୍ଚ ଲାଗି ନିର୍ଦ୍ଦେଶ ଦେବାକୁ ମନାକରିଥିଲେ ।