EVMରେ ବିଜେପିକୁ ମିଳୁଛି ଏକ୍ସଟ୍ରା ଭୋଟ! ତଦନ୍ତ ପାଇଁ ECଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | April 18, 2024 IST

ନୂଆଦିଲ୍ଲୀ ୧୮।୪: ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗ (ଇସି)ଙ୍କୁ ସେହି ସବୁ ଅଭିଯୋଗକୁ ଦେଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଯେଉଁଥିରେ କୁହାଯାଇଛି ଯେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ (ଇଭିଏମ)ରେ  ନିର୍ଦ୍ଧିଷ୍ଟ ପାର୍ଟିର ଏକ୍ସଟ୍ରା ଭୋଟ ରେକର୍ଡ ହେଉଛି। ଇସିଙ୍କୁ ଏହି ନିର୍ଦ୍ଦେଶ ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖନ୍ନା ଓ ଜଷ୍ଟିସ୍ ଦୀପଙ୍କର ଦତ୍ତଙ୍କ ବେଞ୍ଚ ଦେଇଛନ୍ତି। ସୁପ୍ରିମକୋର୍ଟରେ ଇଭିଏମ-ଭିଭିପିଏଟି ମାମଲାର ଶୁଣାଣି କାଳରେ ବେଞ୍ଚ ଏହି ନିର୍ଦ୍ଦେଶ ଦେଇଛନ୍ତି। 

ଲାଇଭ ଲ ରିପୋର୍ଟ ଅନୁସାରେ ଏହି ମାମଲାରେ ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ (ଏଡିଆର) ପକ୍ଷରୁ କୋର୍ଟରେ ଉପସ୍ଥିତ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ଏକ ରିପୋର୍ଟର ଉଦାହରଣ ଦେଇଥିଲେ। ଏହି ରିପୋର୍ଟ ‘ମନୋରନା ଅନଲାଇନ’ରେ ପ୍ରକାଶିତ ହୋଇଛି। ଏଥିରେ କୁହାଯାଇଛି ଯେ କେରଳ କାସୋରଗଡ ନିର୍ବାଚନ ମଣ୍ଡଳିରେ ମକ ପୋଲ କାଳରେ ବିଜେପି ଲାଗି ଏକ୍ସଟ୍ରା ଭୋଟ ରେକର୍ଡ ହୋଇଥିବାର ଅଭିଯୋଗ ହୋଇଛି। 

ରିପୋର୍ଟ ଅନୁସାରେ ଲେଫ୍ଟ ଡେମୋକ୍ରାଟିକ ଫ୍ରଣ୍ଟ ଓ ୟୁନାଇଟେଡ୍ ଡେମୋକ୍ରାଟିକ ଫ୍ରଣ୍ଟ ଉଭୟ ପକ୍ଷରୁ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି ଯେ ଅନୁନ୍ୟ ୪ ଟି ଇଭିଏମରେ ବିଜେପି ଲାଗି ଏକ୍ସଟ୍ରା ଭୋଟ ରେକର୍ଡ ହୋଇଛି। ସୁପ୍ରିମକୋର୍ଟ ଏବେ ଭିଭିପିଏଟି ସ୍ଲିପର ଇଭିଏମ ଭୋଟ ସହିତ ୧୦୦ ପ୍ରତିଶତ ମିଳନକୁ ନେଇ ଦାଖଲ ହୋଇଥିବା ପିଟିସନ ଉପରେ ଶୁଣାଣି କରୁଛନ୍ତି। ଗୁରୁବାର ଏହି ଶୁଣାଣିର ଦ୍ୱିତୀୟ ଦିନ ଥିବା ବେଳେ ସୁପ୍ରିମକୋର୍ଟ ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ୍ଣ ପାରଦର୍ଶି ହେବା ଦରକାର ଓ ଏହାକୁ ନେଇ କାହା ମନରେ କୌଣସି ପ୍ରକାର ସନ୍ଦେହ ନ ରହେ ବୋଲି କହିଛନ୍ତି।   

ଶୁଣାଣିରେ ଭିଭିପିଏଟି ସ୍ଲିପସ୍‌ର ମିଳନକୁ ନେଇ ଆବେଦନକାରୀଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ତର୍କ ଦିଆଯାଇଥିଲା। ଏଥିରେ ସେମାନେ ଭିଭିପିଏଟି ସ୍ଲିପକୁ ଭୋଟର ସାଙ୍ଗରେ ନେବା ଲାଗି ଅଧିକାର ମିଳିବା ଦରକାର ବୋଲି ମଧ୍ୟ ତର୍କ କରିଛନ୍ତି। ସେହିପରି ଭିଭିପିଏଟି ମେସିନରେ ଲାଗିଥିବା କାଚ କଳା ବୋଲି ଅଭିଯୋଗ ହୋଇଥିଲା ଏହା ପାରଦର୍ଶି ହେବା ଦରକାର ବୋଲି ମଧ୍ୟ ତର୍କ ଦିଆଯାଇଛି। ଅନ୍ୟପଟେ ନିର୍ବାଚନ ଆୟୋଗ ଇଭିଏମର ପ୍ରୋଗ୍ରାମ ମେମୋରି ସହିତ କୌଣସି ପ୍ରକାର ଟାମ୍ପର ହୋଇ ପାରିବନି ବୋଲି କହିଛନ୍ତି। ସେହିପରି ଆୟୋଗ କହିଛନ୍ତି ଯେ ସବୁ ଇଭିଏମର ମକ ପୋଲ ହୁଏ ଓ କୌଣସି ପ୍ରାର୍ଥୀ ଚାହିଁଲେ ୫ ପ୍ରତିଶତ ଭୋଟ ମିଳାଇ ପାରନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.