ନୂଆଦିଲ୍ଲୀ: କେନ୍ଦ୍ର ସରକାର ପୁରୁଣା ପେନସନ ଯୋଜନା ଲାଗୁ କରିବା ବଦଳେ ଏନପିଏସ୍ ରେ ସୁଧାର କରି ନୂଆ ପେନସନ ଯୋଜନା ୟୁନିଫାଏଡ ପେନସନ ସ୍କିମ (ୟୁପିଏସ୍) ଘୋଷଣା କରିଛନ୍ତି। ଅଧିକାଂଶ କର୍ମଚାରୀ ସଙ୍ଗଠନ ୟୁପିଏସକୁ ଏବେ ବିରୋଧ କରୁଛନ୍ତି। କେନ୍ଦ୍ରର ବଡ଼ ବଡ଼ କର୍ମଚାରୀ ସଙ୍ଗଠନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପତ୍ର ଲେଖି ୟୁପିଏସ୍କୁ ବିରୋଧ କରିଛନ୍ତି। ଏହି କର୍ମଚାରୀ ସଙ୍ଗଠନମାନେ ଏବେ ବିରୋଧୀ ଦଳଙ୍କୁ ସାଙ୍ଗରେ ନେଇ କେନ୍ଦ୍ର ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି।
କର୍ମଚାରୀ ସଙ୍ଗଠନମାନେ ଆଶା କରୁଛନ୍ତି ଏହା ଦ୍ୱାରା ସରକାର ଖୁବ୍ ଶୀଘ୍ର ଚାପରେ ଆସିବେ ଓ ଦେଶରେ ପୁରୁଣା ପେନସନ ସ୍କିମ ଲାଗୁ କରିବେ। ଏନଏମଓପିଏସ୍ ଜାତୀୟ ସଭାପତି ବିଜୟ କୁମାର ବନ୍ଧୁ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖି ସାରା ଦେଶର ସରକାରୀ କର୍ମଚାରୀ ଓ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳ ଜବାନ ପୁରୁଣା ପେନସନ ଲାଗୁ ପାଇଁ ଦାବି କରୁଥିବା ଜଣାଇଛନ୍ତି। ସେହିପରି ଅଖିଳ ଭାରତୀୟ ରକ୍ଷା କର୍ମଚାରୀ ମହାସଂଘ (ଏଆଇଡିଇଏଫ) ସାଧାରଣ ସମ୍ପାଦକ ସି. ଶ୍ରୀକୁମାର ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ଏ ନେଇ ପତ୍ର ଲେଖିଛନ୍ତି।
କର୍ମଚାରୀ ନେତାମାନେ କହିଛନ୍ତି ଯେ ଦେଶରେ ସରକାରୀ କର୍ମଚାରୀ ପୁରୁଣା ପେନସନ ଯୋଜନା ଲାଗି ଦ୍ୱିତୀୟବାର ଆନ୍ଦୋଳନ ଆରମ୍ଭ କରିସାରିଲେଣି। କର୍ମଚାରୀ ନେତାମାନେ କହିଛନ୍ତି ଯେ ସରକାର ଯେଉଁ ଯୋଜନା ଆଣନ୍ତୁ ନା କାହିଁକି ପୁରୁଣା ପେନସନ ଯୋଜନାର ସ୍ଥାନ ନେଇ ପାରିବନି। ଏଣୁ ସବୁ କର୍ମଚାରୀ ପୁରୁଣା ପେନସନ ଯୋଜନା ଲାଗୁ କରିବାକୁ ଦାବି କରୁଛନ୍ତି। କାରଣ ଜନକଲ୍ୟାଣ ଦେଶରେ ସାମାଜିକ ସୁରକ୍ଷା ସରକାରଙ୍କ ଦାୟିତ୍ୱ ବୋଲି କହିଛନ୍ତି।