ଚୀନ ସହ ଜଡ଼ିତ ନିବେଶର ଯାଞ୍ଚ ହେବା ଦରକାର, ସୀମାରେ ଉତ୍ତେଜନା ଭିତରେ ଜୟଶଙ୍କର ଦେଲେ ବଡ଼ ବୟାନ

Published By : Prameya-News7 Bureau | August 31, 2024 IST

ନୂଆଦିଲ୍ଲୀ: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କର ଚୀନ ସହ ଭାରତର ଜଟିଳ ସମ୍ପର୍କ ଉପରେ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ କେବଳ ଭାରତ ଏକମାତ୍ର ଦେଶ ନୁହେଁ ଯାହାର ଚୀନ ସହ ସମସ୍ୟା ରହିଛି । ନୂଆଦିଲ୍ଲୀରେ ଏକ ଅଧିବେଶନକୁ ସମ୍ୱୋଧିତ କରି ଜୟଶଙ୍କର କହିଛନ୍ତି ଯେ ଆମ ପାଇଁ ସୀମାରେ ଆହ୍ୱାନ ବ୍ୟତୀତ ଚୀନ ମଧ୍ୟ ଏକ ଜଟିଳ ସମସ୍ୟା ଅଟେ । କିନ୍ତୁ ଚୀନ ଉପରେ ଆଲୋଚନା କରିବାରେ ବିଶ୍ୱରେ ଆମେ ଏକମାତ୍ର ଦେଶ ନାହୁଁ । ୟୁରୋପ ଯାଇ ପଚାରନ୍ତୁ ଆଜି ସେମାନଙ୍କ ପ୍ରମୁଖ ଆର୍ଥିକ କିମ୍ୱା ରାଷ୍ଟ୍ରୀୟ ସୁରକ୍ଷା ମୁଦ୍ଦା କଣ ? ଏହା ଚୀନ ଅଟେ । ଆମେରିକା ବି ଚୀନକୁ ନେଇ ସତର୍କ ରହିଛି । ଜୟଶଙ୍କର ଏହା ଉପରେ ମଧ୍ୟ ଜୋର ଦେଇ କହିଛନ୍ତି ଯେ ଭାରତରେ ଚୀନ ସହ ଜଡ଼ିତ ନିବେଶର ସମୀକ୍ଷା ହେବା ଦରକାର ।

ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କର ଯେ କହିଛନ୍ତି ଯେ ଭାରତର ସମସ୍ୟ ଚୀନ ସହ ରହିଛି, ଯାହା ବୈଶ୍ୱିକ ଚିନ୍ତାରୁ ମଧ୍ୟ ଉପରେ ରହିଛି । ସେ କହିଛନ୍ତି, 'ଦଶନ୍ଧି ପୂର୍ବେ ଦୁନିଆ ଚୀନଠାରୁ ହେବାକୁ ଥିବା ସମସ୍ୟାକୁ ଅଣଦେଖା କରିଥିଲା । ଏବେ ସବୁ ଦେଶକୁ ସମସ୍ୟାର ସାମନା କରିବାକୁ ପଡ଼ୁଛି । ଭାରତକୁ ଚୀନ ସହ ଖାସ୍ ସମସ୍ୟା ରହିଛି, ଯାହା ଦୁନିଆର ଅନ୍ୟ ସମସ୍ୟାଠାରୁ ଉପରେ ରହିଛି । ଏହି ସ୍ଥିତିକୁ ଦେଖି, ଭାରତ ସତର୍କ ରହିବା ଦରକାର ।' 

ଚୀନରୁ ଆସୁଥିବା ନିବେଶ ଉପରେ ଚିନ୍ତା ବ୍ୟକ୍ତ କରି ଜୟଶଙ୍କର କହିଛନ୍ତି, 'ଚୀନରୁ କେବେବି ନିବେଶ ନେବା ନାହିଁ, କିମ୍ୱା ଚୀନ ସହ ବ୍ୟବସାୟ କରିବା ନାହିଁ ବୋଲି ସରକାରଙ୍କ ପକ୍ଷ ନୁହେଁ । କିନ୍ତୁ ନିବେଶ ମାମଲାରେ ଏହା ସାମାନ୍ୟ ଜ୍ଞାନ ଯେ ଚୀନରୁ ଆସୁଥିବା ନିବେଶର ଯାଞ୍ଚ ହେବା ଦରକାର । ଭାରତ-ଚୀନ ମଧ୍ୟରେ ଥିବା ସମ୍ପର୍କର ସ୍ଥିତି ବର୍ତ୍ତମାନ ଏହା ହିଁ ଦାବି କରୁଛି ।' ଜୟଶଙ୍କର ନିବେଶ ମଞ୍ଜୁରି ପୂର୍ବରୁ ସତର୍କତା ସହ ଯାଞ୍ଚ ଉପରେ ଜୋର ଦେଇ କହିଛନ୍ତି ଅନ୍ୟ ଦେଶ ପରି ଚୀନର ନିବେଶ ଉପରେ ଯାଞ୍ଚ କରାଯାଉଛି ଏବଂ ଏହାର ସ୍ତର ଅଲଗା ହୋଇପାରେ । ଜୟଶଙ୍କର କହିଛନ୍ତି, 'ମୁଁ ନିବେଶ ଏବଂ ବିକାଶର ପକ୍ଷରେ, କିନ୍ତୁ ଏଥିରେ ସନ୍ତୁଳନ ରହିବା ଦରକାର ।'   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.