News7 Logo

୫୦ ଟଙ୍କା ଲାଞ୍ଚ ଅଭିଯୋଗ ଓ ୨୭ ବର୍ଷ ପରେ ରାୟ...ଅଭିଯୁକ୍ତକୁ ଦୋଷମୁକ୍ତ କଲେ ସୁପ୍ରିମକୋର୍ଟ

NEWS7
supreme court

ନୂଆଦିଲ୍ଲୀ: ଦୁର୍ନୀତି ନିବାରଣ ଆଇନ ସହିତ ଜଡିତ ଏକ ମାମଲାରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ ଅଭିଯୁକ୍ତ କନଷ୍ଟେବଳଙ୍କୁ ଦୋଷମୁକ୍ତ କରିଛନ୍ତି । ଏହା ସହ କନଷ୍ଟେବଳଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ଗୁଜରାଟ ହାଇକୋର୍ଟଙ୍କ ରାୟକୁ ରଦ୍ଦ କରିଛନ୍ତି । ଏହି ଆଇନଗତ ଲଢ଼େଇ ଗତ ୨୭ ବର୍ଷ ଧରି ଚାଲିଥିଲା ବେଳେ ମାମଲାଟି ୫୦ ଟଙ୍କା ଲାଞ୍ଚ ନେବା ଉପରେ ଥିଲା । ଅଭିଯୁକ୍ତ କନଷ୍ଟେବଳ ଅସଗର ଅଲି ସୟଦ ଘଟଣା ସମୟରେ ଗୁଜରାଟ ଟ୍ରାଫିକ ପୋଲିସରେ ଜଣେ କନଷ୍ଟେବଳ ଥିଲେ ।

ମାମଲା ଅନୁଯାୟୀ, ୧୯୯୮ ଜୁଲାଇରେ ଦୁର୍ନୀତି ନିବାରଣ ବ୍ୟୁରୋ ଖେଡା ଜିଲ୍ଲାରେ ଟ୍ରକ୍ ଡ୍ରାଇଭରଙ୍କଠାରୁ ୫୦ ଟଙ୍କା ଲାଞ୍ଚ ନେବା ମାମଲାରେ ଏକ ଟ୍ରାପ୍ ଅପରେସନ୍ କରିଥିଲା । ଏହି ସମୟରେ ଜଣେ ବ୍ୟକ୍ତି ୫୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ । ବ୍ୟକ୍ତି ଜଣକ କହିଥିଲେ, ପୋଲିସ ଜିପ୍ ପାଖରେ ଠିଆ ହୋଇଥିବା ତିନି ଜଣ ପୋଲିସ ତାଙ୍କୁ ୫୦ ଟଙ୍କା ନେବାକୁ କହିଥିଲେ । କିନ୍ତୁ, ୨୦୦୫ରେ ପ୍ରମାଣ ଏବଂ ସାକ୍ଷୀଙ୍କ ଅଭାବରେ ଟ୍ରାଏଲ୍ କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ।

ଗୁଜରାଟ ହାଇକୋର୍ଟ ସେପ୍ଟେମ୍ବର ୨୦୧୮ରେ ଆବେଦନର ଶୁଣାଣି କରି କେବଳ ଅଭିଯୁକ୍ତ ନମ୍ବର-୨ ଅର୍ଥାତ୍ ଅସଗରଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଅନ୍ୟ ଦୁଇ ପୋଲିସ କର୍ମଚାରୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ । ତେବେ ୫୦ ଟଙ୍କା ନେଇଥିବା ଅଭିଯୁକ୍ତଙ୍କ ମୃତ୍ୟୁ ହୋଇସାରିଥିଲା । ଅସଗରଙ୍କୁ ଏକ ବର୍ଷ ଜେଲଦଣ୍ଡ ଦିଆଯାଇଥିଲା । ଏହି ମାମଲାରେ, କନଷ୍ଟେବଳ ସୁପ୍ରିମକୋର୍ଟରେ ଆବେଦନ ଦାଖଲ କରିଥିଲେ । କିନ୍ତୁ ଡିସେମ୍ବର ୨୦୧୮ରେ, ସୁପ୍ରିମକୋର୍ଟ ଚାରି ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଜାନୁଆରୀ ୨୦୧୯ରେ, ସୁପ୍ରିମକୋର୍ଟ ଜାମିନରେ ମୁକ୍ତ କରିଥିଲେ ।

ଏବେ ସୁପ୍ରିମକୋର୍ଟ ବିଚାରପତି ଏମ୍ଏମ୍ ସୁନ୍ଦରେଶ ଏବଂ ବିଚାରପତି ସତୀଶ ଚନ୍ଦ୍ର ଶର୍ମାଙ୍କ ଖଣ୍ଡପୀଠ ଅସଗରଙ୍କୁ ଦୋଷମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୁକ୍ତଙ୍କ ଓକିଲ ରାଜୀବ କୁମାର ଯୁକ୍ତି ଦର୍ଶାଇଥିଲେ ଯେ ଉଭୟ ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କୁ ହାଇକୋର୍ଟ ନିର୍ଦ୍ଦୋଷରେ ଖଲାସ କରିଥିଲେ, କିନ୍ତୁ ତାଙ୍କ ମହକିଲଙ୍କୁ ଦଣ୍ଡିତ କରାଯାଇଥିଲା । ଏହି ମାମଲାରେ ଅଭିଯୁକ୍ତ ଅସଗରଙ୍କଠାରୁ ଟଙ୍କା ମିଳି ନଥିଲା ଏବଂ ତାଙ୍କର ଅବସ୍ଥା ମଧ୍ୟ ଅନ୍ୟ ଦୁଇ ପୋଲିସ କର୍ମଚାରୀଙ୍କ ପରି ଥିଲା । ସମାନତା ଆଧାରରେ, ଅସଗର ଅଲିଙ୍କୁ ମଧ୍ୟ ସମାନ ଆଶ୍ୱସ୍ତି ମିଳିବା ଉଚିତ ।

ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଆବେଦନକାରୀଙ୍କ ପରିସ୍ଥିତି ଅନ୍ୟ ଅଭିଯୁକ୍ତଙ୍କ ପରି ଏବଂ ତାଙ୍କ ବିରୁଦ୍ଧରେ କୌଣସି ଠୋସ୍ ପ୍ରମାଣ ନାହିଁ । ଟଙ୍କା ଅଭିଯୁକ୍ତ ନମ୍ବର-୪ ନେଇଯାଇଥିଲା ଏବଂ ସେ ଆଉ ଜୀବିତ ନାହାନ୍ତି । ତେଣୁ, କେବଳ ଆବେଦନକାରୀଙ୍କୁ ଦୋଷ ଦେବା ତାଙ୍କ ପ୍ରତି ପକ୍ଷପାତିତା । କୋର୍ଟ କହିଛନ୍ତି ଯେ ଟ୍ରାଏଲ୍ କୋର୍ଟ ଦ୍ୱାରା ଦିଆଯାଇଥିବା ଦୋଷମୁକ୍ତ ଆଦେଶକୁ କାର୍ଯ୍ୟକାରୀ କରାଯାଉଛି । ହାଇକୋର୍ଟଙ୍କ ନିଷ୍ପତ୍ତିକୁ ରଦ୍ଦ କରାଯାଉଛି ଏବଂ ଆବେଦନକୁ ମଞ୍ଜୁର କରାଯାଉଛି ।