• ଋଷିଆ ଓ ସାଉଦୀ ଆରବରୁ ଭାରତ ନିଜ ଆବଶ୍ୟକତାର ୪୦-୫୦% ଆମଦାନୀ କରୁଥିଲା
  • ଋଷିଆରୁ ତୈଳ ପରିବହନ ଖର୍ଚ୍ଚ ଗତ ମାସ ମାନଙ୍କରେ ୧୦ରୁ ୧୫% ବଢିଛି
  • ଗଲ୍ଫରୁ ଅଶୋଧିତ ତୈଳ ପରିବହନ ମଧ୍ୟ ୬ ପ୍ରତିଶତ ମହଙ୍ଗା ହୋଇଛି। 

ନୂଆଦିଲ୍ଲୀ: ସାଉଦୀ ଆରବର ଇଷ୍ଟ-ୱେଷ୍ଟ ପାଇପଲାଇନ ଓ ଋଷିଆର ପ୍ରମୁଖ ରଫାଇନାରୀଙ୍କ ଉପରେ ନିକଟରେ ହୋଇଥିବା ଆକ୍ରମଣ ଭାରତର ତୈଳ ଯୋଗାଣ ବ୍ୟବସ୍ଥା ଉପରେ ଚାପ ସୃଷ୍ଟି କରିଛି। ଗତ ମାସ ମାନଙ୍କରେ ଭାରତ ଉଭୟ ଦେଶରୁ ନିଜର ମୋଟ ଆବଶ୍ୟକତାର ୪୦-୫୦% ଆମଦାନୀ କରୁଥିଲା। ତେବେ ଗତ ସେପ୍ଟେମ୍ବର ୧୦-୧୧ ତାରିଖରେ ଇରାକ ପଟୁ ହୋଇଥିବା ଡ୍ରୋନ ଆକ୍ରମଣରେ ପାଇପଲାଇନ ପମ୍ପିଙ୍ଗ ଷ୍ଟେସନ କ୍ଷତିଗ୍ରସ୍ତ ହୋଇଛି। ଏଣୁ ସାଉଦୀ ପାଇପଲାଇନରେ ତୈଳ ଯୋଗାଣ ବନ୍ଦ କରିଦେଇଛି।

ସେହିପରି ୧୯-୨୦ ସେପ୍ଚେମ୍ବରରେ ୟୁକ୍ରେନ ଏକ ସଙ୍ଗରେ ୧ ହଜାର ଡ୍ରୋନ ଆକ୍ରମଣ କରି ଋଷିଆର ମସ୍କୋ ରିଫାଇନାରୀରେ ପ୍ରୋସେସିଂ ୟୁନିଟ୍ ନଷ୍ଟ କରିଦେଇଛି। ଏହା ପରଠାରୁ ଋଷିଆ ନିଜର ସବୁ ତୈଳ ଓ ଗ୍ୟାସ୍ ପ୍ରତିଷ୍ଠାନ ସାଙ୍ଗକୁ ବନ୍ଦରଙ୍କ ସମୀକ୍ଷା ଆରମ୍ଭ କରିଛି। ଏଣୁ ଋଷିଆର ତୈଳ କାରବାର ସୀମିତ ହୋଇଯାଇଛି। ଏମିତିରେ ଆମେରିକା କଟକଣା କାରଣରୁ ଋଷିଆରୁ ଭାରତର ତୈଳ ଆମଦାନୀ ଉପରେ ଖଣ୍ଡା ଝୁଲୁଥିଲା, ଏବେ ୟୁକ୍ରେନର ଆକ୍ରମଣ ଯୋଗୁ ଅନିଶ୍ଚିତତା ଆହୁରି ଗଭୀର ହୋଇଛି।

ତୈଳ ଉଦ୍ୟୋଗ ବିଶେଷଜ୍ଞଙ୍କ ଅନୁସାରେ ହର୍ମୁଜ ପ୍ରଣାଳୀ ବାଧିତ ହେବା ପରେ ସାଉଦୀ ଆରବ ପାଇପଲାଇନ ମାଧ୍ୟମରେ ପୁରୁଣା ରାଜିନାମା ମୁତାବକ ତୈଳ ବିକ୍ରୟ କରୁଥିଲା। ହେଲେ ତାଜା ଘଟଣାକ୍ରମ ପରେ ସାଉଦୀ ଆରାମକୋ ଭାରତୀୟ ରିଫାଇନାରୀଙ୍କୁ ଟର୍ମ ସପ୍ଲାଇ ଅଟକାଇ ଦେଇଛି। ଭାରତକୁ ତୈଳ ଯୋଗାଣରେ ଅନିଶ୍ଚିତତା ସ୍ପଷ୍ଟ ହେବାକୁ କିଛି ସପ୍ତାହ ସମୟ ଲାଗିପାରେ। କାରଣ ସାଉଦୀ ଆରବର କ୍ଷତିଗ୍ରସ୍ତ ପ୍ରତିଷ୍ଠାନଗୁଡିକୁ ଠିକ୍ କରିବାରେ ୪ରୁ ୬ ସପ୍ତାହ ସମୟ ଲାଗି ପାରେ। ସାଉଦୀ ଆରବ ଭଳି ଋଷିଆର ରିଫାଇନିଂ କ୍ଷମତା ହ୍ରାସ ସହ ରପ୍ତାନୀ ଉପଲବ୍ଧତା ମଧ୍ୟ କମିଛି। ତଥାପି ଭାରତ ଲାଗି ଋଷିଆ ଏବେବି ସବୁଠୁ ବଡ଼ ସପ୍ଲାୟର ହୋଇ ରହିଛି, ହେଲେ ଲୋଡିଂ ହ୍ରାସ ହୋଇଛି।

ତେବେ ବିକଳ୍ପ ସପ୍ଲାଇ ୟୁଏଇ, ଇରାକ୍, ପଶ୍ଚିମ ଆଫ୍ରିକା ଓ ଭେନେଜୁଏଲାରୁ ଉପଲବ୍ଧ ରହିଛି। ହେଲେ ପରିବହନ ଖର୍ଚ୍ଚ ଯୋଗୁ ଏହା ବହୁତ ମହଙ୍ଗା ପଡୁଛି। ପଶ୍ଚିମ ଏସିୟା ପରିସ୍ଥିତି ପୁଣି ବିଗିଡିବା ଆଶଙ୍କାରେ ତୈଳ ଆମଦାନୀ କମ୍ପାନୀଙ୍କୁ ପରିବହନ ଲାଗି ଜାହାଜ ମିଳିବାରେ ଅସୁବିଧା ହେଉଛି। ଯେଉଁ ଜାହାଜ ମିଳୁଛନ୍ତି ତାର ଭଡ଼ା ଓ ବୀମା ପ୍ରିମିୟମ ଚଢା ରହୁଛି। ଅନ୍ତର୍ଜାତୀୟ ଅଶୋଧିତ ତୈଳ ଟ୍ୟାଙ୍କର ଭଡ଼ା ଭାରତ ଆସୁଥିବା ରୁଟରେ ବେଶ୍ ବଢି ଯାଇଛି। ଏବେ ଗଲ୍ଫରୁ ଅଶୋଧିତ ତୈଳ ପରିବହନ କରୁଥିବା ବିଶାଳକାୟ ଜାହାଜ (୨୦ ଲକ୍ଷ ବ୍ୟାରଲ ପରିବହନ କ୍ଷମତା) ଭଡ଼ା ସେପ୍ଟେମ୍ବର ୧୪ରୁ ପ୍ରତି ଟନ ୬୧-୬୨ ଡଲାରକୁ ପହଞ୍ଚି ଯାଇଛି। ଯାହା ଗତମାସରେ ଟନ ପିଛା ୩୪.୬ ଡଲାର ଥିଲା ଓ ଫେବୃଆରୀର ଟନ ପିଛା ୧୦.୬ ଡଲାର ଥିଲା।

ସେହିପରି ଋଷିଆରୁ ତୈଳ ପରିବହନ ଖର୍ଚ୍ଚ ଗତ ମାସ ମାନଙ୍କରେ ୧୦ରୁ ୧୫% ବଢିଛି। ହେଲେ ଏବେ ଭାରତୀୟ ରିଫାଇନରଙ୍କ ନିକଟରେ ପର୍ଯ୍ୟାପ୍ତ ଷ୍ଟକ୍ ରହିଛି। ବିଭିନ୍ନ ସ୍ରୋତରୁ ତୈଳ କ୍ରୟ ପାଇଁ ଭାରତର ନୀତି ଏଥିରେ ବେଶ୍ ସହାୟକ ସାବ୍ୟସ୍ତ ହୋଇଛି। କିନ୍ତୁ ଲଗାତର ବଢୁଥିବା ଖର୍ଚ୍ଚ ଓ ପ୍ରମୁଖ ଯୋଗାଣକାରୀ ଦେଶଙ୍କ କ୍ଷମତା ପ୍ରଭାବିତ ହେବା ଏବେ ନୂଆ ବିକ୍ରେତାଙ୍କ ଠାରୁ ଯୋଗାଣ ବଢାଇବାକୁ ବାଧ୍ୟ କରୁଛି। ସରକାରୀ ତଥ୍ୟ ମୁତାବକ ମାର୍ଚ୍ଚ-ଅଗଷ୍ଟ ଅବଧିରେ ୩୧ ଦେଶରୁ ତୈଳ ଓ ଗ୍ୟାସ୍ କ୍ରୟ କରାଯାଇଛି।

ଭାରତୀୟ କ୍ରୁଡ ବାସ୍କେଟର ମୂଲ୍ୟ ଜୁନରେ ବ୍ୟାରଲ ପିଛା ହାରାହାରି ୮୩.୨୨ ଡଲାର, ଜୁଲାଇରେ ୮୨.୦୪ ଡଲାର, ଅଗଷ୍ଟରେ ୯୦.୧୯ ଡଲାର ଓ ସେପ୍ଟେମ୍ବରରେ କିଛି ଦିନ ୧୧୧ ଡଲାର ଓ ଏବେ ୧୩୧ ଡଲାର ପ୍ରତି ବ୍ୟାରଲ ପହଞ୍ଚି ଯାଇଛି। ପରିସ୍ଥିତି ଯଦି ଏପରି ଜଟିଳ ରହିଲା ତେବେ ବିଳମ୍ବରେ ହେଲେ ବି ଏହାର ପ୍ରଭାବ ଖାଉଟିଙ୍କ ଉପରେ ପଡିପାରେ। ତେବେ ଆଗାମୀ ୫-୬ ମାସରେ ଉତ୍ତରପ୍ରଦେଶ ସମେତ କିଛି ରାଜ୍ୟରେ ହେବାକୁ ଥିବା ନିର୍ବାଚନ ଯୋଗୁ ତତ୍କାଳ ମୂଲ୍ୟ ବୃଦ୍ଧି ସମ୍ଭାବନା କମ୍ ବୋଲି କୁହାଯାଉଛି।