ହାଇଦ୍ରାବାଦ: ଆଇପିଏଲ୍ ୨୦୨୪ର ୬୯ତମ ମ୍ୟାଚ୍ରେ ଦେଖିବାକୁ ମିଳିଛି ସନରାଇଜର୍ସ ହାଇଦ୍ରାବାଦ ବ୍ୟାଟରଙ୍କ ଜଲଓ୍ଵା। ହାଇଦ୍ରାବାଦରେ ଖେଳାଯାଇଥିବା ନିଜର ଶେଷ ମ୍ୟାଚ୍ରେ ହାଇଦ୍ରାବାଦ ପଞ୍ଜାବ କିଙ୍ଗ୍ସକୁ ୪ ଓ୍ଵିକେଟ୍ରେ ହରାଇ ପ୍ଲେ ଅଫ୍ ପୂର୍ବରୁ ନିଜର ମନୋବଳ ଦୃଢ କରିଛି। ଅଭିଷେକ ଶର୍ମାଙ୍କ ବିସ୍ଫୋରକ ୬୬ ରନ ଓ ହେନରିକ କ୍ଲାସେନଙ୍କ ୪୨ ରନ ଧୂଆଁଧାର ଇନିଂସ ବଳରେ ପଞ୍ଜାବ ଦ୍ଵାରା ଧାର୍ଯ୍ୟ ୨୧୫ ରନର ବିଶାଳ ବିଜୟ ଲକ୍ଷ୍ୟକୁ ୧୯.୧ ଓଭରରେ ହାଇଦ୍ରାବାଦ ହାସଲ କରି ନେଇଛି ଏସଆରଏଚ। ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ପ୍ରଭସିମରନ ସିଂଙ୍କ ୭୧ ରନ, ରିଲି ରସୋଙ୍କ ୪୯ ଓ ଅଥର୍ଭ ତାଇଡେଙ୍କ ୪୬ ରନର ଦମଦାର ବ୍ୟାଟିଂ ବଳରେ ୫ ଓ୍ଵିକେଟ୍ ହରାଇ ୨୧୪ ରନ କରିଥିଲା। ହେଲେ ବୋଲରଙ୍କ ବିଫଳତା ଯୋଗୁଁ ପରାଜୟ ସହ ଲିଗ୍ ପର୍ଯ୍ୟାୟ ଶେଷ କରିଛି ପଞ୍ଜାବ। ଅନ୍ୟପଟେ ହାଇଦ୍ରାବାଦ ୧୭ ପଏଣ୍ଟ ସହ ଅଙ୍କ ତାଲିକାର ୨ୟ ସ୍ଥାନରେ ରହିଛି।
୨୧୫ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ହାଇଦ୍ରାବାଦକୁ ପ୍ରଥମ ବଲ୍ରେ ହିଁ ତୀବ୍ର ଝଟକା ଲାଗିଥିଲା। ଟ୍ରେଭିସ୍ ହେଡ୍ ଖାତା ଖୋଲି ପାରି ନ ଥିଲେ। ଏହା ପରେ ଅଭିଷେକ ଶର୍ମା ଓ ରାହୁଲ ତ୍ରିପାଠୀ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଉଭୟ ମାତ୍ର ୨୯ ବଲ୍ରେ ୭୨ ରନ ଯୋଡ଼ି ବିଜୟର ମୂଳଦୁଆ ପକାଇଥିଲେ। ରାହୁଲ ୧୮ ବଲରୁ ୩୩ ରନ କରିଥିଲେ। ଅନ୍ୟପଟେ ଅଭିଷେକ ଶର୍ମା ଧୂଆଁଧାର ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୨୮ ବଲ୍ରୁ ୫ ଚୌକା ଓ ୬ ଛକା ସହ ୬୬ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ।
ମଧ୍ୟକ୍ରମରେ ନୀତିଶ ରେଡ୍ଡୀ ଓ ହେନରିକ କ୍ଲାସେନ ଦଳର ରନ ଗତିକୁ ବଜାୟ ରଖିଥିଲେ। ଉଭୟ ୪୭ ରନ ଯୋଡ଼ିଥିଲେ। ନୀତିଶ ରେଡ୍ଡୀ ୩୭ ରନ କରିଥିବା ବେଳେ କ୍ଲାସେନ ୨୬ ବଲରୁ ୪୨ ରନର ଦ୍ରୁତ ବ୍ୟାଟିଂ କରି ଦଳକୁ ବିଜୟର ଦ୍ଵାର ଦେଶରେ ପହଞ୍ଚାଇଥିଲେ। ଅବଦୁଲ ସାମଦ(୧୧) ଓ ସନବୀର ସିଂ(୬) ଦୁଇ ବ୍ୟାଟର ଅପରାଜିତ ରହି ବିଜୟ ଔପଚାରିକତା ପୂରଣ କରିଥିଲେ। ଆଉ ଫେଲ୍ ମାରିଥିଲା ପଞ୍ଜାବର ସବୁ ରଣନୀତି। ୧୯.୧ ଓଭରରେ ହାଇଦ୍ରାବାଦ ୬ ଓ୍ଵିକେଟ୍ ହରାଇ ୨୧୫ ରନର ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ବୋଲିଂରେ ପଞ୍ଜାବ ପକ୍ଷରୁ ଅର୍ଶଦୀପ ସିଂ ଓ ହର୍ଷଲ ପଟେଲ୍ ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ।