ନୂଆଦିଲ୍ଲୀ, ୧୮|୧୧: ଭାରତୀୟ କ୍ରିକେଟର ଏବେ ପେସ୍ ବୋଲିଂର ସାମ୍ନା କରିବାକୁ ପସନ୍ଦ କରୁଛନ୍ତି । ସ୍ପିନ ବିରୋଧରେ ସେମାନେ ଭଲ ପ୍ରଦର୍ଶନ କରିପାରୁ ନାହାନ୍ତି । ପୂର୍ବତନ ଖେଳାଳି ଆର ଅଶ୍ୱୀନଙ୍କ ଏପରି ବୟାନକୁ ନେଇ ଟିମ୍ ଇଣ୍ଡିଆରେ ଚର୍ଚ୍ଚା ଜୋର୍ ଧରିଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ମ୍ୟାଚ୍ ହାରିବା ପରେ ଭିଡିଓରେ ପ୍ରତିକ୍ରିୟା ଦେଇ ଖେଳାଳିଙ୍କ ସ୍ପିନ ଖେଳିବା ମାନସିକତା ବାବଦରେ ମତ ଦେଇଥିଲେ ଅଶ୍ୱୀନ।

ଅଶ୍ୱୀନ କହିଥିଲେ ଯେ, କିଛି ୟୁରୋପୀୟ ଖେଳାଳି ଭାରତୀୟ ଖେଳାଳିଙ୍କ ଅପେକ୍ଷା ଭଲ ସ୍ପିନ୍ ଖେଳନ୍ତି । ଯାହାକୁ ସମର୍ଥନ କରିଛନ୍ତି ଭେଟାରନ କ୍ରିକେଟର ସୁନୀଲ ଗାଭାସ୍କର । ନିକଟରେ ଅଶ୍ୱୀନ କହିଥିଲେ ଯେ, ଆମେ ଏବେ ଭଲ ସ୍ପିନ୍ ଖେଳୁଥିବା ଟିମ୍ ନୁହେଁ । ଅନେକ ଟିମ୍ ଏବେ ଭାରତଠୁ ଭଲ ସ୍ପିନ୍ ଖେଳୁଛନ୍ତି । ସେମାନେ ଭାରତ ଆସିବା ପରେ ସ୍ପିନ୍ ଖେଳରେ ସୁଧାର ଆସିଛି । ଭାରତୀୟ ସ୍ପିନରଙ୍କୁ ମୁକାବିଲା ପାଇଁ ଅନେକ ଅଭ୍ୟାସ କରୁଛନ୍ତି । କିନ୍ତୁ ପେସକୁ ସାମ୍ନା କରିବାରେ ଭାରତ ଆଗରେ ରହିଛି । ଅନ୍ୟ ଜାଗାରେ ଭାରତୀୟ ବ୍ୟାଟର ପେସ ବୋଲିଂକୁ ଚ୍ୟାଲେଂଜ୍ ଭାବି ଭଲ ଖେଳୁଛନ୍ତି ।

ଏହି ପ୍ରସଙ୍ଗରେ ଗାଭାସ୍କର କହିଛନ୍ତି ଯେ, ଭାରତୀୟ ଖେଳାଳି ବର୍ତ୍ତମାନ ରଣଜୀ ଖେଳିବାକୁ କୁଣ୍ଠାବୋଧ କରୁଛନ୍ତି । ସମୟ ଥିଲେ ବି ଟୁର୍ଣ୍ଣାମେଣ୍ଟକୁ ଗୁରୁତ୍ୱ ଦେଉ ନାହାଁନ୍ତି । ତେଣୁ ସ୍ପିନ ପିଚରେ ସେମାନଙ୍କଠୁ ଭଲ ବ୍ୟାଟିଂ ଆଶା କରାଯିବା ଅନାବଶ୍ୟକ । ଜଣେ କି ଦୁଇ ଜଣ ନୁହେଁ ଅନେକ ଖେଳାଳି ଘରୋଇ ମ୍ୟାଚ୍ ଖେଳୁ ନାହାଁନ୍ତି । ଫଳରେ ଦେଶର ବିଭିନ୍ନ ପିଚକୁ ସେମାନେ ବୁଝି ପାରୁ ନାହାଁନ୍ତି ।

ସେ ଆହୁରି କହିଛନ୍ତି ଯେ, ଜଣେ ଖେଳାଳି ସମସ୍ତ ମ୍ୟାଚ୍ ଖେଳିବା ଉଚିତ । ଏଥିରେ ବିଶ୍ରାମର ବାହାନା କରିହେବ ନାହିଁ । ଅଧିକ କାମ ବାହାନାରେ କିଛି ଖେଳାଳି ରଣଜୀ ଖେଳୁ ନାହାଁନ୍ତି । କିନ୍ତୁ ପ୍ରକୃତରେ ସେମାନେ ଘରୋଇ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଇଚ୍ଛା ପ୍ରକଟ କରୁନଥିବା ଗାଭାସ୍କର କହିଛନ୍ତି ।