ବହୁ ଚର୍ଚ୍ଚିତ ଦିବ୍ୟାଙ୍ଗ ସନ୍ତାନକୁ ବୋଝ ଭାବି ହତ୍ୟା ଘଟଣା : ସାବତ ମା’-ବାପାକୁ ଆଜୀବନ କାରାଦଣ୍ଡ

Published By : Prameya-News7 Bureau | April 19, 2024 IST

ବାଲେଶ୍ଵର ୧୯।୪: ବହୁ ଚର୍ଚ୍ଚିତ ନିଜ ଦିବ୍ୟାଙ୍ଗ ସନ୍ତାନକୁ ବୋଝ ଭାବି ହତ୍ୟା ଘଟଣାର ଆସିଲା ରାୟ । ହତ୍ୟାକାରୀ ବାପା ସମେତ ସାବତ ମା’କୁ ଆଜୀବନ କାରାଦଣ୍ଡ । ରାୟ ଶୁଣାଇଛନ୍ତି ବାଲେଶ୍ଵର ଓପିଆଇଡି କୋର୍ଟ ଜଜ୍ ବିଶ୍ୱଜିତ ଦାସ । ହତ୍ୟାକାରୀ ବାପା ଓ ସାବତ ମା’କୁ  ଆଜୀବନ କାରାଦଣ୍ଡ ସହ ଉଭୟଙ୍କୁ ୫ ହଜାର ଟଙ୍କା ଲେଖାଏଁ ଜରିମାନା ଅନାଦେୟ ଅଧିକ ୬ ମାସ ଦଣ୍ଡାଦେଶ । ୧୫ ଜଣ ସାକ୍ଷୀ ଓ ୧୬ଟି ଦଲିଲ ଓ ଦସ୍ତାବିଜକୁ ଆଧାର କରି ଦିବ୍ୟାଙ୍ଗ ଶିଶୁର ବାପା ଗଣେଶ ଜେନା ଓ ସାବତ ମା’ ପ୍ରତିମା ଜେନାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ ।  

ବାଲେଶ୍ଵର ସହଦେବ ଖୁଣ୍ଟା ଥାନା ଅନ୍ତର୍ଗତ ଚାନ୍ଦମାରୀ ପଡିଆ ଅଞ୍ଚଳରେ ଘଟିଥିଲା ଏହି ଘଟଣା । ବାଲେଶ୍ଵର ସହଦେବ ଖୁଣ୍ଟା ଥାନାରେ 5/8/22ରେ କେଶ୍ ନମ୍ବର 259/22 ରେ ଏକ ମାମଲା ରୁଜୁ ହୋଇଥିଲା । ହତ୍ୟାକାରୀ ପୁଅ ଓ ବୋହୂ ନାମରେ ଅଭିଯୋଗ ଆଣିଥିଲେ ଖୋଦ୍ ମୃତ ଦିବ୍ୟାଙ୍ଗ ଶିଶୁପୁତ୍ରର ଜେଜେ ମା’ ଶାନ୍ତିଲତା ଜେନା । ଶିଶୁ ପୁତ୍ରକୁ ହତ୍ୟା ପରେ ସହଦେବ ଖୁଣ୍ଟା ଥାନା ଅଧୀନ ନୁଣିଆ ଝୋଡ଼ି ପୋଲ ତଳକୁ ଫିଙ୍ଗି ଦେଇଥିଲା ବାପା । ଏହି ମାମଲାରେ ସରକାରଙ୍କ ପକ୍ଷରୁ ମୋକଦ୍ଦମା ପରିଚାଳନା କରୁଥିଲେ ସ୍ଵତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.