ନୂଆଦିଲ୍ଲୀ ୨୭।୧୧; ଅଳ୍ପଦିନ ତଳେ ମୁକ୍ତି ପାଇଛି ଫିଲ୍ମ ‘ଧୁରନ୍ଧର’ର ଟ୍ରେଲର୍ । ଆଦିତ୍ୟ ଧର ନିର୍ଦ୍ଦେଶିତ ଏହି ଫିଲ୍ମର ଝଲକ ଦେଖି ଶିହରି ଉଠିଛନ୍ତି ଦର୍ଶକ । ରକ୍ତାକ୍ତ ଦୃଶ୍ୟଗୁଡ଼ିକୁ ନେଇ ଇତିମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଆଲ୍ଲାଉଦ୍ଦିନ ଖିଲଜିଙ୍କ ଚରିତ୍ରରେ ରଣବୀର ଭୀତି ସଞ୍ଚାର କରିଥିଲେ ଠିକ୍ । କିନ୍ତୁ ତାଙ୍କ ପ୍ରଶଂସକମାନଙ୍କ ମତରେ ‘ଧୁରନ୍ଧର’ରେ ରଣବୀର ଯେମିତି ପୂର୍ବାପେକ୍ଷା ଆହୁରି ଭୟଙ୍କର । ଅର୍ଜୁନ ରାମପାଲ, ସଞ୍ଜୟ ଦତ୍ତ, ଆର୍ ମାଧବନଙ୍କ ଭଳି ଅଭିନେତାମାନଙ୍କୁ ମଧ୍ୟ ସଂପୂର୍ଣ୍ଣ ଭିନ୍ନ ରୂପରେ ଦେଖିବାକୁ ମିଳିବ ଏହି ଫିଲ୍ମରେ ।

ଚର୍ଚ୍ଚା ଚାଲିଛି ଏହି ଫିଲ୍ମରେ ଅଭିନୟ କରିଥିବା କଳାକାରମାନଙ୍କୁ କାଳେ ପାରିଶ୍ରମିକ ବାବଦରେ ଯଥେଷ୍ଟ ଅଧିକ ମୂଲ୍ୟ ଦିଆଯାଇଛି । ୨୮୦ କୋଟି ଟଙ୍କା ବଜେଟରେ ନିର୍ମିତ ହୋଇଛି ଏହି ଫିଲ୍ମ । ଲମ୍ବା କେଶ, ରକ୍ତଚକ୍ଷୁ ଓ ଧୂସର ପୋଷାକ । ଏହି ବେଶଭୂଷାରେ ଦେଖିବାକୁ ମିଳିଛନ୍ତି ରଣବୀର ସିଂହ । ସେ ଏହି ଚରିତ୍ର ପାଇଁ ପାରିଶ୍ରମିକ ବାବଦରେ ପ୍ରାୟ ୫୦ କୋଟି ଟଙ୍କା ପାଇଛନ୍ତି । ଆର୍ ମାଧବନଙ୍କୁ ଏହି ଫିଲ୍ମରେ ଦେଖିବାକୁ ମିଳିଛି ଭାରତର ଗୁଇନ୍ଦା ବିଭାଗର ଅଧିକାରୀ ଚରିତ୍ରରେ । ସେ ୯ କୋଟି ଟଙ୍କା ପାରିଶ୍ରମିକ ନେଇଛନ୍ତି ବୋଲି ଜଣାପଡିଛି । ଏକ ସାହସୀ ଚରିତ୍ରରେ ଅଭିନୟ କରିଛନ୍ତି ସଞ୍ଜୟ ଦତ୍ତ । ଫିଲ୍ମର ଝଲକ ଦେଖି ଦର୍ଶକଙ୍କ ଅନୁମାନ ତାଙ୍କ ଚରିତ୍ରଟି ମଧ୍ୟ ଭୀତି ସଞ୍ଚାର କରିବ । ସଞ୍ଜୟ ଏହି ଚରିତ୍ରଟି ପାଇଁ ୧୦ କୋଟି ଟଙ୍କା ନେଇଛନ୍ତି ।

ସେହିପରି ଅତି ନିଷ୍ଠୁର ଚରିତ୍ରରେ ଦେଖିବାକୁ ମିଳିଛି ଅକ୍ଷୟ ଖାନ୍ନାଙ୍କୁ । ସେ ନେଇଛନ୍ତି ୨.୫ କୋଟି ଟଙ୍କା । ପାକିସ୍ତାନି ଆଇଏସଆଇ ଅଧିକାରୀ ଚରିତ୍ରରେ ଏଥିରେ ଅଭିନୟ କରିଛନ୍ତି ଅର୍ଜୁନ ରାମପାଲ । ଝଲକର ପ୍ରଥମ ଦୃଶ୍ୟରେ ହିଁ ତାଙ୍କୁ ଅତି ଭୟଙ୍କର ଭାବେ ଦେଖିବାକୁ ମିଳିଛି । ଏହି ଚରିତ୍ରଟି ପାଇଁ ଅର୍ଜୁନଙ୍କୁ ୧ କୋଟି ଟଙ୍କା ପାରିଶ୍ରମିକ ମିଳିଛି । ରଣବୀରଙ୍କ ବିପକ୍ଷରେ ଅଭିନୟ କରିଛନ୍ତି ସାରା ଅର୍ଜୁନ । ଏକ ସମୟରେ ଶିଶୁଶିଳ୍ପୀ ଭାବରେ ଅଭିନୟ କରିଛନ୍ତି ସେ । ବୟସରେ ରଣବୀରଙ୍କ ଠାରୁ ୨୦ ବର୍ଷ କମ ସାରା । କିନ୍ତୁ ତାଙ୍କ ଅଭିନୟରେ ମୁଗ୍ଧ ହୋଇଛନ୍ତି ନିଜେ ରଣବୀର । ସାରାଙ୍କୁ ମଧ୍ୟ ପାରିଶ୍ରମିକ ବାବଦକୁ ୧ କୋଟି ଟଙ୍କା ମିଳିଛି । ଆସନ୍ତା ଡିସେମ୍ବର ୫ରେ ମୁକ୍ତି ପାଇବାକୁ ଯାଉଛି ଏହି ସିନେମା ।