News7 Logo

ଶ୍ରୀଲଙ୍କାରେ ପୂର୍ବତନ ରାଷ୍ଟ୍ରପତିମାନଙ୍କ ବିଶେଷାଧିକାର ସମାପ୍ତ, ଆଉ ମିଳିବନି ଘର, ଗାଡ଼ି କି ସିକ୍ୟୁରିଟି

NEWS7
Srilanka

କଲମ୍ବୋ ୧୧।୯: ଶ୍ରୀଲଙ୍କା ସରକାର ଦେଶର ପୂର୍ବତନ ରାଷ୍ଟ୍ରପତିମାନଙ୍କୁ ମିଳୁଥିବା ସମସ୍ତ ବିଶେଷାଧିକର ସମାପ୍ତ କରିଦେଇଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ଉପରେ ଗୁରୁବାର ଶ୍ରୀଲଙ୍କା ସୁପ୍ରିମକୋର୍ଟଙ୍କ ମୋହର ବାଜିଛି। ଶ୍ରୀଲଙ୍କା ସଂସଦରେ ଗୃହୀତ ହୋଇଥିବା ଏହି ବିଧେୟକ ଅନୁସାରେ ଏବେ ପୂର୍ବତନ ରାଷ୍ଟ୍ରପତିମାନଙ୍କୁ ରହିବାକୁ ନା ତ ବାସଭବନ ମିଳିବ, ନା ସରକାରୀ ଗାଡି ନା ଡ୍ରାଇଭର। ଏପରିକି ସେମାନଙ୍କ ସରକାରୀ ସିକ୍ୟୁରିଟି କଭର ମଧ୍ୟ ହଟାଇ ନିଆଯାଇଛି।  

ପୂର୍ବତନ ରାଷ୍ଟ୍ରପତିମାନଙ୍କ ଗସ୍ତରେ ଯେଉଁ ଖର୍ଚ୍ଚ ହେଉଥିଲା ତାହା ବି ବନ୍ଦ କରିଦିଆଯାଇଛି। ସେହିପରି ଅଧିକ ଷ୍ଟାଫ ରଖିବାକୁ ମଧ୍ୟ ଆଉ ଅନୁମତି ନାହିଁ। ଯଦି ସେମାନେ କର୍ମଚାରୀ ନିଯୁକ୍ତ କରନ୍ତି ସେମାନଙ୍କ ବେତନ ବାବଦ ବ୍ୟୟ  ନିଜେ କରିବେ। ଶ୍ରୀଲଙ୍କାରେ ୧୯୮୬ ମସିହାରୁ ଏକ ଆଇନ ଲାଗୁଥିଲା, ଏଥିରେ ପୂର୍ବତନ ରାଷ୍ଟ୍ରପତିମାନଙ୍କୁ ବିଶେଷାଧିକାର ଦିଆଯାଇଥିଲା। ସେମାନଙ୍କୁ ସରକାରଙ୍କ ପକ୍ଷରୁ ସବୁ ସୁବିଧା ଓ ସୁଯୋଗ ଦିଆଯାଉଥିଲା। ଏ ବାବଦେ ସେମାନଙ୍କଠାରୁ ପଇସାଟିଏ ବି ନିଆଯାଉ ନଥିଲା।

ରାଷ୍ଟ୍ରପତିମାନଙ୍କ ପତ୍ନୀଙ୍କୁ ମଧ୍ୟ ଏହି ସବୁ ସୁବିଧା ଉପଲବ୍ଧ ଥିଲା। ଏବେ ଶ୍ରୀଲଙ୍କା ସଂସଦ ‘ରାଷ୍ଟ୍ରପତି ଅଧିକାର( ନିରସ୍ତ) ବିଧେୟକ’ ଗୃହୀତ କରିଛି। ଫଳରେ ଏ ନେଇ ପୂର୍ବରୁ ଥିବା ଆଇନକୁ ସମାପ୍ତ କରିଦିଆଯାଇଛି। ସଂସଦର ଏହି ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ତେବେ ସୁପ୍ରିମକୋର୍ଟ ମଧ୍ୟ ସଂସଦର ନିଷ୍ପତ୍ତି ଉପରେ ମୋହର ଲଗାଇଛନ୍ତି। ଏ ନେଇ ସୁପ୍ରିମକୋର୍ଟ କହିଛନ୍ତି ଯେ ଏହି ଆଇନ କୌଣସି ପ୍ରକାରେ ସମ୍ବିଧାନର ମୂଳ ଭାବନାକୁ ଉଲ୍ଲଂଘନ କରୁ ନାହିଁ। ଏହା ସହିତ କୋର୍ଟ ଏ ବାବଦେ ରୁଜୁ ସମସ୍ତ ପିଟିସନକୁ ଖାରଜ କରିଦେଇଛନ୍ତି।

ତେବେ ଦେଶରେ ପୂର୍ବତନ ଉଚ୍ଚ ରାଜନୈତିକ ପଦପଦବୀରେ ଥିବା ଲୋକଙ୍କୁ ମିଳୁଥିବା ସ୍ୱତନ୍ତ୍ର ସୁବିଧା ସୁଯୋଗ ସମାପ୍ତ କରିବେ ବୋଲି ରାଷ୍ଟ୍ରପତି ଅନୁରା କୁମାରା ଦିଶାନାୟକେ ସରକାରଙ୍କର ଦେଶବାସୀଙ୍କୁ ପ୍ରଥମ ପ୍ରତିଶ୍ରୁତି ଥିଲା, ଯାହାକୁ ସେ ପୁରା କରିଛନ୍ତି। ଏହାର ଉଦ୍ଦେଶ୍ୟ ସରକାରୀ ବ୍ୟୟ କାଟ୍ କରିବା ଥିଲା। ଯଦିଓ ଏହି ବିଶେଷାଧିକାର ଦେଶରେ ସମାପ୍ତ କରିଦିଆଗଲା ତେବେ ପୂର୍ବତନ ରାଷ୍ଟ୍ରପତିମାନଙ୍କୁ ସେମାନଙ୍କ ପେନସନ ପୂର୍ବବତ ମିଳିବ, କାରଣ ଏହା ସମ୍ବିଧାନ ଦ୍ୱାରା ସଂରକ୍ଷିତ। ନୂଆ ଆଇନ ଅନୁସାରେ ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ମହିନ୍ଦା ରାଜପକ୍ଷେ ଗୁରୁବାର ତାଙ୍କ ପ୍ରାସାଦ ଖାଲି କରିଦେଇଛନ୍ତି।