News7 Logo

ଟଳିଲା ବଡ଼ ଦୁର୍ଘଟଣା; ମୁମ୍ୱାଇ ଯାଉଥିବା ସ୍ପାଇସଜେଟ୍ ବିମାନର ଖସିଲା ଚକ, ୭୫ ଯାତ୍ରୀ କରୁଥିଲେ ଯାତ୍ରା

NEWS7
SPICE JET

ନୂଆଦିଲ୍ଲୀ: ଗୁଜରାଟର କାଣ୍ଡଲାରୁ ମୁମ୍ୱାଇ ପାଇଁ ଉଡାଣ ଭରିଥିବା ସ୍ପାଇସଜେଟ୍ ବିମାନ ଏକ ବଡ଼ ଦୁର୍ଘଟଣାକୁ ଅଳ୍ପକେ ବର୍ତ୍ତି ଯାଇଛି । ବିମାନ ଉଡାଣ ଆରମ୍ଭ କରିବା ବେଳେ ଗୋଟିଏ ଚକ ଖସି ପଡ଼ିଥିଲା । ସୂଚନା ଅନୁସାରେ ବିମାନରେ ୭୫ ଜଣ ଯାତ୍ରୀ ଥିଲେ । ତେବେ ପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ ମୁମ୍ୱାଇ ବିମାନ ବନ୍ଦରରେ ବିମାନର ସୁରକ୍ଷିତ ଲ୍ୟାଣ୍ଡିଂ ହୋଇଛି । ଚକ ଖସି ପଡ଼ିବା ଖବର କାଣ୍ଡଲା ଏଟିସି ଦେବା ପରେ, ମୁମ୍ୱାଇ ବିମାନ ବନ୍ଦରରେ ଏମର୍ଜେନ୍ସି ଘୋଷଣା କରାଯାଇଥିଲା । ସଂଧ୍ୟା ପ୍ରାୟ ୪ଟା ବେଳେ ବିମାନର ସୁରକ୍ଷିତ ଲ୍ୟାଣ୍ଡିଂ ହୋଇଛି ।

ଚକ ଖସିବା ଜାଣିବା ପରେ ବି ପାଇଲଟ୍ ଜଣକ ବିମାନକୁ ମୁମ୍ୱାଇ ରନୱେରେ ଲ୍ୟାଣ୍ଡ କରାଇଛନ୍ତି । ସଂଧ୍ୟା ପାଞ୍ଚଟା ଯାଏ ମୁମ୍ୱାଇ ବିମାନ ବନ୍ଦରରେ ଏମର୍ଜେନ୍ସି ଘୋଷଣା କରାଯାଇଥିଲା, ଫଳରେ ବିମାନକୁ ସୁରକ୍ଷିତ ଭାବେ ଲ୍ୟାଣ୍ଡ କରାଯାଇପାରିବ । ସ୍ପାଇସଜେଟ୍ ମୁଖପାତ୍ର କହିଛନ୍ତି, ୧୨ ସେପ୍ଟେମ୍ୱରରେ କାଣ୍ଡଲାରୁ ମୁମ୍ୱାଇ ଯାଇଥିବା ସ୍ପାଇସଜେଟ୍ Q400 ବିମାନର ଏକ ବାହାର ଚକ ଉଡାଣ ଭରିବା ପରେ ରନୱେରେ ମିଲିଥିଲା ।

ମୁଖପାତ୍ର କହିଛନ୍ତି, ବିମାନ ମୁମ୍ୱାଇ ଯାଏ ନିଜ ଉଡାଣ ଜାରି ରଖିଥିଲା ଓ ସୁରକ୍ଷିତ ଭାବେ ଅବତରଣ ହୋଇଛି । ସୁରକ୍ଷିତ ଲ୍ୟାଣ୍ଡିଂ ପରେ ବିମାନ ଟର୍ମିନାଲ୍ ଯାଏ ପହଞ୍ଚିଥିଲା ଓ ସବୁ ଯାତ୍ରୀଙ୍କୁ ଓହ୍ଲାଯାଇଥିଲା । ସେହିପରି ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆର ଜଣେ ଅଧିକାରୀ କହିଛନ୍ତି, କାଣ୍ଡଲା ଏଟିଏସ କିଛି ଖସି ପଡ଼ୁଥିବା ଦେଖିବାକୁ ପାଇଥିଲା । ଏହାପରେ ପାଇଲଟଙ୍କୁ ସୂଚନା ଦିଆଯାଇଥିଲା ।