ଅଗଷ୍ଟ ୩୧ ତାରିଖରେ ହେବ ସ୍ପେଶାଲ OTET, ପ୍ରକାଶ ପାଇଲା ବିଜ୍ଞପ୍ତି

Published By : Prameya-News7 Bureau | August 01, 2025 IST

କଟକ ୧।୮: ଅଗଷ୍ଟ ୩୧ ତାରିଖରେ ହେବ ସ୍ପେଶାଲ OTET । ସ୍ପେଶାଲ୍ OTET ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ବିଜ୍ଞପ୍ତି ଅନୁଯାୟୀ, ଦୁଇଟି ସିଟିଂରେ ହେବ ସ୍ପେଶାଲ୍ OTET । ସକାଳ ୯ଟାରୁ ୧୧ଟା ୩୦ମିନିଟ୍ ଯାଏଁ ପେପର୍‌-୧ ପରୀକ୍ଷା, ଦିନ ୨ଟାରୁ ସାଢେ ୪ଟା ଯାଏଁ ପେପର୍‌-୨ ପରୀକ୍ଷା ଅନୁଷ୍ଠିତ ହେବ । ଅଗଷ୍ଟ ୨୨ରୁ ୱେବ୍‌ସାଇଟ୍‌ରେ ଆଡ୍‌ମିଟ୍ କାର୍ଡ ଉପଲବ୍ଧ ହେବ । ପ୍ରଶ୍ନପତ୍ର ଲିକ୍ ଯୋଗୁଁ ପୂର୍ବ ପରୀକ୍ଷା ବାତିଲ ହୋଇଥିଲା ।

ସେପଟେ OTET ପ୍ରଶ୍ନପତ୍ର ଲିକ୍‌ ମାମଲା ମୁଖ୍ୟ କାର୍ପଟଦାର ଗିରଫ ହୋଇଛି । ଗିରଫ ଅଭିଯୁକ୍ତ ଜଣକ ହେଲେ କଳାହାଣ୍ଡିର ଅବସରପ୍ରାପ୍ତ ଶିକ୍ଷକ ପ୍ରଶାନ୍ତ କୁମାର ଖମାରି । ପ୍ରଶାନ୍ତ ହିଁ ପ୍ରଶ୍ନପତ୍ର ଲିକ୍‌ ଘଟଣାର ଯୋଜନା ପ୍ରସ୍ତୁତ କରିଥିଲେ । ପୂର୍ବରୁ ଗିରଫ ହୋଇଥିବା ଶିକ୍ଷକ ନେତା ବିଜୟ କୁମାର ମିଶ୍ରଙ୍କ ସହ ମିଶି ଅପରାଧିକ ଷଡ଼ଯନ୍ତ୍ର କରିଥିଲେ ବୋଲି କ୍ରାଇମବ୍ରାଞ୍ଚ କହିଛି । କେବଳ ଏତିକି ନୁହେଁ OTETର ଇଂଲିଶ୍‌ ପ୍ରଶ୍ନପତ୍ରକୁ ଓଡ଼ିଆରେ ଟ୍ରାନ୍ସଲେଟ୍‌ କରିବା ସହ ଏହାକୁ ୯୯ ହଜାର ଟଙ୍କା ବଦଳରେ ଗିରଫ ଅଭିଯୁକ୍ତ ବିଜୟ ମିଶ୍ରଙ୍କୁ ଦେଇଥିଲେ ବୋଲି ଜାଣିବାକୁ ପାଇଛି କ୍ରାଇମବ୍ରାଞ୍ଚ ଟିମ୍‌ । 

ସେହିଭଳି ମାଧ୍ୟମିକ ଶିକ୍ଷା ପରିଷଦର କିଛି ବରିଷ୍ଠ ଅଧିକାରୀଙ୍କୁ ପୁଣି ପଚରାଉଚରା କରାଯାଇପାରେ ବୋଲି କ୍ରାଇମବ୍ରାଞ୍ଚ ଡିଆଇଜି କହିଛନ୍ତି । ଯେହେତୁ ବୋର୍ଡ଼ ଉପ ସଭାପତିଙ୍କ ଲାପଟପ୍‌ରୁ ପ୍ରଶ୍ନପତ୍ର ଚୋରି ହୋଇଥିଲା । ତେଣୁ ଉପ ସଭାପତିଙ୍କ ସମେତ ଆହୁରି ଅନେକ ଅଧିକାରୀ ଏବେ କ୍ରାଇମବ୍ରାଞ୍ଚ ସ୍କାନରରେ ଅଛନ୍ତି । ପ୍ରଶାନ୍ତଙ୍କୁ ମିଶାଇଲେ OTET ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଏବେ ସୁଦ୍ଧା ୭ ଜଣଙ୍କୁ ବାନ୍ଧିଲାଣି କ୍ରାଇମବ୍ରାଞ୍ଚ । 

ଗୋଟିଏ ପଟେ OTET ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଜଣକ ପରେ ଜଣେ ଗିରଫ ହେଉଥିବା ବେଳେ ଅନ୍ୟପଟେ ଏହାକୁ ନେଇ ତେଜିଛି ରାଜନୈତିକ ବୟାନବାଜି । ବିଜେପି କହିଛି ଦୀର୍ଘ ବର୍ଷ ହେବ ଏଭଳି ମିଲିଭଗତରେ ଚାଲିଥିଲା । ପୂର୍ବ ସରକାରରେ ଅସାଧୁ କର୍ମଚାରୀମାନେ ପ୍ରଶ୍ନପତ୍ର ବିକି ଅର୍ଥ ସଂଗ୍ରହ କରୁଥିଲେ । ଏବେ ମୋହନ ମାଝୀଙ୍କ ସରକାର ଆସିବା ପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଧୀରେ ଧୀରେ ସବୁ ଷ୍ଟ୍ରିମ୍‌ ଲାଇନ୍‌ ହେଉଛି । ବିଜେଡି କହିଛି, ନିଜ ଦୋଷ ଲୁଚାଇବାକୁ ୨୪ ବର୍ଷର ସରକାରକୁ ଦାୟୀ କରୁଛନ୍ତି । ବର୍ଷେ ହେଲାଣି କିଛି ଠିକ୍‌ ଚାଲିନି । ପ୍ରଶ୍ନପତ୍ର ଲିକ୍‌ ରୋକିବାକୁ ସରକାର ନୂଆ ବିଲ୍‌ ଆଣିଥିଲେ କ’ଣ ହେଲା ବୋଲି ପ୍ରଶ୍ନ କରିଛି ବିଜେଡି । ସେହିଭଳି ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ ବୋଲି କହିଛି କଂଗ୍ରେସ ।

You Can Read:

OTET ପ୍ରଶ୍ନପତ୍ର ଲିକ୍ ଘଟଣା : ବିଜେପି କହିଲା- ଦୀର୍ଘବର୍ଷ ହେବ ଏଭଳି ଚାଲିଥିଲା, ପ୍ରଶ୍ନପତ୍ର ଲିକ୍ ରୋକିବାକୁ ଆଣିଥିବା ବିଲ୍ କ’ଣ ହେଲା ବିଜେଡିର ପ୍ରଶ୍ନ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.