ଚାନ୍ଦବାଲି ୯୧୧: ଭଦ୍ରକ ଜିଲ୍ଲା ଧାମରା ସାମୁଦ୍ରିକ ଥାନା ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ୧୫ କିଲୋମିଟର ରେଡିଅସ୍‌ରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜଗୁଛି ଡ୍ରୋନ୍ କ୍ୟାମେରା । ଯାହାର ମୂଲ୍ୟ ଦେଢ କୋଟି ଟଙ୍କା ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା  ମେରାଇନ ଥାନା ଧାମରାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜଗିବା ପାଇଁ ସ୍ବତନ୍ତ୍ର ଡ୍ରୋନ୍ କ୍ୟାମେରା ଓଡ଼ିଶା ସରକାର ଯୋଗାଇ ଦେଇଛନ୍ତି । ଭଦ୍ରକ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଏହି ଡ୍ରୋନ୍ ସାମୁଦ୍ରିକ ଥାନାକୁ ଯୋଗାଇ ଦିଆଯାଇଛି । ଯାହାର ଦାମ୍ ୧ କୋଟି ୩୩ ଲକ୍ଷ ଟଙ୍କା ହେବ । ୧୫ କିଲୋମିଟର ରେଡିଅସରେ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପାଇଁ ଏହି ଡ୍ରୋନ୍ କ୍ୟାମେରା ସାହାଯ୍ୟ କରିଥାଏ । ୮ କେଜି ଓଜନ ବିଶିଷ୍ଟ ଡ୍ରୋନ୍ କ୍ୟାମେରା ରାତିରେ ୪୦୦ ମିଟର ଓ ଦିନ ସମୟରେ ପ୍ରାୟ ୧ କିଲୋମିଟର ଉଚ୍ଚତାରୁ ତୀକ୍ଷ୍ମ ଚିତ୍ର ଉତ୍ତୋଳନ କରିପାରେ । ଦୀର୍ଘ ୨ ଘଣ୍ଟା ପର୍ଯ୍ୟନ୍ତ ଆକାଶରେ ଚିଲ ପକ୍ଷୀ ପରି ଉଡିପାରେ । ଏହାକୁ ୧ ହଜାର ମିଟର ଉଚ୍ଚତାରେ ପହଞ୍ଚିବାକୁ ପ୍ରାୟ ୧୦ ରୁ ୧୫  ମିନିଟ୍ ସମୟ ଲାଗିଥାଏ । ଏସବୁ ଦିଗରେ ଅନୁପ୍ରବେଶକାରୀଙ୍କୁ ରୋକିବାରେ ଏହା ଏକ ମୁଖ୍ୟ ଡ୍ରୋନ୍ କ୍ୟାମେରା । ଯାହା କି ଆଗାମୀ ଭବିଷ୍ୟତରେ ଶତ୍ରୁ ଦେଶ କିମ୍ବା ଅନୁପ୍ରବେଶକାରୀ ରୋକିବାରେ ସଫଳ ପରୀକ୍ଷଣ ହେବ । ଯାହା ସାହାଯ୍ୟରେ ଖୁବ୍‌ଶୀଘ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଅନୁପ୍ରବେଶକାରୀଙ୍କ ପ୍ରତି ତୀକ୍ଷ୍ମ ନଜର କରିହେବ । କୋଷ୍ଟାଲ ଏରିଆରେ ଯେହେତୁ ଧାମରା ବନ୍ଦର ରହିଛି ଏବଂ ଏହା ସହିତ ଧାମରା ମୁହାଣରୁ ପ୍ରତ୍ୟେକ ଦିନ ସହ ସହ ଟ୍ରଲର ଓ ବୋଟ୍ ନେଇ ମତ୍ସ୍ୟଜୀବୀମାନେ ଗଭୀର ସମୁଦ୍ରକୁ ଯାଇଥାଆନ୍ତି । ଏହାର ସୁଯୋଗରେ  ଅନୁପ୍ରବେଶକାରୀ ମାନେ ଗଳାବାଟ ଦେଇ ଆସିପାରନ୍ତି । ଏହି ଡ୍ରୋନ କ୍ୟାମେରାରେ ଏହା ସୂଚନା ଦେବାରେ ବଡ଼ ସହଯୋଗ ହୋଇପାରିବ । ଜଳପଥରେ ରାତ୍ରିକାଳରେ ବିଭିନ୍ନ ସମୟରେ ଶତ୍ରୁ ଦେଶରୁ ଜାହାଜ ହେଉ କିମ୍ବା ବାଂଲାଦେଶୀ ଅନୁପ୍ରବେଶକାରୀ ଠାବ କରିବାରେ ସକ୍ଷମ ହୋଇପାରିବ ବୋଲି ମେରାଇନ ଥାନାର ଡ୍ରୋନ ଚାଳକ ବେଣୁଧର ମଲ୍ଲିକ କହିଛନ୍ତି । ଏଥିପାଇଁ ମେରାଇନ ଥାନା ପକ୍ଷରୁ ସାମୁଦ୍ରିକ ଅଞ୍ଚଳମାନଙ୍କରେ ଏହା ବ୍ୟବହାର କରା ଯାଉଛି । ଜଳପଥରେ ବୋଟ କିମ୍ବା ଟ୍ରଲର ସାହାଯ୍ୟରେ ସତର୍କ ରହି ଦୈନିକ ୮ ଘଣ୍ଟା ଯାଏଁ ମେରାଇନ ପୋଲିସ ପାଟ୍ରୋଲିଂ କଡା କଡି ଭାବରେ କରାଯାଉଥିବା ସାମୁଦ୍ରିକ ଥାନା ଅଧିକାରିଣୀ  ପ୍ରିୟ ଦର୍ଶନୀ ଖଟୁଆ ସୂଚନା ଦେଇଛନ୍ତି ।