LIVE TV

ଉତ୍ତରାଖଣ୍ଡରୁ ବିଦାୟ ନେଲା ମୌସୁମୀ, ପଛରେ ଛାଡି ଯାଇଛି ଅନେକ ଯନ୍ତ୍ରଣା

NEWS7
Mansoon

ଡେରାଡୁନ ୨୬।୯: ଉତ୍ତରାଖଣ୍ଡରୁ ମୌସୁମୀ ବିଦାୟ ନେଇଛି। ରାଜ୍ୟ ପାଣିପାଗ ବିଭାଗ ଶୁକ୍ରବାର ଏହି ଘୋଷଣା କରିଛି। ଏଥିରେ ୨୬ ସେପ୍ଟେମ୍ବର ୨୦୨୫ରେ ରାଜ୍ୟରୁ ଦକ୍ଷିଣ-ପଶ୍ଚିମ ମୌସୁମୀର ବିଦାୟ ହୋଇଥିବା କୁହାଯାଇଛି। ଚଳିତବର୍ଷ ମୌସୁମୀ ଋତୁରେ ରାଜ୍ୟରେ ୨୨%ରୁ ଅଧିକ ବର୍ଷା ରେକର୍ଡ ହୋଇଛି। ପାଣିପାଗ ବିଭାଗ ନିର୍ଦ୍ଦେଶକ ବି.ପି.ତୋମରଙ୍କ ଅନୁସାରେ ଚଳିତବର୍ଷ ରାଜ୍ୟରେ ୧୪୧୧.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏଠାରେ ସ୍ୱଭାବିକ ମୌସୁମୀରେ ବର୍ଷାର ପରିମାଣ ୧୧୫୪.୭ ମିଲିମିଟର ଥାଏ।

ତେବେ ଚଳିତବର୍ଷ ମୌସୁମୀ ଉତ୍ତରାଖଣ୍ଡ ପାଇଁ ଆନନ୍ଦ ଦାୟକ ନଥିଲା। ମୌସୁମୀ ବର୍ଷା ସାରା ରାଜ୍ୟକୁ ଧୋଇଥିଲା। ଉତ୍ତରକାଶୀର ଧରାଲୀ, ଚାମୋଲୀର ଥରାଲୀ, ରୁଦ୍ରପ୍ରୟାଗର ବାସୁକେଦାର, ଡେରାଡୁନର ସହସ୍ରଧାରା, ମାଲଦେବତା ଓ ପ୍ରେମନଗର, ପୌଡୀର ଥଲିସେଣ ଆଦି ଅଞ୍ଚଳ ଭୀଷଣ ବର୍ଷା ଓ ଭୂ-ସ୍ଖଳନରେ ଗୁରୁତର ପ୍ରଭାବିତ ହୋଇଛି। ସଡ଼କରୁ ଆରମ୍ଭ କରି ପୋଲ, କୃଷିଭୂମି ଏପରିକି ଭିତ୍ତିଭୂମିର ଭୀଷଣ କ୍ଷୟକ୍ଷତି ହୋଇଛି।

ପାଣିପାଗ ବିଭାଗ ଅନୁସାରେ ଗତ ମୌସୁମୀରେ ଏଥର ବାଗେଶ୍ୱର ଜିଲ୍ଲାରେ ସବୁଠୁ ଅଧିକ ବର୍ଷା ହୋଇଛି। ଏଠାରେ ୨୬୮୩.୬ ମିଲିମିଟର ବର୍ଷା ରେକର୍ଡ ହୋଇଛି, ଯାହା ସ୍ୱଭାବିକ ଠାରୁ ୨୪୧% ଅଧିକ। ସେହିପରି ଚମୋଲୀରେ ୧୩୫୦ ମିଲିମିଟର (୮୯% ଅଧିକ) ଟିହିରି ଗଡୱାଲରେ ୫୮% ଅଧିକ, ହିରଦ୍ୱାରରେ ୫୫% ଅଧିକ, ଅଲମୋଡାରେ ୨୫% ଅଧିକ, ଡେରାଡୁନରେ ୩୮% ଅଧିକ ବର୍ଷା ହୋଇଥିବା ବେଳେ ନୈନିତାଲରେ ୬% କମ, ପିଥୋରାଗଡରେ ୧% କମ, ରୁଦ୍ର ପ୍ରୟାଗରେ ୫% କମ୍, ପୌଡୀରେ ୩୦% କମ୍ ବର୍ଷା ରେକର୍ଡ ହୋଇଛି।

ରାଜ୍ୟ ବିପର୍ଯ୍ୟୟ ପ୍ରବନ୍ଧନ ବିଭାଗ ତଥ୍ୟ ଅନୁସାରେ ୧ ମାର୍ଚ୍ଚରୁ ୨୬ ସେପ୍ଚେମ୍ବର ୨୦୨୫ ମଧ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ୧୩୬ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରୁ ୬ଟି ମୃତ୍ୟୁ ବନ୍ୟଜୀବଙ୍କ ସହ ସଂଘର୍ଷରେ ହୋଇଥିବା ବେଳେ ୧୪୮ ଜଣ ଆହତ ହୋଇଛନ୍ତି। ଏହା ଛଡା ୮୯ ଜଣ ନିଖୋଜ ଅଛନ୍ତି, ଏଥିରୁ ୬୭ ଜଣ କେବଳ ଧରାଲୀରୁ ନିଖୋଜ ଅଛନ୍ତି। ଚଳିତବର୍ଷ ବର୍ଷା ଋତୁରେ ରାଜ୍ୟରେ ଗୃହପାଳିତ ପଶୁଙ୍କ ବ୍ୟାପକ ହାନୀ ହୋଇଛି। ବର୍ଷା, ବନ୍ୟା ଓ ଭୂ-ସ୍ଖଳନରେ ୬୦୧୮ ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୩୩୦ ଘର ଅଧିକ କ୍ଷତିଗ୍ରସ୍ତ ହୋଇଛି।ସେହିପରି ୩୩୨ ଘର ସମ୍ପୂର୍ଣ୍ଣ ଧ୍ୱଂସ୍ତ ହୋଇଥିବା ବେଳେ ୧୨୦ ଗୋଶାଳା କ୍ଷତିଗ୍ରସ୍ତ ହୋଇଛି।