ନୂଆଦିଲ୍ଲୀ, ୧୯|୧୧: କୋଲକାତା ଟେଷ୍ଟ୍ ଜିତି ଦକ୍ଷିଣ ଆପ୍ରିକା ସିରିଜରେ ୧-୦ରେ ଆଗୁଆ ରହିଛି । ଦଳ ସିରିଜକୁ କ୍ଲିନ୍ ସ୍ବିପ୍ ପାଇଁ ଯୋଜନା କରୁଛି । ଗୌହାଟୀରେ ମଧ୍ୟ ଟିମ୍ ଇଣ୍ଡିଆକୁ ମାତ୍ ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ତେବେ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଭ୍ରମଣକାରୀ ଦଳକୁ ଲାଗିଛି ଜୋରଦାର ଝଟକା ।

ରିପୋର୍ଟ ଅନୁସାରେ, କୋଲକାତା ଟେଷ୍ଟରେ ପ୍ଲେୟାର ଅଫ ଦି ମ୍ୟାଚ୍ ହୋଇଥିବା ସାଇମନ୍ ହାର୍ମର ଆହତ ହୋଇଛନ୍ତି । ସେହିପରି ବାମହାତୀ ପେସର ମାର୍କୋ ଜାନସେନ୍ ମଧ୍ୟ ଆହତ ଜନିତ ସମସ୍ୟାର ମୁକାବିଲା କରୁଛନ୍ତି । ଉଭୟ ଖେଳାଳିଙ୍କୁ କୋଲକାତାର ଓୁଡଲ୍ୟାଣ୍ଡସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେମାନଙ୍କର ମେଡିକାଲ ପରୀକ୍ଷା ହୋଇଛି ।

ଅନ୍ୟ ଦିଗରେ. କୋଲକାତା ଟେଷ୍ଟ୍ ବିଜୟ ପରେ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ ପଏଣ୍ଟ ଟେବୁଲରେ ମଧ୍ୟ ଦକ୍ଷିଣ ଆଫ୍ରିକା ଆଗକୁ ବଢିଛି । ଦଳ ଦ୍ୱିତୀୟ ସ୍ଥାନରେ ପହଁଚିଯାଇଛି । ୨୦୧୦ ପରେ ଭାରତ ବିରୋଧରେ ଦଳର ଏହା ପ୍ରଥମ ବିଜୟ ଅଟେ । ଯଦି ଗୌହାଟୀ ଟେଷ୍ଟରେ ଦଳ ବିଜୟ ହୁଏ ତାହାଲେ ସିରିଜକୁ କ୍ଲିନ୍ ସ୍ବିପ୍ କରିବ । ମ୍ୟାଚ୍ ଡ୍ର ହେଲେ ମଧ୍ୟ ଦକ୍ଷିଣ ଆଫ୍ରିକା ସିରିଜ୍ ଜିତିଯିବ । ଯଦି ଭାରତ ମ୍ୟାଚ୍ ଜିତେ ତାହାଲେ ସିରିଜ ଟାଇ ରହିବ ।

ସୂଚନାଯୋଗ୍ୟ, ପ୍ରଥମ ମୁକାବିଲାରେ ଟିମ୍ ଇଣ୍ଡିଆ ଶୋଚନୀୟ ପରାଜୟ ବରଣ କରିଥିଲା । ୧୨୪ ରନର ଟାର୍ଗେଟ୍ ଚେଜ୍ କରିପାରିନଥିଲେ ଭାରତୀୟ ବ୍ୟାଟର । ମାତ୍ର ୯୩ ରନରେ ଦଳ ସମସ୍ତ ଓ୍ୱିକେଟ୍ ହରାଇ ୩୦ ରନରେ ପରାସ୍ତ ହୋଇଥିଲା ।