ନୂଆଦିଲ୍ଲୀ ୬।୯: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଭୋଟର ଲିଷ୍ଟ ବିଶେଷ ଗହନ ପୁନରୀକ୍ଷଣ (ଏସଆଇଆର)କୁ ନେଇ ଜାରି ବିବାଦରେ ନିର୍ବାଚନ କମିଶନ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଆୟୋଗ କହିଛନ୍ତି ଯେ ସାରା ଦେଶରେ ଏସଆଇଆରକୁ ଏକ ସଙ୍ଗରେ ଲାଗୁ କରାଯିବ। ଏହାକୁ ନେଇ ସେପ୍ଟେମ୍ବର ୧୦ ତାରିଖ ଦିନ ନୂଆଦିଲ୍ଲୀରେ ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କ ସହିତ ନିର୍ବାଚନ ଆୟୋଗଙ୍କ ବୈଠକ  ଡକାଯାଇଛି।

ଏସଆଇଆରରେ ଭାରତୀୟ ନାଗରିକଙ୍କୁ ସାମିଲ କରିବା ପାଇଁ ଅତିରିକ୍ତ କାଗଜପତ୍ର ସମ୍ପର୍କରେ ମଧ୍ୟ ନିର୍ବାଚନ ଆୟୋଗ ପରାମର୍ଶ ଲୋଡିଛନ୍ତି। ଏଥିରେ ପାୱାର ପଏଣ୍ଟ ପ୍ରେଜେଣ୍ଟେସନ ମାଧ୍ୟମରେ ଏବେକା ଭୋଟର ସଂଖ୍ୟା, ପିଛିଲା ଏସଆଇଆର ତାରିଖ, ତଥ୍ୟ ଓ ଡିଜିଟାଇଜେସନ ସ୍ଥିତି ସମେତ ମୋଟ ୧୦ଟି ବିନ୍ଦୁ ଉପରେ ନିର୍ବାଚନ ଆୟୋଗ ସୂଚନା ମାଗିଛନ୍ତି।   ଏଥିରେ ନିର୍ବାଚନ ଅଧିକାରୀମାନଙ୍କୁ ମତଦାନ କେନ୍ଦ୍ରମାନଙ୍କର ସଂଯୁକ୍ତିକରଣ ଓ କେନ୍ଦ୍ର ସଂଖ୍ୟା ସମ୍ପର୍କରେ ରିପୋର୍ଟ ଦେବାକୁ ପଡିବ।

ଅଧିକାରୀ ଓ ବିଏଲଓଙ୍କ ନିଯୁକ୍ତି ଏବଂ ପ୍ରଶିକ୍ଷଣ ସ୍ଥିତି ଉପରେ ମଧ୍ୟ ପ୍ରେଜେଣ୍ଟେସନରେ ଫୋକସ କରାଯିବ। ଏବେ ବିହାରରେ ଏସଆଇଆର ପ୍ରକ୍ରିୟା ଜାରି ରହିଛି, ଏହା ସେପ୍ଟେମ୍ବର ୩୦ତାରିଖରେ ଶେଷ ହେବ। ଏଣୁ ଆୟୋଗ ସାରା ଦେଶରେ ଏସଆଇଆର କାର୍ଯ୍ୟକ୍ରମ ଆରମ୍ଭ ନିମନ୍ତେ ଅଧିକାରୀକ ତାରିଖ ଏବେ ନିର୍ଦ୍ଧାରଣ କରି ନାହାନ୍ତି। ତେବେ ସୂତ୍ରରୁ ମିଳୁଥିବା ସଂକେତ ଅନୁସାରେ ଏସଆଇଆରକୁ ଏକ ସଙ୍ଗରେ ସାରା ଦେଶରେ ଲାଗୁ କରାଯିବ। ଏଣୁ ସାରା ଦେଶରେ ଆରମ୍ଭ ହେବାକୁ ଥିବା ଏସଆଇଆର ପାଇଁ ୧୦ ସେପ୍ଟେମ୍ବର ବୈଠକ ପରେ ନିଷ୍ପତ୍ତି ନିଆଯିବ।

ବିହାରରେ ଏସଆଇଆର ଆରମ୍ଭ ନିମନ୍ତେ ନିର୍ବାଚନ ଆୟୋଗଙ୍କ ୨୪ ଜୁନ ଆଦେଶରେ ଏହାକୁ ସାରା ଦେଶରେ ଲାଗୁ କରାଯିବ ବୋଲି ଉଲ୍ଲେଖ କରିଥିଲେ। ନିର୍ବାଚନ ଆୟୋଗ ବିହାର ସମ୍ପର୍କିତ ଆଦେଶରେ ଉଲ୍ଲେଖ କରିଥିଲେ ଯେ ‘ଜନପ୍ରତିନିଧି ଅଧିନିୟମ ୧୯୫୦  ଧାରା ୨୧ ତଥା ଅନ୍ୟ ପ୍ରାସଙ୍ଗିକ ପ୍ରାବଧାନ ଅନ୍ତର୍ଗତ ଆୟୋଗଙ୍କୁ ଏଦି ଅଧିକାର ପ୍ରାପ୍ତ ଯେ ସେ ନିର୍ବାଚକ ନାମାବଳୀର ବିଶେଷ ଗହନ ପୁନରୀକ୍ଷଣ କରିବା ଲାଗି ନିର୍ଦ୍ଦେଶ ଦେଇ ପାରିବେ, ଯେଉଁଥିରେ ଭୋଟର ଲିଷ୍ଟର ନୂଆ ପ୍ରସ୍ତୁତି ମଧ୍ୟ ସାମିଲ’।

ଏଣୁ ଆୟୋଗ ଏବେ ନିଷ୍ପତ୍ତି ନେଇଛନ୍ତି ସାରା ଦେଶରେ ଭୋଟର ଲିଷ୍ଟର ବିଶେଷ ଗହନ ପୁନରୀକ୍ଷଣ ଆରମ୍ଭ କରିବେ, ଯାହା ଦ୍ୱାରା ନିର୍ବାଚକ ନାମାବାଳୀର ଅଖଣ୍ଡତା ଓ ସାମ୍ବିଧାନିକ ଦାୟିତ୍ୱ ପୂରା କରାଯାଇ ପାରିବ। ବିହାର ପରେ ଦେଶର ବାକି ଭାଗରେ ଭୋଟର ଲିଷ୍ଟ ବିଶେଷ ଗହନ ପୁନରୀକ୍ଷଣର ସମୟ ସାରଣୀ ପରେ ପୃଥକ ଭାବେ ଜାରି କରାଯିବ। ତେବେ ବିହାରରେ ଏବେ ଏସଆଇଆର ପ୍ରକ୍ରିୟା ଜାରି ରହିଛି ଓ ଏହି ପ୍ରକ୍ରିୟା ସେପ୍ଟେମ୍ବର ୩୦ ତାରିଖରେ ପୁରା ହେବ। ଏଥି ମଧ୍ୟରେ ନିର୍ବାଚନ ଆୟୋଗ ସବୁ ରାଜ୍ୟଙ୍କ ନିର୍ବାଚନ ଅଧିକାରୀମାନଙ୍କୁ ପ୍ରସଙ୍ଗରେ ଚର୍ଚ୍ଚା ନିମନ୍ତେ ଦିଲ୍ଲୀ ଡକାଇଛନ୍ତି। ​​​​​​​