News7 Logo

ବର୍ଣ୍ଣ ବୈଷମ୍ୟର ବିଭତ୍ସ ରୂପ, ବ୍ରିଟେନରେ ଶିଖ୍ ମହିଳାଙ୍କ ସହ ଗଣଦୁଷ୍କର୍ମ, ନିଜ ଦେଶକୁ ଯିବାକୁ ଧମକ ଦେଲେ ଦୁର୍ବୃତ୍ତ

NEWS7
police

ନୂଆଦିଲ୍ଲୀ: ବ୍ରିଟିଶର ଓଲ୍ଡବରି ସହରରେ ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି । ଭାରତୀୟ ବଂଶୋଦ୍ଭବ ଶିଖ୍ ମହିଳାଙ୍କ ସହ ଗଣଦୁଷ୍କର୍ମ ହୋଇଛି । ଦୁଇଜଣ ପୁରୁଷ ୨୦ ବର୍ଷୀୟା ଜଣେ ଶିଖ୍ ମହିଳାଙ୍କୁ ଦୁଷ୍କର୍ମ କରିଛନ୍ତି । ଦୁର୍ବୃତ୍ତମାନେ ମହିଳାଙ୍କ ପ୍ରତି ବର୍ଣ୍ଣ ବୈଷମ୍ୟ ଆକ୍ଷେପ କରିବା ସହ ନିଜ ଦେଶକୁ ଫେରିଯିବାକୁ ଧମକ ଦେଇଥିଲେ ।

ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୮ଟାରେ ଓଲ୍ଡବରିର ଟେମ୍ ରୋଡ୍‌ରେ ଏହି ଘଟଣା ଘଟିଛି । ପୋଲିସ ଏହାକୁ ବର୍ଣ୍ଣ ବୈଷମ୍ୟର ଘୃଣ୍ୟ ଆକ୍ରମଣ ମାମଲା ଭାବେ ରେକର୍ଡ କରି ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଛି । ପୋଲିସ ଘଟଣାସ୍ଥଳର ସିସିଟିଭି ଫୁଟେଜ୍ ମଧ୍ୟ ଯାଞ୍ଚ କରୁଛି । ଏହା ସହିତ ମାମଲାର ଫରେନସିକ୍ ତଦନ୍ତ ମଧ୍ୟ ଚାଲିଛି ।

ବ୍ରିଟିଶ ସାଂସଦ ପ୍ରୀତ କୌର ଗିଲ୍ ଏହି ଘଟଣାର କଡ଼ା ସମାଲୋଚନା କରିଛନ୍ତି । ପ୍ରୀତ କୌର କହିଛନ୍ତି, "ଏହା ଏକ ଘୃଣ୍ୟ ଅପରାଧ । ଏହା ଜାତିଗତ ଭେଦଭାବର ଏକ ମାମଲା । ପୀଡିତାଙ୍କୁ ଏହି ଦେଶର ନୁହନ୍ତି ବୋଲି କୁହାଯାଇଥିଲା । ଶିଖ ସମ୍ପ୍ରଦାୟ ସମେତ ସବୁ ସମୁଦାୟ ସୁରକ୍ଷିତ ଅନୁଭବ କରିବାର ପୂର୍ଣ୍ଣ ଅଧିକାର ଅଛି । ଓଲ୍ଡବରି ଭଳି ଘଟଣା ବ୍ରିଟେନରେ କୌଣସି ସ୍ଥାନରେ ନହେବା ଦରକାର ।"

ଇଲଫୋର୍ଡ ସାଉଥ୍‌ର ଅନ୍ୟ ଜଣେ ସାଂସଦ ଜସ୍ ଅଥୱାଲ୍ ଏହାକୁ "ନୀଚ, ଜାତିଗତ ଭେଦଭାବ, ମହିଳା ବିଦ୍ରୋହୀ ଆକ୍ରମଣ" ବୋଲି କହିଛନ୍ତି । ଏହି ମାମଲାକୁ ଅତ୍ୟନ୍ତ ଗମ୍ଭୀରତାର ସହିତ ବିଚାର କରାଯିବା ଉଚିତ ବୋଲି କହିଛନ୍ତି । ତେବେ ବ୍ରିଟେନରେ ଶିଖଙ୍କ ଉପରେ ଆକ୍ରମଣର ଏହା ପ୍ରଥମ ଘଟଣା ନୁହେଁ । ମାସେ ପୂର୍ବରୁ ୱଲଭରହାମ୍ପଟନର ଏକ ରେଳ ଷ୍ଟେସନ ବାହାରେ ତିନି ଜଣ ଶିଖଙ୍କୁ ଆକ୍ରମଣ କରାଯାଇଥିଲା ।