ଜୟପୁର: କର୍ଣ୍ଣାଟକ ରାଜନୀତିରେ ଦ୍ରୁତ ପରିବର୍ତ୍ତନ ହେଉଛି। ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସିଦ୍ଦରମୈୟା ଏବେ ଦିଲ୍ଲୀ ପହଞ୍ଚି ହାଇକମାଣ୍ଡଙ୍କ ସହ ଆଗାମୀ ରଣନୀତି ଉପରେ ଚର୍ଚ୍ଚା କରିବେ। ହେଲେ ଦିଲ୍ଲୀର ଖରାପ ପାଗ ତାଙ୍କ ଯାତ୍ରାରେ ଅଚାନକ ବାଧା ଦେଇଛି। ସିଦ୍ଦରମୈୟା ତାଙ୍କ ପୁଅ ୟତିନ୍ଦ୍ର, କଂଗ୍ରେସ ସାଧାରଣ ସମ୍ପାଦକ ରଣଦୀପ ସୂରଜେୱାଲା ଓ କିଛି ବରିଷ୍ଠ ରାଜନେତାଙ୍କୁ ନେଇ ଯାଉଥିବା ବିଶେଷ ଉାଡଣକୁ ରାସ୍ତାରେ ଜୟପୁରକୁ ମୋଡିବାକୁ ପଡିଛି। ଏହି ଘଟଣା ରାଜନୈତିକ ମହଲରେ ହଲଚଲକୁ ଆହୁରି ବଢାଇ ଦେଇଛି।

ଅନ୍ୟପଟେ ଶିବକୁମାରଙ୍କୁ ଆଗାମୀ ମୁଖ୍ୟମନ୍ତ୍ରୀ କରିବା ଚର୍ଚ୍ଚା ମଧ୍ୟ ଏବେ ଜୋର ଧରିଛି। କଂଗ୍ରେସରେ ନୂଆ କ୍ୟାବିନେଟ୍ ଓ ନେତୃତ୍ୱ ପରିବର୍ତ୍ତନକୁ ନେଇ ଲଗାତାର ବୈଠକର ପର୍ବ ଜାରି ରହିଛି। ଏଥିରେ ଦିଲ୍ଲୀରେ ହେବାକୁ ଯାଉଥିବା ବୈଠକକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ ସିଦ୍ଦରମୈୟାଙ୍କୁ ନେଇ ଯାଉଥିବା ଏହି ସ୍ୱତନ୍ତ୍ର ଉଡାଣ ଦିଲ୍ଲୀର ପାଗ ଖରାପ କାରଣରୁ ଅବତରଣ କରିପାରି ନାହିଁ। ଏହା ପରେ ବିମାନକୁ ଜୟପୁର ଆଡକୁ ମୋଡି ଦିଆଯାଇଛି। ଏହି ବିମାନରେ କଂଗ୍ରେସ ଜାତୀୟ ସାଧାରଣ ସମ୍ପାଦକ ତଥା କର୍ଣ୍ଣାଟକ ପ୍ରଭାରୀ ରଣଦୀପ ସୂରଜେୱାଲା ମଧ୍ୟ ଅଛନ୍ତି। ତାଙ୍କ ବ୍ୟତୀତ ମନ୍ତ୍ରୀ କେ.ଜେ. ଜର୍ଜ, ବି.ସୁରେଶ, ଆଇନ ପରାମର୍ଶଦାତା ପୋନନ୍ନା, ସିଦ୍ଦରମୈୟାଙ୍କ ପୁଅ ତଥା ଏମଏଲସି ୟତିନ୍ଦ୍ର ଓ କଂଗ୍ରେସ ସମ୍ପାଦକ ଅଭିଷେକ ଦତ୍ତ ମଧ୍ୟ ବିମାନରେ ଅଛନ୍ତି।

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସିଦ୍ଦରମୈୟା ଦିଲ୍ଲୀରେ କଂଗ୍ରେସ ନେତୃତ୍ୱକୁ ଭେଟିବେ। କୁହାଯାଉଛି ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାମ ଓ ନୂଆ କ୍ୟାବିନେଟର ନିଷ୍ପତ୍ତି ହେବ। କାର୍ଯ୍ୟକ୍ରମ ଅନୁସାରେ ସିଦ୍ଦରମୈୟା ବିଳମ୍ବିତ ରାତ୍ରିରେ ଦିଲ୍ଲୀ ପହଞ୍ଚି ପାରନ୍ତି। ତେବେ ସେ କେବେ ଫେରିବେ ତାହା ନିର୍ଦ୍ଧାରିତ ହୋଇ ନାହିଁ। ଅନ୍ୟପଟେ ସିଦ୍ଦରମୈୟାଙ୍କ ପଛେ ପଛେ ଡି.କେ. ଶିବକୁମାର ମଧ୍ୟ ଦିଲ୍ଲୀ ବାହାରି ଯାଇଥିବା ଜଣାପଡିଛି। ସେ ହୁଏତ କର୍ଣ୍ଣାଟକର ଆଗାମୀ ମୁଖ୍ୟମନ୍ତ୍ରୀ ହୋଇ ପାରନ୍ତି। ସେ ଏୟାର ଇଣ୍ଡିଆ ଫ୍ଲାଇଟ୍ ରେ ଦିଲ୍ଲୀ ପହଞ୍ଚିଛନ୍ତି।