ନୂଆଦିଲ୍ଲୀ: ଗୌହାଟୀରେ ହେବାକୁ ଥିବା ଟେଷ୍ଟ ମ୍ୟାଚରୁ ବାଦ ପଡ଼ିଛନ୍ତି ଶୁଭମନ ଗିଲ । ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ମ୍ୟାଚରୁ ଗିଲଙ୍କୁ ବାଦ୍‌ ଦିଆଯାଇଛି । କୋଲକାତା ଟେଷ୍ଟ ମ୍ୟାଚ୍ରେ ଗିଲ ବେକରେ ଯନ୍ତ୍ରଣା ଅନୁଭବ କରିଥିଲେ । ଫଳରେ ତାଙ୍କୁ ରିଟାୟର୍ଡ ହର୍ଟ ହେବାକୁ ପଡ଼ିଥିଲା । ସେ ଦ୍ୱିତୀୟ ଇନିଂସରେ ମଧ୍ୟ ବ୍ୟାଟିଂ କରିପାରି ନଥିଲେ। ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଗିଲ ଦ୍ୱିତୀୟ ଟେଷ୍ଟରୁ ବାଦ ପଡ଼ିଛନ୍ତି ଏବଂ ତାଙ୍କ ଅନୁପସ୍ଥିତିରେ ରିଷଭ ପନ୍ତ ଦଳର ନେତୃତ୍ୱ ନେବେ।

କୋଲକାତା ଟେଷ୍ଟରେ ଶୁଭମନ ଗିଲଙ୍କୁ ବହୁତ ମିସ୍ କରିଥିଲେ କ୍ରିକେଟ ପ୍ରେମୀ । ସେଠାରେ ଟିମ୍ ଇଣ୍ଡିଆ ୧୨୪ ରନର ଟାର୍ଗେଟ ପିଛା କରିବା ସମୟରେ ୩୦ ରନରେ ପରାସ୍ତ ହୋଇଥିଲା। ବିସିସିଆଇ ଆଜି ଗିଲଙ୍କ ସମ୍ପର୍କରେ ଏକ ଆନୁଷ୍ଠାନିକ ବିବୃତ୍ତି ଜାରି କରି କହିଥିଲା ଯେ, ସେ ଦଳ ସହିତ ଗୌହାଟୀ ଯାତ୍ରା କରିବେ । କିନ୍ତୁ ତାଙ୍କ ଅଂଶଗ୍ରହଣ ବିଷୟରେ ନିଷ୍ପତ୍ତି ଏପର୍ଯ୍ୟନ୍ତ ନିଆଯାଇ ନାହିଁ । ପ୍ରଥମ ଟେଷ୍ଟରେ ଶୁଭମନ ଗିଲଙ୍କ ଅନୁପସ୍ଥିତିରେ ଉପ-ଅଧିନାୟକ ଥିବା ରିଷଭ ପନ୍ତ ମଧ୍ୟ ଦଳର ନେତୃତ୍ୱ ନେଇଥିଲେ। ୨୬ ବର୍ଷୀୟ ପନ୍ତ ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଦଳର ନେତୃତ୍ୱ ନେବେ । ଗିଲଙ୍କ ଅନୁପସ୍ଥିତିରେ ସାଇ ସୁଦର୍ଶନ ପ୍ଲେଇଂ ଏକାଦଶରେ ସାମିଲ ହୋଇପାରନ୍ତି ।

ବୁଧବାର ଦିନ ଜାରି ଏକ ବିବୃତ୍ତିରେ ବିସିସିଆଇ କହିଥିଲା, ‘ଦକ୍ଷିଣ ଆଫ୍ରିକା ବିପକ୍ଷରେ କୋଲକାତା ଟେଷ୍ଟର ଦ୍ୱିତୀୟ ଦିନରେ ଟିମ୍ ଇଣ୍ଡିଆର ଅଧିନାୟକ ଶୁଭମନ ଗିଲଙ୍କ ବେକରେ ଆଘାତ ଲାଗିଥିଲା ଏବଂ ଦିନର ଖେଳ ଶେଷ ହେବା ପରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। ପରଦିନ ତାଙ୍କୁ ଡିସଚାର୍ଜ କରାଯାଇଥିଲା। ଗିଲ୍ ସୁସ୍ଥ ହେଉଛନ୍ତି ଏବଂ ୧୯ ନଭେମ୍ବର ୨୦୨୫ରେ ଦଳ ସହିତ ଗୌହାଟୀ ଯାତ୍ରା କରିବେ।’

ଭାରତ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୦-୧ରେ ପଛରେ ଅଛି। ଏବେ, ସିରିଜ ହାରିବାରୁ ରକ୍ଷା ପାଇବା ପାଇଁ ଟିମ୍ ଇଣ୍ଡିଆକୁ ଯେକୌଣସି ଉପାୟରେ ଗୌହାଟୀ ଟେଷ୍ଟ ଜିତିବାକୁ ପଡିବ। ଡ୍ର ହେଲେ ମଧ୍ୟ ଦକ୍ଷିଣ ଆଫ୍ରିକା ସିରିଜ କବଜା କରିବ। ଏହା ଉଲ୍ଲେଖନୀୟ ଯେ, ଟେମ୍ବା ବାଭୁମା ଅଧିନାୟକ ଭାବରେ କେବେ ବି ଟେଷ୍ଟ ହାରି ନାହାନ୍ତି। ସେ ୧୧ଟି ମ୍ୟାଚରେ ନେତୃତ୍ବ ନେଇଛନ୍ତି । ସେଥିମଧ୍ୟରୁ ୧୦ଟିରେ ବିଜୟୀ ହୋଇଛନ୍ତି ଏବଂ ଗୋଟିଏ ଡ୍ର ହୋଇଛି । ଏବେ ଟିମ୍ ଇଣ୍ଡିଆ ବାଭୁମାଙ୍କୁ ଚକମା ଦେବାକୁ ଚେଷ୍ଟା କରିବ ।