ଚେନ୍ନାଇ ୨।୧୦: ଯେତେବେଳେ ସାରା ଦେଶରେ ଦୁଷ୍ଟର ପ୍ରତୀକ ରାବଣ ପୋଡି ହେଉଛି, ସେତେବେଳେ ତାମିଲନାଡୁ ରାଜଧାନୀ ଚେନ୍ନାରେ ଏକ ଭିନ୍ନ ଘଟଣା ଦେଖା ଯାଇଛି। ପେରିୟାରବାଦୀ ସଙ୍ଗଠନ ଥଂଥଇ ପେରିୟାର ଦ୍ରାବିଡ କଜକମ (ଟିଡିପିକେ) ‘ରାବଣ ଲିଳା’ ଆୟୋଜନ କରି ରାମ, ସୀତା ଓ ଲକ୍ଷ୍ମଣଙ୍କ ପୁତଳିକା ଦହନ କରିଛି। ଏହି ଘଟଣା ମାୟଲାପୁର ସଂସ୍କୃତ କଲେଜ ବାହାରେ ଘଟିଛି। ସଙ୍ଗଠନର ପାଖାପାଖି ୪୦ ଜଣ କାର୍ଯ୍ୟକର୍ତ୍ତା ପୋଲିସ ବାରିକେଡ ଭାଙ୍ଗି ଏପରି କାଣ୍ଡ କରିଛନ୍ତି।

ସଙ୍ଗଠନର ନେତା ଏସ. କୁମାରନ କହିଛନ୍ତି ଯେ ‘ଏହି ବିରୋଧ ସେହି ବିଚାର ବିପକ୍ଷରେ ଯେଉଁଥିରେ ରାମାୟଣରେ ଦ୍ରାବିଡଙ୍କୁ ରାକ୍ଷସ ରୂପେ ଦର୍ଶାଯାଇଛି’। ସେ ଅଭିଯୋଗ କରିଛନ୍ତି ଯେ ପ୍ରତିବର୍ଷ ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଓ କେନ୍ଦ୍ରୀୟ ଭାରତରେ ରାବଣ ଭଳି ପ୍ରସଙ୍ଗର ପୁତ୍ତଳିକା କରି ଦ୍ରାବିଡ ପରିଚୟକୁ ଅପମାନିତ କରାଯାଉଛି। ଏହାର ଜବାବରେ ଆମେ ‘ରାବଣ ଲିଳା’ ଆୟୋଜନ କରୁଥିବା ସେ କହିଛନ୍ତି। କୁମାରନଏହା ପୂର୍ବରୁ ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଦେଶରେ କୁ ପ୍ରଥା ଉପରେ ରୋକ ଲଗାଇବାକୁ ଦାବି କରିଥିଲେ, ହେଲେ ତାଙ୍କୁ ଚିଠର ଉତ୍ତର ମିଳିନାହିଁ ବୋଲି ସେ କହିଛନ୍ତି।

ତେବେ ଚେନ୍ନାଇରେ ଏହି ଆୟୋଜନ ରୋକିବା ପାଇଁ ପୋଲିସ ଫୋର୍ସ ମୁତୟନ ହୋଇଥିଲେ। ହେଲେ ବିକ୍ଷୋଭକାରୀ ବାରିକେଡ ଭାଙ୍ଗି ସେମାନଙ୍କ ବିରୋଧ ପ୍ରଦର୍ଶନ କରିଛନ୍ତି। ଘଟଣା ପରେ ପୋଲିସ ୧୧ ଜଣ କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରିଥିବାବେଳେ କୋର୍ଟରେ ହାଜର କରିଛି। ତେବେ ଦକ୍ଷିଣ ଭାରତୀୟ ରାଜ୍ୟମାନଙ୍କରେ ଏଭଳି ବିରୋଧ କିଛି ନୂଆ କଥା ନୁହେଁ। ୧୯୭୦ ଦଶକରେ ପେରିୟାର ସମର୍ଥକ’ରାମ ଦହନ’ ଆୟୋଜନ କରିଥିଲେ।

୧୯୭୪ ମସିହାରେ ପେରିୟାରଙ୍କ ପତ୍ନୀ ମଣିୟମ୍ମେ ପ୍ରଥମ ଥର ଚେନ୍ନାରେ ରାମଙ୍କ ପ୍ରତିମା ପୋଡି କରିଥିଲେ। ଦୀର୍ଘ ଦଶନ୍ଧୀ ପରେ ପୁଣି ଥରେ ରାଜ୍ୟରେ ଏହି ପରମ୍ପରା ଆରମ୍ଭ ହୋଇଥିବା ବେଳେ ରାମାୟଣ, ଦ୍ରାବିଡ ରାଜନୀତି ଓ ସାଂସ୍କୃତିକ ସଂଘର୍ଷକୁ ନେଇ ବିତର୍କ ଆରମ୍ଭ ହୋଇଯାଇଛି।