ନୂଆଦିଲ୍ଲୀ ୨୭।୧୦: ଜୋତା କାଣ୍ଡ ମାମଲାରେ ସୁପ୍ରିମକୋର୍ଟ ସୋମବାର ବଡ଼ ଟିପ୍ପଣୀ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ମାମଲାକୁ ଅଧିକ ତୁଳ ନ ଦେଇ ତାକୁ ଆପେଆପେ ବନ୍ଦ ହେବାକୁ ଦିଆଯାଉ । ଏହି ଟିପ୍ପଣୀ ସୁପ୍ରିମକୋର୍ଟ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିବା ଜୋତାକାଣ୍ଡ ମାମଲାରେ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ଏହି କାଣ୍ଡ କରିଥିବା ଓକିଲ ରାକେଶ କିଶୋରଙ୍କ ବିରୋଧରେ ଅବମାନନା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ମନା କରିଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ନିଜେ ସିଜେଆଇ ଏହି ଘଟଣାକୁ କ୍ଷମା କରିଦେଇଥିଲେ।

ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟ କାନ୍ତ ଓ ଜଷ୍ଟିସ ଜୟମାଲ୍ୟା ବାଗଚୀଙ୍କ ପୀଠ କହିଛନ୍ତି ଯେ ଏପରି ବ୍ୟବହାର ସିଧାଶଳଖ କୋର୍ଟଙ୍କ ଅବମାନନା। ତେବେ କାର୍ଯ୍ୟାନୁଷ୍ଠାନ କରିବା ବା ନ କରିବା ପୀଠାସୀନ ବିଚାରପତିଙ୍କ ବିବେକ ଉପରେ ନିର୍ଭର କରେ। କୋର୍ଟ କହିଛନ୍ତି ଯେ ଅବମାନନା ନୋଟିସ୍ ଜାରି କଲେ ଓକିଲଙ୍କୁ ବିନା କାରଣରେ ଗୁରୁତ୍ୱ ମିଳିବ ଓ ମାମଲାର ଅବଧି ମଧ୍ୟ ବଢିବ। ଏହା ପରେ କୋର୍ଟ କହିଛନ୍ତି ଯେ ମାମଲାକୁ ତାର ସ୍ୱଭାବିକ ମୃତ୍ୟୁ ହେବାକୁ ଦିଆଯାଉ।

ଉଲ୍ଲେଖଯୋଗ୍ୟ ଯେ ସୁପ୍ରିମକୋର୍ଟ ବାର ଆସୋସିଏସନ ପକ୍ଷରୁ ରୁଜୁ କରାଯାଇଥିବା ଆବେଦନରେ ପୀଠ ଶୁଣାଣି କରିଛନ୍ତି। ଏହି ଆବେଦନରେ ସିଜେଆଇଙ୍କ ଉପରକୁ ଜୋତା ଫିଙ୍ଗିବାକୁ ଉଦ୍ୟମ କରିଥିବା ଓକିଲଙ୍କ ବିରୋଧରେ ଅବମାନନା ମାମଲା ରୁଜୁ କରିବାକୁ ଦାବି କରାଯାଇଥିଲା। ଏହି ଘଟଣା ଅକ୍ଟୋବର ୬ ତାରିଖ ଦିନ କୋର୍ଟ ରୁମ ୧ରେ ଘଟିଥିଲା। ହେଲେ ସୁପ୍ରିମକୋର୍ଟଙ୍କ ପୀଠ ଅବମାନନା ଅଭିଯୋଗରେ ଆଗକୁ ବଢିବାକୁ ମନା କରିଦେଇଛନ୍ତି।