ଢ଼ାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଦେଶର ସାମ୍ପ୍ରତିକ ରାଜନୈତିକ ଅସ୍ଥିରତା ସମ୍ପର୍କରେ ମନ୍ତବ୍ୟ ଦେଇଛନ୍ତି । ସେ ବାଂଲାଦେଶରେ ଚାଲିଥିବା ଅସ୍ଥିରତା, ଆୱାମୀ ଲିଗ ଉପରେ ପ୍ରତିବନ୍ଧକ ଏବଂ ଦେଶରେ ଉଗ୍ରବାଦୀ-ସମର୍ଥିତ ଶାସନର ଉତ୍ଥାନ ବିରୋଧରେ ଅଭିଯୋଗ କରିଛନ୍ତି । ସେ ଆଗାମୀ ସାଧାରଣ ନିର୍ବାଚନରୁ ଆୱାମୀ ଲିଗକୁ ବାଦ ଦେବା ଉପରେ ମଧ୍ୟ ନିଜର ଆପତ୍ତି ପ୍ରକାଶ କରିଛନ୍ତି।

ଶେଖ୍ ହସିନା କହିଛନ୍ତି, ‘ବାଂଲାଦେଶର ସାଧାରଣ ନିର୍ବାଚନ ପ୍ରକ୍ରିୟାରୁ ଆୱାମୀ ଲିଗକୁ ବାଦ ଦେବା ଗଣତାନ୍ତ୍ରିକ ନୀତିର ଏକ ଖୋଲା ଉଲ୍ଲଂଘନ। ଦେଶରେ ଆୱାମୀ ଲିଗର ଉପସ୍ଥିତି ବିନା କୌଣସି ନିର୍ବାଚନ ଗଣତାନ୍ତ୍ରିକ ଭାବରେ ବୈଧ ହୋଇପାରିବ ନାହିଁ। ଏହି ନିର୍ବାଚନ ଏକ ଅଣ ନିର୍ବାଚିତ ଶାସନ ଦ୍ୱାରା ଅସାମ୍ବିଧାନିକ ଢାଞ୍ଚାରେ କରାଯାଉଛି। ଦେଶର ଲୋକମାନେ ୯ ଥର ନିର୍ବାଚିତ କରିଥିବା ଆୱାମୀ ଲିଗକୁ ଏହି ନିର୍ବାଚନ ଲଢ଼ିବାରୁ ବାରଣ କରାଯାଇଛି। ଏହା ଦେଶର ଲକ୍ଷ ଲକ୍ଷ ଭୋଟରଙ୍କ ଗଣତାନ୍ତ୍ରିକ ଅଧିକାରକୁ ହଡ଼ପ କରିବାର ଏକ ସ୍ପଷ୍ଟ ପ୍ରୟାସ।’

ଇଣ୍ଡିଆ ଟୁଡେକୁ ଦେଇଥିବା ସାକ୍ଷାତକାରରେ ଶେଖ୍ ହସିନା କହିଛନ୍ତି, ‘ବାଂଲାଦେଶରେ ଆୱାମୀ ଲିଗ୍ କ୍ଷମତାକୁ ଆସିବ କି ବିରୋଧୀ ଦଳ ହେବ, ତାହା ପ୍ରସଙ୍ଗ ନୁହେଁ । କିନ୍ତୁ ନିର୍ବାଚନ ଲଢ଼ିବାକୁ ଏହାକୁ ବାରଣ କରିବା ଅସାମ୍ବିଧାନିକ । ବାଂଲାଦେଶର ସ୍ୱାର୍ଥ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ, ଆୱାମୀ ଲିଗ୍ ଉପରୁ ପ୍ରତିବନ୍ଧକ ପ୍ରତ୍ୟାହାର କରାଯାଉ । ନଚେତ୍ ଦେଶ ପ୍ରକୃତରେ ବାଂଲାଦେଶର ଲୋକଙ୍କ ସହମତିରେ ଶାସନ କରୁଥିବା ସରକାର ଗଠନ କରିବାର ସୁଯୋଗ ହରାଇବ।ବାଂଲାଦେଶର ଲୋକମାନେ ଦେଶରେ ସ୍ଥିରତା ଚାହାନ୍ତି ଏବଂ ଏହି ପ୍ରତିବନ୍ଧକ ପ୍ରତ୍ୟାହାର ହେବା ଉଚିତ।’

ବାଂଲାଦେଶ ଫେରିବା ବିଷୟରେ ପଚରାଯିବାରୁ ସେ କହିଛନ୍ତି, ‘ବାଂଲାଦେଶ ପ୍ରତି ମୋର ପ୍ରତିବଦ୍ଧତା ଅଟଳ। ମୁଁ ଦେଶର ସମ୍ପୂର୍ଣ୍ଣ ବିକାଶ ପାଇଁ ମୋ ଜୀବନକୁ ଉତ୍ସର୍ଗ କରିଛି । ମୋର ପ୍ରତିବଦ୍ଧତା ଆଜି ମଧ୍ୟ ସେହିପରି ଦୃଢ଼ ରହିଛି। ମୁଁ ମୋ ଦେଶକୁ ଫେରିବାକୁ ଚାହୁଁଛି । କିନ୍ତୁ ଏଥିପାଇଁ ମୋର ସର୍ତ୍ତ ହେଉଛି ଯେ ଗଣତନ୍ତ୍ର ସମ୍ପୂର୍ଣ୍ଣ ପୁନଃସ୍ଥାପିତ ହେଉ। ଏହା ବ୍ୟତୀତ, ବାଂଲାଦେଶରେ ମୁକ୍ତ, ନିରପେକ୍ଷ ନିର୍ବାଚନ ହେବା ଉଚିତ ଏବଂ ଆୱାମୀ ଲିଗକୁ ଏହି ପ୍ରକ୍ରିୟାରେ ପୁନଃ ସାମିଲ କରାଯିବା ଉଚିତ । ବାଂଲାଦେଶର ଜନସାଧାରଣଙ୍କର ନିଜସ୍ୱ ପ୍ରତିନିଧି ଚୟନ କରିବାର ମୌଳିକ ଅଧିକାର ଅଛି।’