ନୂଆଦିଲ୍ଲୀ ୩।୧୧: କଂଗ୍ରେସ ନେତା ଓ କେରଳ ତିରୁଅନନ୍ତପୁରମ ସାଂସଦ ଶଶି ଥରୁର ଦେଶରେ ପରିବାରବାଦ ଓ ବଂଶବାଦ ରାଜନୀତି ଉପରେ କଡ଼ା ପ୍ରହାର କରିଛନ୍ତି। ସେ କହିଛନ୍ତି ଭାରତୀୟ ରାଜନୀତିକୁ ‘ପାରିବାରିକ ବ୍ୟବସାୟ’ରେ ପରିଣତ କରିଛନ୍ତି। ଥରୁର ‘ଇଣ୍ଡିଆନ ପଲିଟିକ୍ସ ଆର ଏ ଫ୍ୟାମିଲି ବିଜନେସ୍’ ଶୀର୍ଷକ ଏକ ଆର୍ଟିକ୍ଲ ଲେଖିଛନ୍ତି। ଏଥିରେ ସେ ସିଧାଶଳଖ ଗାନ୍ଧି-ନେହେରୁ ପରିବାରଙ୍କ ଉଲ୍ଲେଖ କରିଛନ୍ତି। ସେ ଟିଏମସି ମୁଖ୍ୟ ମମତା ବାନାର୍ଜୀ ଓ ବସପା ସୁପ୍ରିମୋ ମାୟାବତୀଙ୍କ ଉଦାହରଣ ଦେଇ କହିଛନ୍ତି ଯେ ଯେତେବେଳେ ସିଧାସଳଖ ​​​​​​​ ଉତ୍ତରାଧିକାରୀ ନ ମିଳିଲେ ଏହି ନେତାମାନେ ସେମାନଙ୍କ ପୁତୁରାଙ୍କୁ ଉତ୍ତରାଧିକାରୀ କରିଦେଇଛନ୍ତି।

ଥରୁର ତାଙ୍କ ନିବନ୍ଧରେ ଲେଖିଛନ୍ତି ଯେ ବଂଶବାଦ ରାଜନୀତି ଭାରତୀୟ ଗଣତନ୍ତ୍ରକୁ ଦୁର୍ବଳ କରିଛି ଓ ଏହି ବିଚାରକୁ ମଜଭୁତ କରିଛି ଯେ ନେତୃତ୍ୱ କାହାରବି ଜନ୍ମସିଦ୍ଧ ଅଧିକାର ହୋଇପାରେ। ସେ ଲେଖିଛନ୍ତି ରାଜନୀତି ପରିବାରର ଲୋକେ ନେତୃତ୍ୱ ନେବାକୁ ଯୋଗ୍ୟ ଏହା ଲୋକଙ୍କ ବିଶ୍ୱାସ ପାଲଟିଯାଇଛି। ଏଣୁ ପଞ୍ଚାୟତରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ପରିବାରବାଦ ଅନୁପ୍ରବେଶ କରିଛି। ଯଦି ନିର୍ବାଚିତ ପଦକୁ ଖାନଦାନୀ ଉତ୍ତରାଧିକାର ମାନି ନିଆଯାଏ ତେବେ ଶାସନର କ୍ୱାଲିଟି ଉପରେ ଖରାପ ପ୍ରଭାବ ପଡିଥାଏ।

ଥରୁର କଂଗ୍ରେସର ରାଜନୀତି ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। କହିଛନ୍ତି ଦୀର୍ଘ ଦଶନ୍ଧୀ ଧରି ଗୋଟିଏ ପରିବାର ଭାରତୀୟ ରାଜନୀତି ଉପରେ ପ୍ରଭୁତ୍ୱ ବିସ୍ତାର କରି ରଖିଛି। ନେହେରୁ-ଗାନ୍ଧି ପରିବାର ଯେଉଁଥିରେ ଜାବାହାର ଲାଲ ନେହେରୁ, ଇନ୍ଦିରା ଗାନ୍ଧି, ରାଜୀବ ଗାନ୍ଧି, ରାହୁଲ ଗାନ୍ଧି ଓ ପ୍ରିୟଙ୍କା ୱାଡ୍ରା ଆଦି ସାମିଲ ଅଛନ୍ତି। ଏମାନଙ୍କ ସମ୍ପର୍କ ସ୍ୱାଧୀନତା ଆନ୍ଦୋଳନ ସହ ନିଶ୍ଚିତ ଥିଲା, ହେଲେ ଏଥିରୁ ଏହି ଧାରଣା ମଧ୍ୟ ଦୃଢିଭୂତ ହୋଇଛି ଯେ ରାଜନୈତିକ ନେତୃତ୍ୱ ଜନ୍ମରୁ ନିର୍ଦ୍ଧାରିତ।

ଶଶି ଥରୁର ଲେଖିଛନ୍ତି ମମତା ବାନାର୍ଜୀ ଓ କୁମାରୀ ମାୟାବତୀଙ୍କ ଭଳି ମହିଳା ନେତାମାନେ ମଧ୍ୟ ଯେଉଁମାନଙ୍କ ସିଧାଶଳଖ ଉତ୍ତରାଧିକାରୀ ନାହାନ୍ତି ସେମାନେ ନିଜନିଜ ପୁରୁରାମାନଙ୍କୁ ଉତ୍ତରାଧିକାରୀ ଭାବେ ଆଗକୁ ବଢାଉଛନ୍ତି। ଥରୁର କହିଛନ୍ତି ଯେ ଏବେ ଭାରତୀୟ ରାଜନୀତିରେ ପରିବାରବାଦ ଜାଗାରେ ଯୋଗ୍ୟତା ଓ ଦକ୍ଷତାକୁ ପ୍ରାଥମିକତା ଦେବାର ସମୟ ଆସିଯାଇଛି। ଏଥି ପାଇଁ ଥରୁର ପରାମର୍ଶ ଦେଇଛନ୍ତି ଯେ ନେତାମାନଙ୍କ କାର୍ଯ୍ୟକାଳ ନିର୍ଦ୍ଧାରଣ କରାଯିବା ଦରକାର। ପାର୍ଟିମାନଙ୍କ ଭିତରେ ଗଣତାନ୍ତ୍ରିକ ନିର୍ବାଚନ ସୁନିଶ୍ଚିତ କରାଯାଉ ଓ ଜନତାଙ୍କୁ ଏତେ ସଚେତନ କରାଯାଉ କି ସେମାନେ ପ୍ରାର୍ଥୀଙ୍କ ଚୟନ ସେମାନଙ୍କ ଯୋଗ୍ୟତା ଆଧାରରେ କରନ୍ତୁ।