ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ "ମୃତ ଅର୍ଥନୀତି" କହିବା ବିରୋଧରେ ବାହାରିଛନ୍ତି କଂଗ୍ରେସ ସାଂସଦ ଶଶି ଥରୁର। ଟ୍ରମ୍ପଙ୍କ ମନ୍ତବ୍ୟ ମିଛ ବୋଲି କହିଛନ୍ତି ଥିରୁଅନନ୍ତପୁରମ ସାଂସଦ। ଏହା ପୂର୍ବରୁ ଟ୍ରମ୍ପଙ୍କ ମନ୍ତବ୍ୟକୁ ସତ ବୋଲି କହିଥିଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ହେଲେ ଏବେ ସେହି ଦଳର ଅନୁଭବୀ ଲିଡରଙ୍କ ଥରୁର କିନ୍ତୁ ଏହାକୁ ମିଛ ବୋଲି କହିଛନ୍ତି।
ଭାରତର ଅର୍ଥନୀତିକୁ ମୃତ ଅର୍ଥନୀତି କହିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଥିଲେ ଯେ ଆମେରିକା ରାଷ୍ଟ୍ରପତି ସଠିକ୍ ତଥ୍ୟ ଦେଇଛନ୍ତି। ଭାରତର ଅର୍ଥନୀତିକୁ ମୋଦୀ ସରକାର ନଷ୍ଟ କରିଦେଇଛନ୍ତି। ହେଲେ ଶୁକ୍ରବାର ଥରୁର କହିଛନ୍ତି ଟ୍ରମ୍ପଙ୍କ କଥାରେ ସତ୍ୟତା ନାହିଁ। ଆମେରିକା ରାଷ୍ଟ୍ରପତିଙ୍କ ବୟାନକୁ ନେଇ ଥରୁରଙ୍କ ପ୍ରଶ୍ନ କରାଯାଇଥିଲା। ଉତ୍ତରରେ ଥରୁରି କହିଥିଲେ ଯେ ସେମିତି କିଛି ନୁହେଁ, ଏକଥା ଆମେ ସମସ୍ତେ ଜାଣନ୍ତି।
ଏହା ପୂର୍ବରୁ ଗତପରଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଚାପ ସୃଷ୍ଟି କରିବା ପାଇଁ ଭାରତ ଆମଦାନୀ ଉପରେ ୨୫ ପ୍ରତିଶତ ଶୁଳ୍କ ଲଗାଇଥିଲେ। ଏବଂ ଋଷ ସହିତ ବ୍ୟବସାୟ ପାଇଁ ପେନାଲ୍ଟି ଲଗାଇବାକୁ ଧମକ ଦେଇଥିଲେ। ପୁଣି କିଛ ସମୟ ପରେ ଉଭୟ ଋଷ ଓ ଭାରତର ଅର୍ଥନୀତି ମୃତ ଅର୍ଥନୀତି ବୋଲି କହିଥିଲେ। ଟ୍ରମ୍ପ କହିଥିଲେ “ଭାରତ ରୁଷ ସହିତ କ’ଣ କରେ ସେ ନେଇ ମୋତେ କୌଣସି ଚିନ୍ତା ନାହିଁ। ସେମାନେ ଦୁହେଁ ମିଶି ସେମାନଙ୍କର ମୃତ ଅର୍ଥନୀତିକୁ ତଳକୁ ପକାଇ ଦେବେ।” ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିବାର କିଛି ଘଣ୍ଟା ପରେ ଟ୍ରମ୍ପ ଟ୍ରୁଥ ଶୋସାଲ୍ରେ ପୋଷ୍ଟ କରି ଏପରି ଲେଖିଥିଲେ।
ଯାହାକୁ ନେଇ ରାହୁଲ କହିଥିଲେ “ହଁ, ସେ ଠିକ୍ କହୁଛନ୍ତି, ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କ ବ୍ୟତୀତ ସମସ୍ତେ ଏହା ଜାଣନ୍ତି। ସମସ୍ତେ ଜାଣନ୍ତି ଯେ ଭାରତୀୟ ଅର୍ଥନୀତି ଏକ ମୃତ ଅର୍ଥନୀତି। ମୁଁ ଖୁସି ଯେ ରାଷ୍ଟ୍ରପତି ଟ୍ରମ୍ପ ସତ କହିଲେ। ସମଗ୍ର ବିଶ୍ୱ ଜାଣେ ଯେ ଭାରତୀୟ ଅର୍ଥନୀତି ଏକ ମୃତ ଅର୍ଥନୀତି। ବିଜେପି ଆଦାନୀଙ୍କୁ ସାହାଯ୍ୟ କରିବା ପାଇଁ ଅର୍ଥନୀତିକୁ ସମାପ୍ତ କରିଛି।” ଚ୍ରମ୍ପଙ୍କ ମନ୍ତବ୍ୟକୁ ସମର୍ଥନ ଆଳରେ ସେ ମୋଦୀ ସରକାରର ନୀତିଗୁଡ଼ିକୁ ସମାଲୋଚନା କରିଥିଲେ। ହେଲେ ଶୁକ୍ରବାର ତାଙ୍କରି ଦଳର ସାଂସଦ ଶଶି ଥରୁର ଟ୍ରମ୍ପଙ୍କ କଥାରେ କିଛି ନାହିଁ ବୋଲି କହିଛନ୍ତି।
ସୂଚନା ଥାଉକି ଶଶି ଥରୁରଙ୍କର କଂଗ୍ରେସ ସହିତ ମତାନ୍ତର ଦୀର୍ଘଦିନ ହେଲା ଲାଗି ରହିଛି। କେଉଁ ମୁହୂର୍ତ୍ତରେ ସେ ଦଳରୁ ବିଦା ହୋଇପାରନ୍ତି ବୋଲି ମିଡିଆରେ ଚର୍ଚ୍ଚା ହେଉଛି। ତେଣୁ ଥରୁର ଏପରି ବୟାନ ଦେଉଛନ୍ତି ବୋଲି କୁହାଯାଉଛି।