News7 Logo

କିଛି ଚାଷୀଙ୍କୁ ଜେଲ୍ ପଠାଇଲେ ଠିକ୍ ସନ୍ଦେଶ ଯିବ... ନଡ଼ା ଜଳାଇବା ଓ ବାୟୁ ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଟିପ୍ପଣୀ

NEWS7
supreme court

ନୂଆଦିଲ୍ଲୀ: ଦିଲ୍ଲୀ-ଏନ୍‌ସିଆରରେ ନଡ଼ା ଜଳାଯିବା ଘଟଣା ଉପରେ ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ଦେଖାଇଛନ୍ତି । ନଡ଼ା ଜଳାଉଥିବା ଲୋକଙ୍କ ବିରୋଧରେ କାହିଁକି ଦଣ୍ଡାତ୍ମକ ପ୍ରାବଧାନ ଗ୍ରହଣ କରାଯିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ସରକାର କାର୍ଯ୍ୟାନୁଷ୍ଠାନ ନେବାକୁ କାହିଁକି ପଛଘୁଞ୍ଚା ଦେଉଛନ୍ତି ବୋଲି ମଧ୍ୟ ପ୍ରଶ୍ନ କରିଥିଲେ । କିଛି ଲୋକଙ୍କୁ ଜେଲ୍ ପଠାଯିବା ଦ୍ୱାରା ହିଁ ସଠିକ୍ ସନ୍ଦେଶ ଯିବ ବୋଲି କହିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ୍ ବିଆର୍ ଗଭାଇ କହିଛନ୍ତି, ଆମେ ଚାଷୀଙ୍କୁ ସମ୍ମାନ କରୁଛୁ କାରଣ ସେମାନେ ଆମଙ୍କୁ ଖାଦ୍ୟ ଦେଉଛନ୍ତି, କିନ୍ତୁ ପରିବେଶକୁ ଦୂଷିତ କରିବା ପାଇଁ କାହାକୁ ବି ଅନୁମତି ଦିଆଯିବ ନାହିଁ । ଏହାସହ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ବାୟୁ ଗୁଣବତ୍ତା ପ୍ରବନ୍ଧନ ଆୟୋଗକୁ ତିନି ମାସ ଭିତରେ ଖାଲି ପଦବୀ ଭର୍ତ୍ତି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଦିଲ୍ଲୀ-ଏନ୍‌ସିଆରରେ ପ୍ରତିବର୍ଷ ଅକ୍ଟୋବରରେ ହେଉଥିବା ବାୟୁ ପ୍ରଦୂଷଣ ସହ ଜଡିତ ଆବେଦନ ଉପରେ ବୁଧବାର ଶୁଣାଣି କରିଛନ୍ତି । ସିଜେଆଇ ଜଷ୍ଟିସ୍ ବିଆର ଗଭାଇ କହିଛନ୍ତି, ନଡ଼ା ଜଳାଇବା ମାମଲାରେ କିଛି ଚାଷୀଙ୍କୁ ଜେଲ୍ ପଠାଯିବା ଅନ୍ୟମାନଙ୍କ ପାଇଁ ଏକ କଠୋର ସନ୍ଦେଶ ହୋଇପାରେ । ସୁପ୍ରିମକୋର୍ଟ ପ୍ରଦୂଷଣ ବୋର୍ଡରେ ଖାଲି ପଡ଼ିଥିବା ପଦବୀଗୁଡ଼ିକୁ ନେଇ ରାଜ୍ୟ ସରକାରକୁ ତାଗିଦ କରିଛନ୍ତି । ଦିଲ୍ଲୀର ପଡ଼ୋଶୀ ରାଜ୍ୟ ଉତ୍ତର ପ୍ରଦେଶ, ହରିୟାଣା, ରାଜସ୍ଥାନ ଓ ପଞ୍ଜାବକୁ ଆଗାମୀ ତିନି ମାସ ଭିତରେ ସମସ୍ତ ଖାଲି ପଦବୀ ପୂରଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟ ବାୟୁ ପ୍ରଦୂଷଣ ରୋକିବା ଉପାୟ ଉପରେ ବାୟୁ ଗୁଣବତ୍ତା ପ୍ରବନ୍ଧନ ଆୟୋଗକୁ ତିନି ସପ୍ତାହ ମଧ୍ୟରେ ରିପୋର୍ଟ ମାଗିଛନ୍ତି । ଏହା ବ୍ୟତୀତ ବାୟୁ ଗୁଣବତ୍ତା ପ୍ରବନ୍ଧନ ଆୟୋଗନ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ମିଳିତ ଭାବେ ଯୋଜନା ପ୍ରସ୍ତୁତ କରିବା ପାଇଁ କହିଛନ୍ତି ।

ପଞ୍ଜାବ ସରକାରଙ୍କ ପକ୍ଷ ରଖିଥିବା ବରିଷ୍ଠ ଆଇନଜୀବୀ ରାହୁଲ ମେହରା କହିଥିଲେ, ପୂର୍ବରୁ ଚାଷୀଙ୍କୁ ଗିରଫ କରାଯାଇଥିଲା, କିନ୍ତୁ ଏଥିରେ ଅଧିକାଂଶ କ୍ଷୁଦ୍ର ଚାଷୀ ଥିଲେ । ସେମାନଙ୍କ ପାଖରେ ଅତି କମ ପରିମାଣର ଜମି ଅଛି ଓ ଯଦି ସେମାନଙ୍କୁ ଜେଲ୍ ପଠାଯାଏ ତେବେ ତାଙ୍କ ପରିବାରର କ'ଣ ହେବ ? ଏହା ଉପରେ ସିଜେଆଇ କହିଥିଲେ ଯେ କୋର୍ଟ ନିୟମିତ ଗିରଫଦାରୀ କଥା କହୁନାହାନ୍ତି, ବରଂ କଡ଼ା ସନ୍ଦେଶ ଦିଆଯିବା କଥା କହୁଛନ୍ତି । ଫଳରେ ଲୋକଙ୍କ ମନରେ ଜେଲ୍ ଯିବା ଭୟ ରହିବ ଓ ନଡ଼ା ଜଳାଯିବା ଘଟଣା ରୋକା ଯାଇପାରିବ । ସୁପ୍ରିମକୋର୍ଟ ପ୍ରଶ୍ନ କରିଥିଲେ ଯେ ଯଦି ପରିବେଶକୁ ରକ୍ଷା କରିବା ଆମର ପ୍ରାଥମିକତା ତେବେ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନରୁ କାହିଁକି ପଛକୁ ହଟିବା ?

ଶୁଣାଣି ବେଳେ ସିଜେଆଇ କହିଥିଲେ, ଖବର କାଗଜରେ ପଡ଼ିଥିଲି ଯେ ନଡ଼ାକୁ ବାୟୋ ଫୁଏଲ୍ ଭାବେ ବ୍ୟବହାର କରାଯାଇ ପାରିବ । ଏହା ଲମ୍ୱା ପ୍ରକ୍ରିୟା ନହେବା ଦରକାର । ଚାଷୀଙ୍କୁ ସମ୍ମାନ ଦେବା ଜରୁରି, କାରଣ ସେମାନଙ୍କ କଠିନ ପରିଶ୍ରମରେ ଦୋଶବାସୀଙ୍କ ପେଟ ପୁରେ, କିନ୍ତୁ ପରିବେଶର ସୁରକ୍ଷା ଜରୁରି ଅଟେ । ଏମାଇକସ୍ ଅପରାଜିତା ସିଂହ କୋର୍ଟଙ୍କୁ ଜଣାଇଥିଲେ ଯେ କେନ୍ଦ୍ର ସରକାର ଚାଷୀଙ୍କୁ ଉପକରଣ ଓ ସବସିଡି ପ୍ରଦାନ କରୁଛନ୍ତି । କର୍ପୋରେଟ୍‌କୁ ୮୦ ପ୍ରତିଶତ ଓ ବ୍ୟକ୍ତିଗତ ଚାଷୀଙ୍କୁ ୫୦ ପ୍ରତିଶତ ଯାଏ ସବସିଡି ଉପଲବ୍ଧ କରାଯାଉଛି, ତଥାପି ନଡ଼ା ଜଳାଯିବାର ସମସ୍ୟା ଜାରି ରହିଛି । ସିଜେଆଇ କଠୋର ଆଭିମୁଖ୍ୟ ଦେଖାଇ କହିଥିଲେ, ଯଦି ଶୀଘ୍ର ନିଷ୍ପତ୍ତି ନିଆ ନଯାଏ ତେବେ ସୁପ୍ରିମକୋର୍ଟ ନିଜେ ଆଦେଶ ଜାରି କରିବେ । ଏଏସ୍‌ଜିଙ୍କ ଅନୁରୋଧରେ ସ୍ଥିତି ଉପରେ ରିପୋର୍ଟ ଦାଖଲ କରାଯିବା ପରେ ଆଗାମୀ ସପ୍ତାହରେ ପରବର୍ତ୍ତୀ ଶୁଣାଣି ପାଇଁ ସୁପ୍ରିମକୋର୍ଟ ରାଜି ହୋଇଥିଲେ ।