ନୂଆଦିଲ୍ଲୀ: ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏକ ଅଭୂତପୂର୍ବ ସଫଳତା ହାସଲ କରିଛନ୍ତି ବୈଜ୍ଞାନିକମାନେ। ଲାବ୍ରୋଟୋରୀ ଭିତରେ କୃତ୍ରିମ ଉପାୟରେ ମଣିଷର କ୍ଷୁଦ୍ର ମସ୍ତିଷ୍କ (Mini Brains) ବା "ବ୍ରେନ୍ ଅର୍ଗାନଏଡ୍ସ" ବିକଶିତ କରାଯାଉଛି। ଏହି ଗବେଷଣା ମାନବ ମସ୍ତିଷ୍କର ଜଟିଳ ଗଠନ, ବିଭିନ୍ନ ସ୍ନାୟୁଗତ ରୋଗର ଚିକିତ୍ସା ଏବଂ ଭବିଷ୍ୟତର ବାୟୋ-କମ୍ପ୍ୟୁଟିଂ କ୍ଷେତ୍ରରେ ଏକ ବିପ୍ଳବ ଆଣିବ ବୋଲି କୁହାଯାଉଛି ।

'ମିନି ବ୍ରେନ୍' କ’ଣ ?
'ମିନି ବ୍ରେନ୍' ହେଉଛି ଲାବ୍ରୋଟୋରୀରେ ପେଟ୍ରି ଡିସ୍ ମଧ୍ୟରେ ବୃଦ୍ଧି କରାଯାଉଥିବା ୩-ଡି ସ୍ନାୟୁ କୋଷିକାର ସମାହାର। ଏହା ସମ୍ପୂର୍ଣ୍ଣ ଭାବେ ଏକ ବାସ୍ତବ ମଣିଷ ମସ୍ତିଷ୍କ ପରି ଭାବିପାରେ ନାହିଁ, କିନ୍ତୁ ଏହାର ଗଠନ ଓ ବୈଦ୍ୟୁତିକ ସଙ୍କେତ ଆଦାନ-ପ୍ରଦାନ କରିବାର କ୍ଷମତା ପ୍ରାକୃତିକ ମସ୍ତିଷ୍କ କୋଷ ସହ ବହୁତ ସମାନ।

ବୈଜ୍ଞାନିକମାନେ ମାନବ ଶରୀରର ଷ୍ଟେମ୍ ସେଲକୁ ସଂଗ୍ରହ କରି ସ୍ୱତନ୍ତ୍ର ପୋଷକ ତତ୍ତ୍ୱ ଯୋଗାଇ ଦିଅନ୍ତି।  ଏହି କୋଷଗୁଡ଼ିକୁ ଏକ ସ୍ୱତନ୍ତ୍ର ବାୟୋରିଆକ୍ଟର ମଧ୍ୟରେ ରଖାଯାଏ, ଯାହା ସେଗୁଡ଼ିକୁ ୩-ଡି ଆକାରରେ ବୃଦ୍ଧି ପାଇବାରେ ସାହାଯ୍ୟ କରେ। କିଛି ସପ୍ତାହ ମଧ୍ୟରେ ଏହି କୋଷଗୁଡ଼ିକ ନ୍ୟୁରନରେ ପରିଣତ ହୁଅନ୍ତି ଏବଂ ନିଜ ମଧ୍ୟରେ ବୈଦ୍ୟୁତିକ ସଙ୍କେତ ପ୍ରବାହିତ କରିବା ଆରମ୍ଭ କରନ୍ତି।

ଆଲଜାଇମର, ପାର୍କିନ୍ସନ୍, ଅଟିଜିମ୍ ଏବଂ ସ୍କିଜୋଫ୍ରେନିଆ ପରି ରୋଗଗୁଡ଼ିକ କିପରି ସୃଷ୍ଟି ହୁଏ, ତାହା ଅଧ୍ୟୟନ କରିବାରେ ଏହି ମିନି ମସ୍ତିଷ୍କ ସାହାଯ୍ୟ କରୁଛି। ବର୍ତ୍ତମାନ ଏହି କୃତ୍ରିମ ଜୈବିକ କୋଷଗୁଡ଼ିକୁ କମ୍ପ୍ୟୁଟର ଚିପ୍ ସହ ଯୋଡ଼ି ତଥ୍ୟ ବିଶ୍ଳେଷଣ ପାଇଁ ପରୀକ୍ଷା କରାଯାଉଛି। ଏହା ସିଲିକନ୍ ଚିପ୍ ତୁଳନାରେ ବହୁତ କମ୍ ଶକ୍ତି ଖର୍ଚ୍ଚ କରି କାର୍ଯ୍ୟ କରିପାରିବ। ନୂଆ ଔଷଧର ପ୍ରଭାବ ମଣିଷ ମସ୍ତିଷ୍କ ଉପରେ କିପରି ପଡ଼ୁଛି, ତାହା  ପଶୁ ଶରୀରରେ ପରୀକ୍ଷା ନକରି ଏହି ମିନି ବ୍ରେନ୍‌ରେ ପରୀକ୍ଷା କରାଯାଇପାରିବ।

ବିଜ୍ଞାନ ଓ AIର ମିଶ୍ରଣରେ 'ବାୟୋ-କମ୍ପ୍ୟୁଟିଂ' ଜଗତରେ ଏହା ଏକ ବଡ଼ କ୍ରାନ୍ତି ଆଣିବାକୁ ଯାଉଛି। ଯଦିଓ ଏହି ମିନି-ବ୍ରେନଗୁଡ଼ିକର କୌଣସି ଅନୁଭୂତି ବା ସେଚତନତା ନାହିଁ, ତଥାପି ଏହାର ବ୍ୟବହାର ନେଇ ନୈତିକ ନିୟମାବଳୀ ଉପରେ ମଧ୍ୟ ବୈଜ୍ଞାନିକମାନେ ଧ୍ୟାନ ଦେଉଛନ୍ତି।