ବଦଳିଲା ମହାରାଷ୍ଟ୍ର ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ନିର୍ବାଚନ ତାରିଖ, ଏବେ ୫ ନୁହେଁ ୯ ଫେବୃଆରୀରେ ହେବ ଭୋଟ

NEWS7
sbi-cuts-loan-interest-rate-by-25-bps-on-this-short-term-tenure

ମୁମ୍ବାଇ ୨୯।୧: ମହାରାଷ୍ଟ୍ର ରାଜ୍ୟ ନିର୍ବାଚନ ଆୟୋଗ ଆଗାମୀ ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ନିର୍ବାଚନ ତାରିଖ ବଦଳାଇଛନ୍ତି। ଆଗରୁ ଏହି ନିର୍ବାଚନ ଫେବୃଆରୀ ୫ ତାରିଖକୁ ଧାର୍ଯ୍ୟ କରାଯାଇଥିଲା। ହେଲେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପରଲୋକ କାରଣରୁ ଆୟୋଗ ସଂଶୋଧିତ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। ଏହି ନିର୍ବାଚନ ଫେବୃଆରୀ ୫ରେ ହୋଇଥାନ୍ତା ଓ ୭ ତାରିଖରେ ଭୋଟ ଗଣନା ଲାଗି ନିର୍ଦ୍ଧାରିତ ଥିଲା। ହେଲେ ଏବେ ଫେବୃଆରୀ ୯ ତାରିଖରେ ଭୋଟ ଗ୍ରହଣ ହେବ।

ରାଜ୍ୟ ନିର୍ବାଚନ ଆୟୋଗ ୧୨ ଜିଲ୍ଲା ପରିଷଦ ଓ ଏହା ଅନ୍ତର୍ଗତ ୧୨୫ ପଞ୍ଚାୟତ ସମିତି ନିମନ୍ତେ ନିର୍ବାଚନ କାର୍ଯ୍ୟସୂଚୀ ଜାନୁୟାରୀ ୧୩ ତାରିଖରେ ଘୋଷଣା କରିଥିଲେ। ସେହି ଅନୁସାରେ ନାମାଙ୍କନପତ୍ର ଦାଖଲ, ପ୍ରତ୍ୟାହାର, ନିର୍ବାଚନ ସଂକେତ ବିତରଣ ଓ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକ୍ରିୟା ଚୂଡାନ୍ତ ହୋଇ ସାରିଛି। ପରବର୍ତ୍ତି ପଦକ୍ଷେପରେ ଭୋଟ ଗ୍ରହଣ, ଭୋଟ ଗଣନା ଓ ନିର୍ବାଚିତ ଜନ ପ୍ରତିନିଧିଙ୍କ ନାମ ଗେଜେଟରେ ପ୍ରକାଶନ ଆଦି ରହିଛି। ତେବେ ସୁପ୍ରିମକୋର୍ଚ ଏହି ନିର୍ବାଚନ ଲାଗି ୩୧ ଜାନୁୟାରୀ ୨୦୨୬ ପରେ ମାତ୍ର ୨ ସପ୍ତାହ ସମୟ ଦେଇଛନ୍ତି।

ତେବେ ଜାନୁୟାରୀ ୨୮ ତାରିଖ ବିମାନ ଦୁର୍ଘଟଣାରେ ଅଜିତ ପାୱାରଙ୍କ ପରଲୋକ ପରେ ରାଜ୍ୟ ସରକାର ୩ ଦିନିଆ ରାଜ୍ୟ ଶୋକ ଘୋଷଣା କରିଛନ୍ତି। ରାଜ୍ୟ ଶୋକକୁ ଧ୍ୟାନରେ ରଖି ଜିଲ୍ଲା ପରିଷଦ ଓ ପଞ୍ଚାୟତ ସମିତି ନିର୍ବାଚନର ବାକି ପର୍ଯ୍ୟାୟ ପରିବର୍ତ୍ତିତ ହୋଇଛି। ସେହି ଅନୁସାରେ ସମ୍ବଦ୍ଧିତ ଜିଲ୍ଲା କଲେକ୍ଟରମାନେ ୩୧ ଜାନୁୟାରୀ ୨୦୨୬ରେ ସଂଶୋଧିତ ନିର୍ବାଚନୀ କାର୍ଯ୍ୟକ୍ରମର ନୋଟିଫିକେସନ ପ୍ରକାଶନ କରିବେ।