ନୂଆଦିଲ୍ଲୀ ୧୯।୯: କଂଗ୍ରେସ ନେତା ସାମ ପିତ୍ରୋଡା ପୁଣି ଥରେ ବିବାଦୀୟ ବୟାନ ଦେଇ ଚାଞ୍ଚଲ୍ୟ କରିବା ପରେ ଏହା ଉପରେ ଏବେ ସଫେଇ ଦେଇଛନ୍ତି। ସେ କହିଛନ୍ତି ଯେ ତାଙ୍କ ବୟାନକୁ ‘ସନ୍ଦର୍ଭରୁ ହଟି ଉପସ୍ଥାପନ କରାଯାଇଛି’। ସେ କହିଛନ୍ତି ତାଙ୍କର ଉଦ୍ଦେଶ୍ୟ କେବଳ ଭାରତୀୟ ଉପମହାଦ୍ୱୀପର ପୁରୁଣା ଇତିହାସ ଓ ଲୋକଙ୍କ ପାରସ୍ପରିକ ସମ୍ବଦ୍ଧ ପ୍ରତି ନିଜର ସହଜତା ଦର୍ଶାଇବା ଥିଲା। ତେବେ ଗଣମାଧ୍ୟମ ଏହାକୁ ଅପଭ୍ରଂଶ କରି ପାକିସ୍ତାନକୁ ମୋ ଘର କରିଦେଇଛନ୍ତି।

ସେ ଏ ନେଇ ଏକ୍ସ ରେ ଏକ ପୋଷ୍ଟ ମଧ୍ୟ କରିଛନ୍ତି।  ତେବେ ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ‘ପାକିସ୍ତାନକୁ ଘର ଭଳି’ କହି କଂଗ୍ରେସର ଓଭରସିଜ ବିଭାଗ ମୁଖ୍ୟ ସାମ ପିତ୍ରୋଡା ବିଜେପିକୁ ଏକ ବଡ଼ ପ୍ରସଙ୍ଗ ଦେଇଛନ୍ତି। ଏହା ପୂର୍ବରୁ ପିତ୍ରୋଡା ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ୧୯୮୪ ଶିଖ ଦଙ୍ଗାକୁ ନେଇ ବିବାଦୀୟ ବୟାନ ଦେଇଥିଲେ। ସେହିପରି ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ପୈତୃକ ସମ୍ପତ୍ତିକୁ ଗରୀବଙ୍କ ମଧ୍ୟରେ ବାଣ୍ଟିବାର ଉପଦେଶ ଦେଇ କଂଗ୍ରେସ ଲାଗି ସମସ୍ୟା ସୃଷ୍ଟି କରିଥିଲେ।

ସାମ ପିତ୍ରୋଡାଙ୍କ ବିବାଦୀୟ ବୟାନ ସହିତ ପୁରୁଣା ସମ୍ପର୍କ ରହିଛି। ସେ ଭାରତୀୟଙ୍କୁ ଅଲଗା ଅଲଗା ବିଦେଶୀ ଜାତି ସହ ଯୋଡି ବୟାନ ବି ଦେଇଛନ୍ତି। ୨୦୨୪ରେ ସେ କହିଥିଲେ ପୂର୍ବୋତ୍ତର ଭାରତର ଲୋକେ ଚୀନ, ଉତ୍ତର ଭାରତୀୟ ୟୁରୋପୀୟ, ପଶ୍ଚିମ ଭାରତୀୟ ଲୋକେ ଆରବ ଓ ଦକ୍ଷିଣ ଭାରତୀୟ ଲୋକେ ଆଫ୍ରିକୀୟ ପ୍ରଜାତିର କହି ବିବାଦ ସୃଷ୍ଟି କରିଥିଲେ। ତେବେ ପିତ୍ରୋଡା ଯେତେବେଳେ ଯାହା ବି କହନ୍ତି କଂଗ୍ରେସ ତାଙ୍କ ବୟାନରୁ ନିଜକୁ ଦୂରେଇ ନିଏ।

ଶୁକ୍ରବାର ଦେଇଥିବା ବୟାନ ପରେ ବି ତାହା ଦେଖା ଯାଇଛି। ସାମ ପିତ୍ରୋଡାଙ୍କ ବୟାନ ସମ୍ପର୍କରେ ଯେତେବେଳେ କଂଗ୍ରେସ ମିଡିଆ ସେଲ ମୁଖ୍ୟ ପବନ ଖେଡାଙ୍କୁ ପଟରାଗଲା ସେ ତାହା ଦେଖି ନଥିବା କହିଛନ୍ତି। କେବଳ କଂଗ୍ରେସ ନୁହେଁ କଂଗ୍ରେସ ସହ ମେଣ୍ଟ କରିଥିବା ରାଜନୈତିକ ଦଳମାନେ ମଧ୍ୟ ଏପରି ବୟାନବାଜୀରୁ ନିଜକୁ ଦୂରେଇ ରଖିଛନ୍ତି। ତେବେ ବିରୋଧୀ ବିଜେପି ବୟାନକୁ ନେଇ ମୁଖର ହୋଇଉଠିଛି।