LIVE TV

ଆଦାନୀ ପ୍ରପର୍ଟିଜ୍‌କୁ ସମ୍ପତ୍ତି ବିକିବା ପାଇଁ ସାହାରା ଗ୍ରୁପ୍‌ର ପ୍ରସ୍ତୁତି, ଅନୁମତି ପାଇଁ ସୁପ୍ରିମକୋର୍ଟରେ କଲା ଆବେଦନ

NEWS7
supreme court

ନୂଆଦିଲ୍ଲୀ: ସାହାରା ଗ୍ରୁପର କମ୍ପାନିଗୁଡ଼ିକର ଭବିଷ୍ୟତ ରଣନୀତି ଉପରେ ଏକ ବଡ଼ ଖବର ସାମନାକୁ ଆସିଛି । କମ୍ପାନିର ନୀତି ନିର୍ଦ୍ଧାରକମାନେ ଗ୍ରୁପର ସମ୍ପତ୍ତିଗୁଡ଼ିକୁ ଆଦାନୀ ଗ୍ରୁପକୁ ବିକ୍ରି କରିବା ପାଇଁ ପ୍ରସ୍ତୁତି କରୁଛନ୍ତି । ଏହାର ଅନୁମତି ପାଇଁ ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ ଖରାଯାଇଛି । ସାହାରା ଇଣ୍ଡିଆ କମର୍ସିଆଲ୍ କର୍ପୋରେସନ୍ ଲିମିଟେଡ୍ ମହାରାଷ୍ଟ୍ରରେ ଏମ୍ୱି ଭ୍ୟାଲି ଓ ଲକ୍ଷ୍ନୌରେ ସାହାରା ସହର ସମେତ ବିଭିନ୍ନ ସମ୍ପତ୍ତିକୁ ଆଦାନୀ ପ୍ରପର୍ଟିଜ ଲିମିଟେଡ୍‌କୁ ବିକ୍ରି କରିବା ଅନୁମତି ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ଏହି ଆବେଦନ ଉପରେ ସମ୍ଭବତଃ ଅକ୍ଟୋବର ୧୪ରେ ଶୁଣାଣି ହୋଇପାରେ ।

ଆଇନଜୀବୀ ଗୌତମ ଅବସ୍ତୀଙ୍କ ଦ୍ୱାରା ଦାଖଲ ଆବେଦନରେ ସାହାରା ଗ୍ରୁପର ସମ୍ପତ୍ତି ବିକ୍ରି ପାଇଁ ଅନୁମତି ମଗାଯାଇଛି । ଗ୍ରୁପର ସମ୍ପତ୍ତିଗୁଡ଼ିକୁ ୨୦୨୫ ସେପ୍ଟେମ୍ୱରର ଟର୍ମ ସିଟ୍‌ରେ ନିର୍ଦ୍ଧାରିତ ନିୟମ ଓ ସର୍ତ୍ତରେ ଆଦାନୀ ପ୍ରପର୍ଟିଜ ପ୍ରାଇଭେଟ୍ ଲିମିଟେଡକୁ ବିକ୍ରି କରିବା ପାଇଁ ମଞ୍ଜୁରି ଦେବାକୁ କୁହାଯାଇଛି । ଆବେଦନରେ କୁହାଯାଇଛି ଯେ ନ୍ୟାୟାଳୟଙ୍କ ଦ୍ୱାରା ସମୟ ସମୟରେ ପାରିତ ବିଭିନ୍ନ ଆଦେଶ ପାଳନ କରି କୋର୍ଟଙ୍କ ଅନୁମତି ହାସଲ କରି, ଏସଆଇସିସିଏଲ୍ ଓ ସାହାରା ଗ୍ରୁପ୍ କଠିନ ସମୟରେ ନିଜର କିଛି ସମ୍ପତ୍ତି ବିକ୍ରି କରିପାରିବ । ଏହାର ଆୟକୁ ସେବି-ସାହାରା ରିଫଣ୍ଡ ଖାତାରେ ଜମା କରାଯିବ ।

ବୟାନରେ କୁହାଯାଇଛି ଯେ ମୋଟ ୨୪,୩୦୦ କୋଟି ଟଙ୍କାର ମୂଳ ରାଶି ମଧ୍ୟରୁ ସାହାରା ଗ୍ରୁପ ନିଜର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ବିକ୍ରି/ଲିକ୍ୱିଡେସନ ଜରିଆରେ ପ୍ରାୟ ୧୬,୦୦୦ କୋଟି ଟଙ୍କା ସଂଗ୍ରହ କରି ସେବି-ସାହାରା ରିଫଣ୍ଡ ଖାତାରେ ଜମା କରାଯାଇଛି । ପ୍ରତିଷ୍ଠିତ ଇଷ୍ଟେଟ୍ ବ୍ରୋକରେଜ୍ କମ୍ପାନିଗୁଡ଼ିକର ସାହାଯ୍ୟ ନେଇ ସୁଦ୍ଧା ସାହାରା ଗ୍ରୁପର ସମ୍ପତ୍ତିକୁ ଲିକ୍ୱିକେଟ କିମ୍ବା ବିକ୍ରି କରିବାରେ ସେବିର ଅସମର୍ଥତାକୁ ଏଥିରେ ଦର୍ଶାଯାଇଛି । SICCL କହିଛି ଯେ ସେବି-ସାହାରା ରିଫଣ୍ଡ ଆକାଉଣ୍ଟରେ ଜମା ହୋଇଥିବା ସମ୍ପୂର୍ଣ୍ଣ ରାଶି ସାହାରା ଗ୍ରୁପର ପ୍ରୟାସରେ ବହୁ କଷ୍ଟରେ ଜମା କରାଯାଇଥିଲା ।

ଏସଆଇସିସିଏଲ୍ ଆହୁରି କହିଛି ଯେ ନଭେମ୍ବର ୨୦୨୩ରେ ସାହାରା ଗ୍ରୁପ୍ ମୁଖ୍ୟ ସୁବ୍ରତ ରାୟଙ୍କ ମୃତ୍ୟୁ ପରେ, ଗ୍ରୁପ୍ ତାର ଏକମାତ୍ର ନୀତି ନିର୍ମାତାଙ୍କୁ ହରାଇଛି । ସେ ତାଙ୍କ ଜୀବନକାଳ ମଧ୍ୟରେ ଗ୍ରୁପ୍ ପକ୍ଷରୁ ସମସ୍ତ ନିଷ୍ପତ୍ତି ନେଉଥିଲେ । ଆବେଦନରେ କୁହାଯାଇଛି, "ଦିବଙ୍ଗତ ସୁବ୍ରତ ରାୟଙ୍କ ପରିବାର ସଦସ୍ୟମାନେ ସାହାରା ଗ୍ରୁପର ଦୈନନ୍ଦିନ ବ୍ୟବସାୟିକ କାର୍ଯ୍ୟ ଏବଂ ପରିଚାଳନାରେ ଜଡିତ ନଥିଲେ । ତେବେ ନିବେଶକଙ୍କ ସ୍ୱାର୍ଥ ରକ୍ଷା ପାଇଁ ପରିବାର ସଦସ୍ୟଙ୍କ ଇଚ୍ଛାକୁ ଧ୍ୟାନରେ ରଖି, ସାହାରା ଗ୍ରୁପର ସମ୍ପତ୍ତିଗୁଡ଼ିକୁ ସର୍ବାଧିକ ମୂଲ୍ୟରେ ଓ ଶୀଘ୍ର ବିକ୍ରି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହାଦ୍ୱାରା କୋର୍ଟଙ୍କ ଆଦେଶନକୁ ପାଳନ କରାଯାଇପାରିବ । ଏସଆଇସିସିଏଲ୍ କହିଛି ଯେ ଏହି ନିଷ୍ପତ୍ତି ସମସ୍ତ ଅଂଶୀଦାର, ବିଶେଷକରି ସାହାରା ଗ୍ରୁପର ନିବେଶକଙ୍କ ସ୍ୱାର୍ଥରେ ନିଆଯାଇଛି ।