News7 Logo

ୟୁକ୍ରେନ ଯୁଦ୍ଧ ମଧ୍ୟରେ ଏବେ ମନି ୱାର , ରୁଷ୍ ୟୁରୋପକୁ ଦେଲା ‘କାର୍ଯ୍ୟାନୁଷ୍ଠାନ’ର ୱାର୍ଣ୍ଣିଂ

NEWS7
-

ନୂଆଦିଲ୍ଲୀ – ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଦୁଇ ଦେଶ ପ୍ରତିଦିନ ପରସ୍ପର ଉପରେ ଆକ୍ରମଣ କରୁଛନ୍ତି। ଅନେକ ଧମକ ଚମକ ମଧ୍ୟରେ ବୋମା ମାଡ଼ ହେଉଛି। ଏହି ମଧ୍ୟରେ ରୁଷ୍ ସୋମବାର ୟୁରୋପୀୟ ଦେଶ ଗୁଡ଼ିକୁ କଡ଼ା ଚେତାବନୀ ଦେଇଛି। ରୁଷ୍‌ କହିଛି ଯେ, ସେ ସେହି ୟୁରୋପୀୟ ଦେଶର ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବ ଯିଏ ତାର ସଂପତ୍ତିକୁ ହଡ଼ପ କରିବାକୁ ଚେଷ୍ଟା କରିବ। ଉଲ୍ଲେଖନୀୟ ଯେ, ନିକଟରେ କିଛି ଖବର ଆସିଥିଲା , ଯେଉଁଥିରେ ଦାବି କରାଯାଇଛି ଯେ, ୟୁରୋପୀୟ ସଂଘ ୟୁକ୍ରେନ୍‌ର ସାହାଯ୍ୟ ପାଇଁ ଶହ ଶହ ବିଲିୟନ ଡଲାରର ଜବତ ରୁଷିଆ ସଂପତ୍ତିର ଲାଭ ଉଠାଇବାର ନୂଆ ଉପାୟ ତଲାସ କରୁଛି।

କହି ରଖୁଛୁ ଯେ, ରୁଷ୍ –ୟୁକ୍ରେନ୍‌ ଯୁଦ୍ଧ ଆରମ୍ଭ ହେବାର ତୁରନ୍ତ ପରେ ଆମେରିକା ଓ ଏହାର ସହଯୋଗୀମାନେ ରୁଷୀୟ କେନ୍ଦ୍ରୀୟ ବ୍ୟାଙ୍କ ଓ ଅର୍ଥ ମନ୍ତ୍ରଣାଳୟ ସହ ନେଣଦେଣ ଉପରେ ରୋକ୍‌ ଲଗେଇ ଦେଇ ଥିଲେ। ଏହି ସମୟରେ ୩୦୦-୩୫୦ ବିଲିୟନ ଡଲାରର ରୁଷୀୟ ସଂପତ୍ତିକୁ ୟୁରୋପୀୟ ଡିପୋଜିଟରୀରେ ଜମା କରିଦିଆ ଗଲା,ଯେଉଁଥିରେ ଅଧିକାଂଶ ୟୁରୋପୀୟ, ଆମେରିକୀୟ ଓ ବ୍ରିଚଟିଶ୍‌ ସରକାରୀ ବଣ୍ଡ ସାମିଲ ଅଛି।

ରୟଟର୍ସର ରିପୋର୍ଟ ଅନୁସାରେ , ୟୁରୋପୀୟ ଆୟୋଗର ଅଧ୍ୟକ୍ଷ ଉର୍ସୁଲା ଭନ୍‌ ଡେର୍‌ ଲେୟେନ ଚାହାନ୍ତି ଯେ, ୟୁରୋପୀୟ ସଂଘ , ୟୁରୋପରେ ଜମା ରୁଷୀୟ ସଂପତ୍ତି ସହ ଜଡ଼ିତ ନଗଦ ବାଲାନ୍ସ ବ୍ୟବହାର କରି ୟୁକ୍ରେନର ପ୍ରତିରକ୍ଷା ପାଇଁ ରୁଷ୍‌ ବିରୋଧରେ ଅର୍ଥ ପୋଷଣର ନୂଆ ଉପାୟ ଖୋଜନ୍ତୁ। ପୋଲିଟିକୋର ରିପୋର୍ଟ ମୁତାବିକ୍, ୟୁରୋପୀୟ ଆୟୋଗ ୟୁକ୍ରେନ ପାଇଁ କ୍ଷତିପୂର୍ଣ୍ଣ ଋଣର ଅର୍ଥପୋଷଣ ପାଇଁ ରୁଷ୍‌ ମାଲିକାନାରେ ଥିବା ପରିପକ୍ୱ ବଣ୍ଡେ ୟୁରୋପୀୟ କେନ୍ଦ୍ରୀୟ ବ୍ୟାଙ୍କ୍‌ରେ ଜମା ରୁଷୀୟ ନଗଦ ରାଶିର ବ୍ୟବହାର କରିବା ଉପରେ ବିଚାର କରୁଛନ୍ତି।

ଏହାକୁ ନେଇ ପୂର୍ବତନ ରୁଷିଆ ରାଷ୍ଟ୍ରପତି ଡିମିତ୍ରୀ ମେଦଭେଦେବ ଟେଲିଗ୍ରାମ୍‌ରେ ଲେଖିଛନ୍ତି ଯେ, ଯଦି ଏମିତି ହୁଏ ତ ରୁଷିଆ ଶତାବ୍ଦୀର ଶେଷ ସୁଦ୍ଧା ୟୁରୋପୀୟ ସଂଘର ଦେଶ , ବ୍ରୁସେଲ୍ସର ୟୁରୋପୀୟ ଅଧିକାରୀମାନେ ଓ ସେହି ଦେଶଗୁଡ଼ିକ ଉପରେ ଚାପ ପକାଇବ ,ଯିଏ ତାର ସଂପତ୍ତି ହଡ଼ପ କରିବାକୁ ଚେଷ୍ଟା କରିବ।

ରୁଷ୍‌ର ସୁରକ୍ଷା ପରିଷଦର ଉପାଧ୍ୟକ୍ଷ ମେଦଭେଦେବ କହିଛନ୍ତି ଯେ, ରୁଷ୍‌ ୟୁରୋପୀୟ ଦେଶ ଗୁଡ଼ିକ ବିରୋଧରେ ଯେକୌଣସି ଉପାୟରେ ଆନ୍ତର୍ଜାତୀୟ ଓ ରାଷ୍ଟ୍ରୀୟ କୋର୍ଟରେ , ଏହାସହ କୋର୍ଟ ବାହାରେ ମଧ୍ୟ ମୋକଦମା ଚଲାଇବ। ରୁଷ୍‌ର କହିବାନୁସାରେ , ତାର ସଂପତ୍ତିର କୌଣସି ପ୍ରକାରର ଜବତ ପାଶ୍ଚାତ ଦେଶ ଗୁଡ଼ିକ ଦ୍ୱାରା ଚୋରି ସହ ସମାନ ଏବଂ ଏଥିରେ ଆମେରିକା ଓ ୟୁରୋପୀୟ ବଣ୍ଡ ଓ ମୁଦ୍ରା ଉପରେ ବିଶ୍ୱାସକୁ ହ୍ରାସ କରିବ।