LIVE TV

୫୦ରୁ ଅଧିକ ମିସାଇଲ ...୫୦୦ଡ୍ରୋନ୍ ସହ ରୁଷ୍‌ର ଆତଙ୍କ ଲୀଳା , ୟୁକ୍ରେନ ଉପରେ ପୁଣି ବୋମା ମାଡ଼ ; ୫ ମୃତ

NEWS7
Russian air attack on Ukraine

ନୂଆଦିଲ୍ଲୀ : ରୁଷ - ୟୁକ୍ରେନ ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ବିପଜ୍ଜନକ ସ୍ଥିତିରେ ପହଞ୍ଚିଛି। ପୁଣିଥରେ ରୁଷ ୟୁକ୍ରେନ ଉପରେ ଡ୍ରୋନ୍, ମିସାଇଲ ଓ ବୋମା ବର୍ଷା କରିଛି, ଯେଉଁଥିରେ ଅତି କମରେ ପାଞ୍ଚ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଛି। ଅଧିକାରୀଙ୍କ ସୂଚନା ଅନୁସାରେ, ଏହା ଏକ ବଡ଼ ଧରଣର  ଆକ୍ରମଣ ଥିଲା ଯେଉଁଥିରେ ମୁଖ୍ୟତଃ ନାଗରିକଙ୍କ ସୁବିଧାଗୁଡ଼ିକୁ ଟାର୍ଗେଟ କରାଯାଇ ଥିଲା।

ରବିବାର ସକାଳେ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ସୂଚନା ଦେଇଥିଲେ ଯେ, ମସ୍କୋ ୟୁକ୍ରେନର ନଅଟି ଭିନ୍ନ ଭିନ୍ନ ଅଞ୍ଚଳରେ ୫୦ରୁ ଅଧିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଏବଂ ପ୍ରାୟ ୫୦୦ ଡ୍ରୋନ୍ ମାଡ଼ କରିଛି। କ୍ଷେତ୍ରୀ ଅଧିକାରୀ ଓ ୟୁକ୍ରେନର ଜରୁରୀକାଳୀନ ପରିଚାଳନା ସଂସ୍ଥା ଅନୁସାରେ, ଲିଭିଭ୍ ସହର ଉପରେ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି। ଏଜେନ୍ସି ଅନୁସାରେ,ଆଉ ଚାରି ଜଣ ଆହତ ହୋଇଛନ୍ତି। ଲିଭିଭ ମେୟର ଆଣ୍ଡ୍ରି ସାଡୋଭି କହିଛନ୍ତି ଯେ, ରବିବାର ସକାଳେ ଆକ୍ରମଣ ଯୋଗୁଁ ସହରର ଦୁଇଟି ଅଞ୍ଚଳକୁ ବିଦ୍ୟୁତ୍ ବିଚ୍ଛିନ୍ନ ହୋଇ ଯାଇଥିଲା ଏବଂ କିଛି ସମୟ ପାଇଁ ସାଧାରଣ ପରିବହନ ବନ୍ଦ ହୋଇ ଯାଇ ଥିଲା।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଆକ୍ରମଣ ଯୋଗୁଁ ଲିଭିଭ୍ ଉପନଗରରେ ଥିବା ଏକ ଶିଳ୍ପ କମ୍ପ୍ଲେକ୍ସରେ ନିଆଁ ଲାଗି ଯାଇ ଥିଲା। ଦକ୍ଷିଣ ସହର ଜପୋରିଜ୍ଜିଆର ରାଜ୍ୟପାଳ ଇଭାନ୍ ଫେଡୋରୋଭ ସୂଚନା ଦେଇଛନ୍ତି ଯେ, ରାତିସାରା ହୋଇଥିବା ବିମାନ ଆକ୍ରମଣରେ ଜଣେ ମହିଳା ପ୍ରାଣ ହରାଇ ଥିବା ବେଳେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କ ସମେତ ନଅ ଜଣ ଆହତ ହୋଇଛନ୍ତି। ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଯେ , ଉତ୍ତର-ପୂର୍ବ ୟୁକ୍ରେନର ଏକ ରେଳ ଷ୍ଟେସନରେ, ରୁଷିଆ ଡ୍ରୋନ୍ ଆକ୍ରମଣରେ ୩୦ଜଣ ଲୋକ ଆହତ ହୋଇଛନ୍ତି।

ଜେଲେନସ୍କି ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି କହିଛନ୍ତି ଯେ, ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡୁଛି ଯେ, ସୁମି ଅଞ୍ଚଳର ଶୋସ୍ତକା ସହରରେ ଆକ୍ରମଣ ସ୍ଥାନରେ ଟ୍ରେନ କର୍ମଚାରୀ ଏବଂ ଯାତ୍ରୀମାନେ ଉପସ୍ଥିତ ଥିଲେ। ସେ ଉଲ୍ଲେଖ କରିଛନ୍ତି ଯେ, ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସାରିଛନ୍ତି ଏବଂ ଆହତମାନଙ୍କୁ ସହାୟତା ପ୍ରଦାନ କରିବା ଆରମ୍ଭ ହୋଇ ଯାଇଛି। ଏବେ ଆହତଙ୍କ ସମ୍ପୂର୍ଣ୍ଣ ସୂଚନା ସଂଗ୍ରହ କରାଯାଉଛି। ଜେଲେନସ୍କି ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି , ଯେଉଁଥିରେ କ୍ଷତିଗ୍ରସ୍ତ ଟ୍ରେନର ଗୋଟିଏ କୋଚରେ ନିଆଁ ଲାଗିଥିବା ଦେଖାଯାଉଛି।