LIVE TV

ରୁଷ୍‌ର ବିପଜ୍ଜନକ କ୍ରୁଜ୍ ମିସାଇଲର ପରୀକ୍ଷଣ ,ଏହି ‘ଝଡ଼ ପକ୍ଷୀ’କୁ ଶତ୍ରୁ ପକ୍ଷ ରୋକିବା ଅସମ୍ଭବ

NEWS7
Russia tests missile

ନୂଆଦିଲ୍ଲୀ : ରୁଷ୍‌ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହଛି। ଯୁଦ୍ଧ ମଧ୍ୟରେ ରୁଷ୍‌ ନିଜର ସବୁଠୁ ନୂଆ ପରମାଣୁ ଶକ୍ତିରେ ପରିଚାଳିତ କ୍ରୁଜ୍‌ ମିସାଇଲ ‘ ବୁରେଭେଷ୍ଟନିକ୍‌’ର ସଫଳ ପରୀକ୍ଷଣ ପୂରା କରି ନେଇଛି। ରୁଷ୍‌ର ଉଚ୍ଚ ସ୍ତରୀୟ ସେନା ଅଧିକାରୀ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଏହି ସଫଳତାର ସୂଚନା ଦେଇଛନ୍ତି। ଏହି ମିସାଇଲ ପରମାଣୁ ଶକ୍ତି ଉପରେ ନିର୍ଭର ହେବା ଯୋଗୁଁ ଅସୀମିତ ଦୂରତା ସ୍ଥିର କରି ପାରେ ଏବଂ ଏଥିରେ ପରମାଣୁ ଅସ୍ତ୍ର ରଖିବାର ସୁବିଧା ମଧ୍ୟ ଅଛି। ରୁଷୀୟ ସେନାର ମହାନିର୍ଦ୍ଦେଶାଳୟ ପ୍ରମୁଖ ଜେନେରାଲ ଭାଲେରୀ ଗେରାସିମୋଭ ପୁଟିନଙ୍କୁ କହିଛନ୍ତି ଯେ, ମିସାଇଲ ୧୪୦୦୦ କିଲୋମିଟର ( ପାଖାପାଖି ୮,୭୦୦ ମାଇଲ) ର ଯାତ୍ରା କରିଛି ଏବଂ ବିମାନ କ୍ଷେତ୍ରରେ ପାଖାପାଖି ୧୫ ଘଣ୍ଟା ଯାଏ କ୍ରିୟାଶୀଳ ରହିଥିଲା।

ରୁଷୀୟ ରାଷ୍ଟ୍ରପତି ପୁଟିନଙ୍କ ଅନୁସାରେ , ୯ ଏମ୍‌ ୭୩୦ ବୁରେଭେଷ୍ଟନିକ୍ (ଷ୍ଟର୍ମ ପେଟ୍ରୋଲ) , ଯାହାକୁ ନାଟୋ ଏସଏସସି –ଏକ୍ସ-୯ ସ୍କାଇଫାଲ ନାମ ଦେଇଛି, ବର୍ତ୍ତମାନ ଓ ଭବିଷ୍ୟତର ମିସାଇଲ ପ୍ରତିରକ୍ଷା ସିଷ୍ଟମ ବିରୋଧରେ ଏହା ଅପରାଜେୟ। ଏହାର ପରିସର ପ୍ରାୟତଃ ଅସୀମ ଓ ଉଡ଼ାଣ ପଥ ଅସୀମିତ। ରବିବାର ନିଜର ଭାଷଣରେ ଭ୍ଲାଦିମିର ପୁଟିନ ଗେରାସିମୋଭଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ, ବୁରେଭେଷ୍ଟନିକର ମୁଖ୍ୟ ପରୀକ୍ଷଣ ଏବେ ସମାପ୍ତ ହୋଇ ସାରିଛି, ଏଥିପାଇଁ ମିସାଇଲର ମୁତୟନ ପୂର୍ବରୁ ଅନ୍ତିମ ପ୍ରସ୍ତୁତିର ପର୍ଯ୍ୟାୟ ଉପରେ ତତ୍କାଳ କାମ ଆରମ୍ଭ କରି ଦିଆ ଯାଉ।

ବୁରେଭେଷ୍ଟନିକ୍‌ ଏକ ଉଚ୍ଚକୋଟୀର କ୍ରୁଜ୍‌ ମିସାଇଲ , ଯାହା ପାରମ୍ପରିକ ମିସାଇଲ ଠାରୁ ସଂପୂର୍ଣ୍ଣ ଅଲଗା। ଏହାର ବିଶେଷତ୍ୱ ଏକ ଛୋଟ ପରମାଣୁ ରିଏକ୍ଟର , ଯାହା ଏହାକୁ ଅସୀମିତ ଦୂର ଅତିକ୍ରମ କରିବାର କ୍ଷମତା ପ୍ରଦାନ କରିଥାଏ। ସାଧାରଣ ମିସାଇଲ ଇନ୍ଧନ ସମାପ୍ତ ହେବାରେ ରହିଯାଏ , କିନ୍ତୁ ଏହି ପରମାଣୁ ଶକ୍ତିରେ ପରିଚାଳିତ ହୋଇଥାଏ। ଯେଉଁଥିରେ ଏହା ଅନେକ ସପ୍ତାହ କିମ୍ୱା ମାସ ମାସ ଯାଏ ଲଗାତାର ଉଡ଼ାଣ ଭରିପାରେ। ରୁଷୀୟ ଭାଷାରେ ଏହାର ନାଁ ଷ୍ଟାର୍ମ ପେଟ୍ରେଲ ( ଝଡ଼ ପକ୍ଷୀ ) , ଯାହା ଝଡ଼ର ପୂର୍ବସୂଚନା ପରି ବିପଦର ପ୍ରତୀକ। ଏହା ମାତ୍ର ୫୦-୧୦୦ ମିଟରର କମ୍‌ ଉଚ୍ଚତାରେ ଉଡ଼ିଥାଏ,ଯେଉଁଥି ପାଇଁ ରାଡାର ଏହାକୁ ସହଜରେ ଟ୍ରାକ୍‌ କରିପାରେ ନାହିଁ।

ଏଥିରେ ପରମାଣୁ ୱାରହେଡ୍‌ (ପରମାଣୁ ବିସ୍ଫୋରକ) ସଂଯୋଗ କରାଯାଇ ପାରେ,ଯାହା ବିନାଶକାରୀ ବିସ୍ଫୋରକ ସୃଷ୍ଟି  କରିପାରେ। ଏହା ଇତିହାସର ପ୍ରଥମ ଏମିତି ଅସ୍ତ୍ର ସିଷ୍ଟମ ,ଯାହା ପରମାଣୁ ପ୍ରବର୍ତ୍ତନ(ନ୍ୟୁକ୍ଲିୟର ପ୍ରୋପଲ୍ସନ) ଉପରେ ଆଧାରିତ। ରୁଷ୍‌ର ଦାବି ଯେ, ଏହା ଆମେରିକା କିମ୍ୱା ନାଟୋର କୌଣସି ବି ମିସାଇଲ ପ୍ରତିରକ୍ଷା ପ୍ରଣାଳୀକୁ ଧୋକା ଦେଇ ପାରେ।