ମସ୍କୋ ୧୪।୪: ଋଷିଆ-ୟୁକ୍ରେନ ଯୁଦ୍ଧରେ ରବିବାର ଋଷିଆର ଏକ ପଦକ୍ଷେପ ବିଭିନ୍ନ ଦେଶଙ୍କ ଧ୍ୟାନ ଆକର୍ଷଣ କରିଛି। ୟୁକ୍ରେନର ଏଫ-୧୬ ଯୁଦ୍ଧ ବିମାନକୁ ଖସାଇ ଦେଇଥିବାର ଋଷିଆ ପ୍ରଥମ ଥର ଦାବି କରିଛି। ଏଫ-୧୬ ଯୁଦ୍ଧ ବିମାନକୁ ଆମେରିକୀୟ ବୈଷୟିକ ଜ୍ଞାନକୌଶଳର ମଜଭୁତ ପ୍ରତୀକ ମନେ କରାଯାଏ। ଏଥିରେ ଋଷିଆର ଏପରି ଦାବି ଭାରତକୁ ଆଶ୍ୱସ୍ତ କରିଥିବା ବେଳେ ପଡୋଶୀ ଚୀନ୍ ଓ ପାକିସ୍ତାନର ନିଦ ହଜେଇ ଦେଇଛି।
ଋଷିଆ ପ୍ରତିରକ୍ଷା ମନ୍ତ୍ରାଳୟ ତାଙ୍କର ଏୟାର ଡିଫେନ୍ସ ୟୁନିଟ୍ ୟୁକ୍ରେନର ଏକ ଏଫ-୧୬ ଯୁଦ୍ଧବିମାନକୁ ଖସେଇ ଦେଇଥିବାର ରବିବାର ଦାବି କରିଛି। ତେବେ ଏହି ଏଫ-୧୬ ବିମାନଟି କେଉଁଠି ପଡିଛି ସେ ନେଇ ଋଷିଆ ସ୍ପଷ୍ଟ ରୂପେ କିଛି କହି ନାହିଁ। ତେବେ ସରକାରୀ ନ୍ୟୁଜ୍ ଚ୍ୟାନେଲ ଆରଟି ଏହି ଖବରକୁ ଶିରୋନାମା କରିଛି। ଋଷିଆ ପ୍ରତିରକ୍ଷା ମନ୍ତ୍ରାଳୟ ଅନୁସାରେ ୟୁକ୍ରେନ ଏୟାରଫୋର୍ସର ଏଫ-୧୬ ବିମାନ ଏୟାର ଡିଫେନ୍ସ ସିଷ୍ଟମ ଦ୍ୱାରା ନଷ୍ଟ ହୋଇଥିବାର ଦାବି କରୁଛି।
ଉଲ୍ଲେଖଯୋଗ୍ୟ ଯେ କେତେକ ୟୁରୋପୀୟ ଦେଶ ଗତବର୍ଷ ୟୁକ୍ରେନକୁ ଏଫ-୧୬ ଯୁଦ୍ଧବିମାନ ଦେଇଥିଲେ। ଫଳରେ ଯୁଦ୍ଧରେ ୟୁକ୍ରେନର ବାୟୁସେନା କ୍ଷମତା ବଢିଯାଇଥିଲା। ଯଦି ଋଷିଆର ଏହି ଦାବି ସଠିକ ଓ ବିମାନକୁ ଏସ୍-୪୦୦ ଏୟାରଡିଫେନ୍ସ ସିଷ୍ଟମ ଆକାଶରୁ ଖସେଇ ଦେଇଛି ତେବେ ଭାରତ ପାଇଁ ଏହା ଏକ ବଡ଼ ଖବର। କାରଣ ଭାରତ ନିକଟରେ ମଧ୍ୟ ଋଷିଆ ନିର୍ମିତ ଏସ୍-୪୦୦ ଏୟାର ଡିଫେନ୍ସ ସିଷ୍ଟମ ଅଛି, ଯାହା ପାକିସ୍ତାନର ଏଫ-୧୬ ବିମାନର ମୁକାବିଲାରେ ବଡ଼ ଭୂମିକା ନିର୍ବାହ କରିପାରେ। ବାଲାକୋଟ ଏୟାର ଷ୍ଟ୍ରାଇକ୍ ପରେ ପାକିସ୍ତାନ ଭାରତ ବିରୋଧରେ ଏଫ-୧୬ ବିମାନ ବ୍ୟବହାର କରିଥିଲା। ତେବେ ସେତେବେଳେ ଭାରତ ପାଖରେ ଏସ୍-୪୦୦ ଏୟାର ଡିଫେନ୍ସ ସିଷ୍ଟମ ନଥିଲା। ଯଦି ପାକିସ୍ତାନ ଆଗକୁ ଏପରି କିଛି କରେ ତେବେ ଭାରତ ଏହାକୁ ରୋକି ପାରିବ।
ଚୀନ୍ ବିରୋଧରେ ଭାରତ ନିଜ ସୀମାମାନଙ୍କରେ ଏସ୍-୪୦୦ ମୂତୟନ କରି ରଖିଛି। ଏଥିରେ ଏଫ-୧୬ ଭଳି ଯୁଦ୍ଧବିମାନ ଯଦି ଏସ୍-୪୦୦ ଏୟାର ଡିଫେନ୍ସ ସିଷ୍ଟମ ଆଗରେ ଦୁର୍ବଳ ତେବେ ଏହା ଚୀନ୍ ବାୟୁସେନା ପାଇଁ ମଧ୍ୟ ବିପଦର ଘଣ୍ଟି। ସୂତ୍ର ଅନୁସାରେ ଋଷିଆ ଏଫ-୧୬ ଉପରକୁ ୩ଟି କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଏଥିରୁ କୌଣସି ଗୋଟିଏ କ୍ଷେପଣାସ୍ତ୍ର ଏସ୍-୪୦୦ ସିଷ୍ଟମ ଅଥବା ଆର-୩୭ ଏୟାର-ଟୁ-ଏୟାର କ୍ଷେପଣାସ୍ତ୍ର ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।
ୟୁକ୍ରେନ ସେନା ମଧ୍ୟ ଏହା ପୁଷ୍ଟି କରିଛି, ସେହି ସମୟରେ ତାଙ୍କର ଏୟାର ଡିଫେନ୍ସ ସିଷ୍ଟମ ଆକ୍ଟିଭ ନଥିଲେ, ଏଣୁ ଏହା ସ୍ପଷ୍ଟ ଯେ ଏହି ଆକ୍ରମଣ ଋଷିଆ ପକ୍ଷରୁ ହିଁ ହୋଇଥିଲା। ୟୁରୋପୀୟ ଦେଶ ବେଲଜିୟମ, ଡେନମାର୍କ, ନେଦରଲ୍ୟାଣ଼୍ଡ ଓ ନରୱେ ୟୁକ୍ରେନକୁ ନୋଟ ୮୦ଟି ଏଫ-୧୬ ଯୁଦ୍ଧ ବିମାନ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏଥିରେ ଯଦି ଋଷିଆ ଏଫ-୧୬ ବିମାନକୁ ସହଜରେ ଖସାଇ ପାରୁଛି ତେବେ ୟୁକ୍ରେନ ବାୟୁ ସେନାକୁ ଯୁଦ୍ଧରେ ଝଟକା ଲାଗିପାରେ।