LIVE TV

ଡିସେମ୍ୱର ୫-୬ରେ ଭାରତ ଆସିପାରନ୍ତି ରାଷ୍ଟ୍ରପତି ପୁଟିନ, ପିଏମ୍ ମୋଦୀଙ୍କ ସହ କରିବେ ଗୁରୁତ୍ୱପୂର୍ଣ୍ଣ ବୈଠକ

NEWS7
PUTIN

ନୂଆଦିଲ୍ଲୀ: ରୁଷରୁ ତେଲ ଆମଦାନୀକୁ ନେଇ ଆମେରିକା ସହ ଚାଲିଥିବା ଉତ୍ତେଜନା ଭିତରେ ରାଷ୍ଟ୍ରପତି ପୁଟିନ୍ ଖବଶୀଘ୍ର ଭାରତ ଆସିବେ । ତାଙ୍କର ସମ୍ଭାବ୍ୟ ଗସ୍ତ ତାରିଖ ସାମନାକୁ ଆସିଛି । ଡିସେମ୍ୱର ୫-୬ରେ ପୁଟିନ ଭାରତ ଆସିପାରନ୍ତି । ତେବେ ଆନୁଷ୍ଠାନିକ ଭାବେ କୌଣସି ତାରିଖ ଘୋଷଣା କରାଯାଇ ନାହିଁ । ସପ୍ଟେମ୍ୱର ୨୮ରେ ରୁଷ ବିଦେଶ ମନ୍ତ୍ରୀ ସର୍ଗେଇ ଲାଭରୋଭ ପୁଟିନଙ୍କ ଭାରତ ଗସ୍ତକୁ ସ୍ପଷ୍ଟ କରିଥିଲେ । ଶେଷ ଥର ପାଇଁ ପୁଟିନ ୨୦୨୧ ଡିସେମ୍ୱର ୬ରେ ଭାରତ ଆସିଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ବର୍ଷ ରୁଷ ଗସ୍ତ କରିଥିଲେ । ୟୁକ୍ରେନ ଉପରେ ରୁଷ ଆକ୍ରମଣ ପରେ ତାହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ରୁଷ ଗସ୍ତ ଥିଲା । ମସ୍କୋରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରୁଷ ରାଷ୍ଟ୍ରପତି ପୁଟିନ ପରସ୍ପରକୁ ଆଲିଙ୍ଗନ କରିଥିଲେ ।  ପୁଟିନଙ୍କ ଭାରତ ଗସ୍ତ ଏପରି ସମୟରେ ହେବାକୁ ଯାଉଛି, ଯେତେବେଳେ ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ ଖରାପ ସ୍ଥିତି ଦେଇ ଯାଉଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଟାରିଫ ଲଗାଇଛନ୍ତି । ଏଥିରୁ ୨୫ ପ୍ରତିଶତ ରୁଷ ତେଲ ଆମଦାନୀ ପାଇଁ ଲଗାଯାଇଛି ।

ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ମଧ୍ୟ ଖୁବଶୀଘ୍ର ଭାରତ ଆସିପାରନ୍ତି । ୟୁକ୍ରେନ ରାଷ୍ଟ୍ରଦୂତ ଓଲେକ୍ସାନ୍ଦ୍ର ପୋଲିଶଚୁକ ଅଗଷ୍ଟରେ ଏହା ସ୍ପଷ୍ଟ କରିଥିଲେ । ପୋଲିଶଚୁକ କହିଥିଲେ ଯେ ତାରିଖ ଧାର୍ଯ୍ୟ ଉପରେ ଚର୍ଚ୍ଚା ଜାରି ରହିଛି । ଉଲ୍ଲେଖଯୋଗ୍ୟ ଯେ ଗତ ବର୍ଷ ଅଗଷ୍ଟରେ ପ୍ରଧାନମନ୍ତ୍ରୀ ମୋଦୀ ୟୁକ୍ରେନ ଗସ୍ତ କରିଥିଲେ । ଏହି ସମୟରେ ସେ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଭାରତ ଆସିବା ପାଇଁ ଆମନ୍ତ୍ରଣ କରିଥିଲେ । ଯଦି ତାଙ୍କର କାର୍ଯ୍ୟକ୍ରମ ସ୍ଥିର ହୁଏ, ତେବେ ଏହା କୌଣସି ୟୁକ୍ରେନ ରାଷ୍ଟ୍ରପତିଙ୍କ ପ୍ରଥମ ଭାରତ ଗସ୍ତ ହେବ ।