LIVE TV

ଯୁଦ୍ଧରେ ଦୈନିକ ୟୁକ୍ରେନର ୧୨୫ କିମି ଦଖଲ କରୁଛି ଋଷିଆ, ନେଇ ସାରିଲାଣି ୧,୨୦,୦୦୦ କିମି ଜମି

NEWS7
gfx

ମସ୍କୋ ୮।୧୦:  ୟୁକ୍ରେନ ବିରୋଧରେ ଯୁଦ୍ଧ ପରେ ପ୍ରଥମ ଥର ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ଦଖଲକୁ ନେଇ ରିପୋର୍ଟ ଜାରି କରିଛନ୍ତି। ଏ ନେଇ ସାମ୍ବାଦିକଙ୍କ ସହ ଆଲୋଚନାରେ ପୁଟିନ କହିଛନ୍ତି ଯେ ଚଳିତବର୍ଷ ଏ ପର୍ଯ୍ୟନ୍ତ ଆମେ ୟୁକ୍ରେନର  ୫୦୦୦ କିଲୋମିଟର ଅଞ୍ଚଳ ହାତେଇଛୁ। ଏହା ମୋଟ ୟୁକ୍ରେନ ଅଞ୍ଚଳର ୧% ବୋଲି ସେ କହିଛନ୍ତି। ତେବେ ଆମେ ଆମ ମିସନରେ ଧିରେ ଧିରେ ସଫଳ ହେଉଥିବା ପୁଟିନ ଦାବି କରିଛନ୍ତି।

ସମ୍ବାଦସରବରାହ ସଂସ୍ଥା ରୟଟର୍ସ ଅନୁସାରେ ଋଷିଆ ୨୦୨୨ରେ ଯୁଦ୍ଧ ଆରମ୍ଭ କରିବା ପରଠାରୁ ଏ ପର୍ଯ୍ୟନ୍ତ ୟୁକ୍ରେନର ୨୦% ଭୂମି ନିଜ ଦଖଲକୁ ନେଇଛି। ୟୁକ୍ରେନର ମୋଟ କ୍ଷେତ୍ରଫଳ ୬,୦୩,୬୨୮ କିଲୋମିଟର। ଯଦି କିଲୋମିଟର ହିସାବରେ ଦେଖାଯାଏ ତ ଋଷିଆ ଏପର୍ଯ୍ୟନ୍ତ ୟୁକ୍ରେନର ୧,୨୦,୦୦୦ କିମି ଜମି ନିଜ ଦଖଲକୁ ନେଇଛି। ଦୈନିକ ହିସାବ କଲେ ଋଷିଆ ପ୍ରତି ଦିନ ୟୁକ୍ରେନର ୧୨୫ କିଲୋମିଟର ଅଞ୍ଚଳକୁ ନିଜ ଦଖଲକୁ ନେଉଛି।

ଋଷିଆ ଯୁଦ୍ଧ ଆରମ୍ଭ କରିବା ପରେ ୟୁକ୍ରେନର ଡୋନବାସ, ଡୋନେସ୍କ ଓ ସୁମୀ ଭଳି ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳକୁ ନିଜ ଦଖଲରେ ରଖିଛି। ଏହି ସବୁ ଅଞ୍ଚଳ ଋଷିଆ ନିୟନ୍ତ୍ରଣକୁ ଚାଲିଯିବା ଯୋଗୁ ୟୁକ୍ରେନ ହାତରୁ ଏବେ ବ୍ଲାକ୍ ସି ସଂଯୋଗ କଟି ଯାଇଛି। ୟୁକ୍ରେନ ରାଷ୍ଟ୍ରପତି ଭୋଲଡେମୀର ଜେଲେନସ୍କି ଆମେରିକା ରାଷ୍ଟ୍ରପତି ଭବନ ହ୍ୱାଇଟ୍ ହାଉସରେ ଏକ ମାନଚିତ୍ର ଜାରି କରିଥିଲେ। ଏହି ମ୍ୟାପ୍ ଅନୁସାରେ ଋଷିଆ ଏ ପର୍ଯ୍ୟନ୍ତ ଲୁହାନସ୍କର ୯୯%, ଡୋନେସ୍କର ୭୬%, ଜପରୋଜିୟାର ୭୩% ଓ ଖେରସୋନର ୭୩% ଭୂ-ଭାଗକୁ ଦଖଲ କରିନେଇଛି। ଏହା ପୂର୍ବରୁ ଋଷିଆ ୨୦୧୪ ମସିହାରେ ୟୁକ୍ରେନଠାରୁ କ୍ରିମିୟାକୁ ଦଖଲ କରିନେଇଥିଲା। ସେବେଠାରୁ କ୍ରିମିୟା  ଋଷିଆ ଶାସନରେ ଅଛି।

ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରାଳୟ ଅନୁସାରେ ଋଷିଆ ଆରମ୍ଭ କରିଥିବା ଯୁଦ୍ଧ ଯୋଗୁ ନିଜର ୧୧ଲକ୍ଷ ୧୭ ହଜାର ସୈନିକଙ୍କୁ ହରାଇଛି। ଗତ ୨୪ ଘଣ୍ଟାରେ ଋଷିଆର ୧୦୨୦ ଜଣ ସୈନିକ ୟୁକ୍ରେନ ହାତରେ ପ୍ରାଣ ହରାଇଛନ୍ତି ନଚେତ ଆହତ ହୋଇଛନ୍ତି।  ସେହିପରି ଏ ପର୍ଯ୍ୟନ୍ତ ଯୁଦ୍ଧରେ ଋଷିଆ ୪୨୭ଟି ଯୁଦ୍ଧ ବିମାନ ହରାଇଥିବା ବେଳେ ୟୁକ୍ରେନ ଋଷିଆର ଏକ ସବମେରିନ ଓ ୨୮ ବୋଟ ନଷ୍ଟ କରିଛି। ୟୁକ୍ରେନ ଦାବି ମୁତାବକ ଯୁଦ୍ଧରେ ଏ ପର୍ଯ୍ୟନ୍ତ ଋଷିଆର ୧୧ହଜାର ୨୩୮ଟି ଟ୍ୟାଙ୍କ, ୩୩,୪୯୩ ଆର୍ଟିଲେରୀ ନଷ୍ଟ ହୋଇଛି। ୟୁକ୍ରେନ ବିରୋଧୀ ଯୁଦ୍ଧରେ ଏବେ ଉତ୍ତର କୋରିଆ ସିଧାଶଳଖ ଋଷିଆକୁ ସୈନ୍ୟ ସହଯୋଗ କରୁଛି।