India's strategic oil reserves crisisପଶ୍ଚିମ ଏସିଆରେ ଯୁଦ୍ଧ ସ୍ଥିତି ଯୋଗୁ ଭାରତରେ ଯେଉଁ ଶକ୍ତି ସଂକଟ ଦେଖା ଦେଇଛି, ତା’ ପାଇଁ ଖୋଦ୍ ଭାରତ ସରକାର ମଧ୍ୟ ଚିନ୍ତିତ। ଏବେ ଆର୍‌ଟିଆଇ ତଥ୍ୟରୁ ଯାହା ଜଣାପଡ଼ିଛି, ତାହା ହୁଏତ ଦେଶବାସୀଙ୍କୁ ଆହୁରି ଚିନ୍ତାରେ ପକାଇ ଦେଇପାରେ। ଗତ ୨୫ ଦିନ ହେଲା ଆମେରିକା, ଇସ୍ରାଏଲ୍ ଓ ଇରାନ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇରାନ ଷ୍ଟ୍ରେଟ୍ ଅଫ ହରମୁଜ ବନ୍ଦ କରିଦେବା ଫଳରେ ବାଣିଜ୍ୟ ପରିବହନ ବନ୍ଦ ହୋଇଯାଇଛି। ଫଳରେ ଭାରତରେ ଗମ୍ଭୀର ଶକ୍ତି ସଂକଟ ଦେଖା ଦେଇଛି।

ଏକ ଆର୍‌ଟିଆଇ ଆବେଦନରେ ଜବାବ ଦେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ କହିଛି ଯେ ବର୍ତ୍ତମାନ ଦେଶ ପାଖରେ ଯେଉଁ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭ ରହିଛି ତାହା କେବଳ ମାତ୍ର ୯.୫ ଦିନର ଆବଶ୍ୟକତା ପୂରଣ କରିପାରିବ। ଅର୍ଥାତ୍ ଦେଶ ପାଖରେ ବର୍ତ୍ତମାନ ଯେତିକି ତେଲ ଗଚ୍ଛିତ ଅଛି ସେଥିରେ ମାତ୍ର ୯ ଦିନ କାମ ଚାଲିପାରିବ। ତା ପରେ ସବୁ ଠପ୍ ହୋଇପାରେ।

ଜାତୀୟ ଗଣମାଧ୍ୟମ ଇଣ୍ଡିଆଟୁଡେ ସୂଚନା ଅଧିକାର ଆଇନ ବଳରେ ଦେଶରେ ରଣନୈତିକ ଅଶୋଧିତ ତୈଳ ଭଣ୍ଡାର ବିଷୟରେ ତଥ୍ୟ ମାଗିଥିଲା। ଏହାର ଉତ୍ତରେ ଦେଇ ମନ୍ତ୍ରଣାଳୟ ଏପରି ଚମକାଇଲା ଭଳି ତଥ୍ୟ ଦେଇଛି। ହେଲେ ୨୩ ମାର୍ଚ୍ଚ, ୨୦୨୬ରେ ରାଜ୍ୟସଭାରେ ଉପସ୍ଥାପିତ ତଥ୍ୟ ଦର୍ଶାଉଛି ଯେ ଭାରତରେ ବର୍ତ୍ତମାନ ପ୍ରାୟ ୩.୩୭୨ ମିଲିଅନ ମେଟ୍ରିକ୍ ଟନ୍ ଅଶୋଧିତ ତୈଳ ଅଛି, ଯାହା ଏହାର ମୋଟ ୫.୩୩ ମିଲିଅନ ମେଟ୍ରିକ୍ ଟନ୍ ସଂରକ୍ଷଣ କ୍ଷମତାର ପ୍ରାୟ ୬୪%।

୧୦ ଦିନ ବି ଚାଲିବା କଷ୍ଟକର

ଇରାନ ହରମୁଜ ବନ୍ଦ କରିଦେବା ସତ୍ତ୍ୱେ ଭାରତ ନିଜ କୂଟନୀତ ବଳରେ କିଛି ଏଲ୍ପିଜି ଜାହାଜ ଓ ଅଶୋଧିତ ତେଲ ଆଣିପାରିଛି ସତ, ହେଲେ ଏତେବଡ଼ ଜନସଂଖ୍ୟା ପାଇଁ ତାହା ସମୁଦ୍ରକୁ ଶଙ୍ଖେ। ସେହି ହିସାବରେ ଦେଖିଲେ ଭାରତ ପାଖରେ ଆଉ ମାତ୍ର ୧୦ ଦିନ ଠାରୁ କମ ରଣନୈତିକ ଅଶୋଧିତ ତୈଳ ଭଣ୍ଡାର ରହିଛି। ଯେହେତୁ ଭାରତ ନିଜ ଆବଶ୍ୟକତାର ୮୫% ଆମଦାନୀ କରିଥାଏ। ତେଣୁ ଯୋଗାଣ ବାଧାପ୍ରାପ୍ତ ହେଲେ ସ୍ଥିତି ସାଂଘାତିକ ହେବା ସ୍ୱାଭାବିକ।

Also read- Trump wants deal with iran: ଟ୍ରମ୍ପ ଚାହୁଁଛନ୍ତି ଡିଲ୍, ଇରାନ ମାନି ନପାରେ ନୂଆ ସର୍ତ୍ତ; ଇସ୍ରାଏଲ୍ ଦେଲା ବଡ଼ ସୂଚନା

RTI ଉତ୍ତରରେ କୁହାଯାଇଛି ଯେ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ୍ ରିଜର୍ଭ (SPR) କାର୍ଯ୍ୟକ୍ରମକୁ ୭ ଜାନୁଆରୀ ୨୦୦୪ ରେ ଅନୁମୋଦନ ମିଳିଥିଲା। ଏବଂ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ୧୬ ଜୁନ୍ ୨୦୦୪ ରେ ଇଣ୍ଡିଆନ୍ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ୍ ରିଜର୍ଭ ଲିମିଟେଡ୍ (ISPRL) ପ୍ରତିଷ୍ଠା କରାଯାଇଥିଲା। ବର୍ତ୍ତମାନ, ଭାରତର SPR କ୍ଷମତା ତିନୋଟି ସ୍ଥାନରେ ରହିଛି। ବିଶାଖାପାଟଣା (୧.୩୩ ମିଲିଅନ ମେଟ୍ରିକ୍ ଟନ୍), ମାଙ୍ଗାଲୁରୁ (୧.୫ ମିଲିଅନ ମେଟ୍ରିକ୍ ଟନ୍), ଏବଂ ପାଦୁର (୨.୫ ମିଲିଅନ ମେଟ୍ରିକ୍ ଟନ୍)।

ସତର୍କତାର ଅଭାବ ଯୋଗୁ ସମସ୍ୟାରେ ପଡ଼ିଲା କି ଦେଶ!

RTI ଉତ୍ତରରେ ଏହା ମଧ୍ୟ କୁହାଯାଇଛି ଯେ ସରକାର ଜୁଲାଇ ୨୦୨୧ ରେ SPR ନେଟୱାର୍କର ସମ୍ପ୍ରସାରଣକୁ ଅନୁମୋଦନ କରିଥିଲେ। ଦୁଇଟି ଅତିରିକ୍ତ ସୁବିଧା ନିର୍ମାଣ କରିବାକୁ ଯୋଜନା କରାଯାଇଥିଲା। ସେଥିରୁ ୪ ମିଲିଅନ ମେଟ୍ରିକ୍ ଟନ୍ କ୍ଷମତା ସହିତ ଓଡ଼ିଶାର ଚଣ୍ଡିଖୋଲ ଏବଂ କର୍ଣ୍ଣାଟକର ପାଦୁରରେ ଅତିରିକ୍ତ ୨.୫ ମିଲିଅନ ମେଟ୍ରିକ୍ ଟନ୍ ଭଣ୍ଡାର ଫେସିଲିଟର ଯୋଜନା କରାଯାଇଥିଲା। ଫଳରେ ମୋଟ ଯୋଜନାବଦ୍ଧ ସମ୍ପ୍ରସାରଣକୁ ୬.୫ ମିଲିଅନ ମେଟ୍ରିକ୍ ଟନକୁ ନେଇଯିବ ବୋଲି ସରକାର କହିଛନ୍ତି।

ଏହି ସୁବିଧାଗୁଡ଼ିକ ଏକ ସରକାରୀ-ଘରୋଇ ସହଭାଗୀତା ମଡେଲ ଅଧୀନରେ ପ୍ରସ୍ତାବିତ କିନ୍ତୁ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇ ନାହିଁ ବୋଲି ସରକାର ଉତ୍ତର ଦେଇଛନ୍ତି। ସରକାରୀ ସୂଚନା ଅନୁସାରେ, ସମ୍ପ୍ରସାରଣ ପ୍ରକଳ୍ପଗୁଡ଼ିକ ଏପର୍ଯ୍ୟନ୍ତ ବିଚାରାଧୀନ ରହିଛି। ଏବଂ ପୂର୍ବରୁ ଥିବା ଭଣ୍ଡାରଗୁଡ଼ିକ ସମ୍ପୂର୍ଣ୍ଣ ତୈଳ ପୂରଣ ହୋଇ ନାହିଁ। ତେଣୁ ବର୍ତ୍ତମାନ ନିଅଣ୍ଟିଆ ପରିସ୍ଥିତିରେ ଭାରତ ଫସି ଯାଇଛି। ତେଣୁ ଭାରତର ରଣନୈତିକ ତୈଳ ବଫରର ପର୍ଯ୍ୟାପ୍ତତା ଉପରେ ଲୋକେ ପ୍ରଶ୍ନ ଉଠାଇଛନ୍ତି।

ରାଜ୍ୟସଭାରେ ପ୍ରଧାନମନ୍ତ୍ରୀଙ୍କ ଚେତାବନୀ

ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦରେ ଭାଷଣ ଦେଇ ଶକ୍ତି ସଂକଟ ନେଇ ଚେତାବନୀ ଦେଇଥିଲେ। ଭାରତ ବିଭିନ୍ନ ଉପାୟରେ ତେଲ ଏବଂ ଗ୍ୟାସ ସଂଗ୍ରହ କରୁଛି ଏବଂ ସ୍ଥିର ଯୋଗାଣ ସୁନିଶ୍ଚିତ କରିବା ପାଇଁ ଏହାର ଶକ୍ତି ଆମଦାନୀକୁ ବିକଳ୍ପକୁ ବଢାଇଛି। ତେବେ ଆଗକୁ ସୃଷ୍ଟି ହେବାକୁ ଥିବା ସମସ୍ୟାକୁ ସାରା ଦେଶ ଏକଜୁଟ ହୋଇ ମୁକାବିଲା କରିବା ଆବଶ୍ୟକ ବୋଲି ମୋଦୀ କହିଛନ୍ତି।

ରଣନୈତିକ ତୈଳ ଭଣ୍ଡାର କ?

ରଣନୈତିକ ତୈଳ ଭଣ୍ଡାର ହେଉଛି ସରକାରଙ୍କ ପାଖରେ ଥିବା ଅଶୋଧିତ ତୈଳର ଏକ ଜରୁରୀକାଳୀନ ଭଣ୍ଡାର, ଯାହା ଦେଶକୁ ହଠାତ୍ ଯୋଗାଣ ବାଧାପ୍ରାପ୍ତ ହେବା କିମ୍ବା ହଠାତ୍ ମୂଲ୍ୟ ବୃଦ୍ଧିରୁ ରକ୍ଷା କରିବା ପାଇଁ ତିଆରି କରାଯାଏ। ଯୁଦ୍ଧ କିମ୍ବା କୌଣସି ଜରୁରୀ କାଳୀନ ପରିସ୍ଥିତିରେ ଦେଶର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକ ପାଇଁ ଇନ୍ଧନ ଯୋଗାଣରେ ନିରନ୍ତରତା ସୁନିଶ୍ଚିତ କରିବା ପାଇଁ ଏହାର ବ୍ୟବହାର କରାଯାଏ। ଭାରତର ମୋଟ ଷ୍ଟ୍ରାଟେଜିକ ତୈଳ ଭଣ୍ଡାର କ୍ଷମତା ୫.୩୩ ମିଲିଅନ ମେଟ୍ରିକ୍ ଟନ୍ ରହିଛି। ହେଲେ ସରକାର ଏହାର ସମ୍ପୂର୍ଣ୍ଣ ପୂରଣ ବି କରି ନାହାନ୍ତି। ଯାହା ପାଇଁ ଏଭଳି ସ୍ଥିତି ଦେଖା ଦେଇଛି।