ରାଉରକେଲା: ରାଉରକେଲା ବିମାନ ଦୁର୍ଘଟଣାର ଆସିଲା ରିପୋର୍ଟ । ରିପୋର୍ଟରେ ଉଲ୍ଲେଖ ଅଛି ଯେ ବିମାନରେ ଇନ୍ଧନ କମିଯିବାରୁ ଘଟିଥିଲା ଦୁର୍ଘଟଣା । ଗତ ଜାନୁଆରି ୧୦ ତାରିଖ ପୂର୍ବାହ୍ନରେ ଭୁବନେଶ୍ୱର ବିମାନ ବନ୍ଦରରୁ ରାଉରକେଲା ଅଭିମୁଖେ ଉଡ଼ାଣ ଭରିଥିଲେ ଇଣ୍ଡିଆ ୱାନ ବିମାନ । ବିମାନରେ ପାଇଲଟ କୋ ପାଇଲଟ ସହ ୪ ଜଣ ଯାତ୍ରୀ ଥିଲେ ।

ବିମାନଟି ରାଉରକେଲା ବିମାନ ବନ୍ଦରରେ ଅବତରଣ କରିବା ପୂର୍ବରୁ କଂସର ଗାଁରେ ଖସି ପଡ଼ି ଘଟିଥିଲା ଦୁର୍ଘଟଣା। ୬ ଗୁରୁତରଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଯାତ୍ରୀ ସୁନୀଲ ଅଗ୍ରୱାଲ ସହ ତାଙ୍କ ପତ୍ନୀ ସବିତା ଅଗ୍ରୱାଲଙ୍କୁ ତା ପରଦିନ ମୁମ୍ବାଇ ଏୟାର ଲିଫ୍ଟ କରାଯାଇଥିବା ବେଳେ ସନ୍ତୋଷ ବିଶ୍ଵାଳ ନାମକ ଯାତ୍ରୀ ଚିକିତ୍ସା ସମୟରେ ଜୀବନ ହାରିଥିଲେ । ପରେ ପାଇଲଟ, କୋ ପାଇଲଟ, ଜଣେ ଯାତ୍ରୀ ରାଉରକେଲାର ଏକ ଘରୋଇ ହସ୍ପିଟାଲ୍‌ରେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ଆଉ ଆଜି ଆସିଛି ଦୁର୍ଘଟଣାର ରିପୋର୍ଟ ।

ରିପୋର୍ଟରେ ଉଲ୍ଲେଖ ଅଛି ଯେ ବିମାନରେ କମ ଇନ୍ଧନ ଥିବା ଯୋଗୁଁ ବିମାନ ଲକ୍ଷ ସ୍ଥଳରେ ଅବତରଣ କରିପାରିଲା ନାହିଁ । ଯାହା ଫଳରେ ପାଇଲଟ ବାଧ୍ୟ ହୋଇ ଫୋର୍ସ ଲ୍ୟାଣ୍ଡିଙ୍ଗ କରିଥିଲେ । ହେଲେ ଏଠାରେ ପ୍ରଶ୍ନ ଯେ ବିମାନ ଉଡ଼ାଣ ପୂର୍ବରୁ କେମିତି ଯାଞ୍ଚ ହୋଇଥିଲା ବିମାନରେ ଇନ୍ଧନ କମ୍ ଅଛି । କିଏ ଉଡ଼ାଣ ଭରିବା ପାଇଁ ଅନୁମତି ଦେଲା ତାହା ବଡ ପ୍ରଶ୍ନ ।