News7 Logo

ଟ୍ୟାଙ୍କର ସହ ଧକ୍କା ହୋଇ ୫୦ଫୁଟ ଗଭୀର ଖାଇରେ ଓଲଟିଲା ରୋଡୱେଜ୍ ବସ୍ ; ୪ ମୃତ , ଅନେକ ଲୋକ ଚାପି ହୋଇଥିବା ଆଶଙ୍କା

NEWS7
-

ନୂଆଦିଲ୍ଲୀ – ୟୁପିର ରାଜଧାନୀ ଲକ୍ଷ୍ନୌରେ ଗୁରୁବାର ସନ୍ଧ୍ୟାରେ ବଡ଼ ଦୁର୍ଘଟଣା ଘଟିଛି। ଲକ୍ଷ୍ନୌ-ହରଦୋଇ ମାର୍ଗରେ କାକୋରୀ ନିକଟରେ ଟ୍ୟାଙ୍କର ଧକ୍କା ହେବା ପରେ ରୋଡୱେଜ୍‌ ବସ୍ ୫୦ ଫୁଟ୍‌ ଗଭୀର ଖାଇକୁ ଓଲଟି ପଡ଼ିଛି। ଦୁର୍ଘଟଣାରେ ୪ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ବସ୍ ତଳେ ଚାପି ହୋଇ ରହି ଥିବାର ଆଶଙ୍କା କରାଯାଉଛି। ପୁଲିସ ପ୍ରଶାସନ ଓ ଫାୟର ବ୍ରିଗେଡ୍‌ର ଟିମ୍‌ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ଲାଗି ପଡିଛନ୍ତି। ବସ୍‌ଟି ହରଦୋଇରୁ ଆସୁଥିଲା। ସିଏମ୍‌ ଯୋଗୀ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରି ଅଫିସରଙ୍କୁ ଘଟଣା ସ୍ଥଳକୁ ଯାଇ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

କୁହାଯାଇଛି ଯେ, ଗୁରୁବାର ସନ୍ଧ୍ୟା ବସ୍‌ ହରଦୋଇରୁ ଲକ୍ଷ୍ନୌ ଆସୁଥିଲା। କାକୋରୀର ଟିକେତଗଞ୍ଜ ନିକଟରେ ଏକ ଟ୍ୟାଙ୍କର ସହ ତାର ଧକ୍କା ହୋଇ ଥିଲା ଏବଂ ଦ୍ରୁତ ଗତିରେ ଆସୁଥିବା ବସ ନିୟନ୍ତ୍ରଣ ହରାଇ ସଡ଼କ ପାର୍ଶ୍ୱରେ ୫୦ ଫୁଟ ଗଭୀର ଖାଇକୁ ଓଲଟି ପଡ଼ିଥିଲା। ଅନେକ ବାଇକ୍‌ ଆରୋହୀ ବସ୍‌ ତଳେ ପଡ଼ି ଯାଇଥିଲେ। ବସ୍ ଓଲଟି ପଡ଼ିବା ମାତ୍ରେ ବହୁତ ଲୋକେ ଚିତ୍କାର କରିଥିଲେ। ପାଖରେ ଥିବା ଲୋକେ ପୋଲିସକୁ ଖବର ଦେଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଥିଲେ। କିଛି ସମୟ ପରେ ପହଞ୍ଚି ପୁଲିସ ମଧ୍ୟ ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟରେ ଲାଗିଥିଲା। କିଛି ଲୋକଙ୍କ ବସ୍‌ ତଳେ ଚାପି ହୋଇ ରହିଥିବା ଆଶଙ୍କାରେ ଅଗ୍ନିଶମ ବାହିନୀକୁ ମଧ୍ୟ ସୂଚନା ଦିଆଯାଇଥିଲା। ପ୍ରଶାସନର ମଧ୍ୟ ଅନେକ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ଆହତଙ୍କୁ ବାହାର କରାଯାଇ ହସ୍ପିଟାଲ ପଠାଯାଉଛି । ୪ଜଣ ଲୋକଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇ ଯାଇଛି।