ବଠିଣ୍ଡାରୁ ବିଜେପି ପ୍ରାର୍ଥୀ IAS ପରମପାଲଙ୍କ ଇସ୍ତଫା ଅଗ୍ରାହ୍ୟ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | May 08, 2024 IST

ଚଣ୍ଡିଗଡ଼ ୮।୫: ପଞ୍ଜାବ ସରକାର ବଠିଣ୍ଡାରୁ ବିଜେପି ପ୍ରାର୍ଥୀ ତଥା ଆଇଏଏସ୍ ଅଧିକାରୀ ପରମପାଲ କୌରଙ୍କ ଇସ୍ତଫା ଅସ୍ୱୀକାର କରି ଦେଇଛନ୍ତି। ଏଣୁ ତାଙ୍କୁ ନୋଟିସ୍ ଜାରି କରି ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି କାର୍ଯ୍ୟାନୁଷ୍ଠାନ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ବଠିଣ୍ଡା ରୋଡ ସୋ ପରେ ହୋଇଛି। ଏଠାରେ ଆମ ଆଦମୀ ପାର୍ଟି (ଆପ) ପକ୍ଷରୁ ଗୁରମିତ ଖୁଡ୍ଡିୟାଁ ଓ ପୂର୍ବତନ ମନ୍ତ୍ରୀ ହରସିମରତ କୌର ବାଦଲଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱୀତା ହେଉଛି। ପରମପାଲ ସିକନ୍ଦର ସିଂହ ମଲୁକାଙ୍କ ବୋହୂ। 

ରାଜ୍ୟ ସରକାରଙ୍କ ପର୍ସୋନଲ ବିଭାଗ ପକ୍ଷରୁ ପରମପାଲଙ୍କୁ ନୋଟିସ୍ ଜାରି କରି ପଞ୍ଜାବ ରାଜ୍ୟ ଇଣ୍ଡଷ୍ଟ୍ରିୟାଲ ଡେଭଲପମେଣ୍ଟ କର୍ପୋରେସନ ଏମଡି ପଦରେ ଯୋଗଦାନ କରିବାକୁ ନିର୍ଦ୍ଦେଶ ଦେଇଛି। ସରକାର ପରମପାଲଙ୍କ ସେବା ନିବୃତ୍ତିର ୮୧ ଦିନ ପୂର୍ବ ଅବଧିକୁ ୱେଭ ଅଫ କରିବା ନିବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି। ଆଇଏଏସ୍ ପରମପାଲ ରାଜ୍ୟ ସରକାର ଓ ଭାରତ ସରକାରଙ୍କୁ ଏପ୍ରିଲ ୭ ତାରିଖରେ ପତ୍ର ଲେଖି  ମାଙ୍କ ସ୍ୱାସ୍ଥ୍ୟ ଠିକ ରହୁନଥିବା କାରଣ ଦର୍ଶାଇ ଭିଆରଏସ୍ ନେବା ନିମନ୍ତେ ୩ ମାସର ନୋଟିସ୍ ପିରିୟଡ କ୍ଷମା କରିବାକୁ ନିବେଦନ କରିଥିଲେ। 

ଏପ୍ରିଲ ୧୦ ତାରିଖରେ ଭାରତ ସରକାର ପଞ୍ଜାବ ସରକାରଙ୍କୁ ପତ୍ର ଲେଖି ଅଲ ଇଣ୍ଡିଆ ରୁଲସ୍ ୧୯୫୮ ନିୟମ ୩ ଅନୁସାରେ ତାଙ୍କ ଭିଆରଏସ ନିମନ୍ତେ ୩ ମାସର ନୋଟିସ୍ ପିରିୟଡ କ୍ଷମା କରିଥିଲେ। ତେବେ କେନ୍ଦ୍ର ସରକାରଙ୍କ ପତ୍ରର ଜବାବରେ ପରମପାଲଙ୍କୁ ନାଟିସ୍ କରାଯାଇଛି ଯେ ରୁଲସ୍ ୧୬ (୨)ରେ ଏହା ସ୍ପଷ୍ଟ ଯେ ୩ ମାସର ନୋଟିସ୍ ପିରିୟଡ କ୍ଷମା କରିବାର ଶକ୍ତି ରାଜ୍ୟ ନିକଟରେ ରହିଛି। ଏଣୁ ନିୟମ ଅନୁସାରେ ଆପଣଙ୍କ ଭିଆରଏସ୍ ର କାରଣ ସ୍ୱୀକାର କରାଯାଇ ପାରିବନି ବୋଲି ଜଣାଇ ଦେଇଛନ୍ତି। 

ନୋଟିସ୍‌ ରେ କୁହାଯାଇଛି ଯେ ଆପଣ କେନ୍ଦ୍ର ସଚିବଙ୍କୁ ପତ୍ର ଲେଖୁଛନ୍ତି ଆପଣଙ୍କ ୮୧ ବର୍ଷୀୟ ମାଙ୍କ ଶାରୀରିକ ଅବସ୍ଥା ଠିକ୍ ନାହିଁ । ଭାଇ ଓ ପିତାଙ୍କ ଦେହାନ୍ତ ହୋଇସାରିଛି। ଏଣୁ ମାଙ୍କ ଦେଖରେଖ ପାଇଁ ଆପଣଙ୍କ ଜରୁରି ଆବଶ୍ୟକତା ଅଛି। ଅନ୍ୟପଟେ ଆପଣ ରାଜନୈତିକ ଗତିବିଧିରେ ମଧ୍ୟ ଭାଗ ନେଉଛନ୍ତି।  ଭିଆରଏସ୍ ନେବା ପାଇଁ ଏହି ଉପାୟ ଉଚିତ ନୁହେଁ। ଏଣୁ ଆପଣ ଯଥାଶୀଘ୍ର ନିଜର ଡ୍ୟୁଟିରେ ଯୋଗ ଦିଅନ୍ତୁ। 

ପରମପାଲଙ୍କ ଇସ୍ତଫା ମଞ୍ଜୁର ହେବା ପୂର୍ବରୁ ସେ ବିଜେପି ଟିକେଟ ହାତେଇ ନେଇଥିଲେ। ଏଥିରେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଏତେ ତରବର ହେବାରେ କଣ ଅଛି ବୋଲି କହିଥିଲେ। ଆପଣ ନିଜେ ନିଜର କ୍ଷତି କରିବେ। ତେବେ ପଞ୍ଜାବ ସରକାର ବୁଧବାର ଯେଉଁପରି ନୋଟିସ୍ ଜାରି କରିଛନ୍ତି ଏଥିରୁ ପରମପାଲ କୌର ବଠିଣ୍ଡାରୁ ବିଜେପିର ପ୍ରାର୍ଥୀ ହୁଅନ୍ତୁ ତାହା ଆପ ଚାହେଁ ନାହିଁ ବୋଲି ସ୍ପଷ୍ଟ ହୋଇଯାଇଛି। ବଠିଣ୍ଡାରୁ ଆପ୍ କୃଷି ମନ୍ତ୍ରୀ ଗୁରମିତ ସିଂହ ଖୁଡ୍ଡିୟାଁଙ୍କୁ ଲୋକସଭା ପ୍ରାର୍ଥୀ  କରିଛି। ଯାହାଙ୍କ ପାଇଁ ଭଗବନ୍ତମାନ ମଙ୍ଗଳବାର ସେଠାରେ ରୋଡ ସୋ କରିଥିଲେ। ଏଣୁ ମୁଖ୍ୟମନ୍ତ୍ରୀ ଏଠାରେ ହରସୀମରତଙ୍କୁ ହରାଇବା ପାଇଁ ଆଉ କିଏ ବାଧା ହୁଅନ୍ତୁ ତାହା ଚାହୁଁନାହାନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.