ସାର୍ବଜନୀନ ଭାଷଣର ଗରିମା କ୍ଷୁର୍ଣ୍ଣ କରିଥିବା ପ୍ରଥମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ: ମନମୋହନ ସିଂହ

Published By : Prameya-News7 Bureau | May 30, 2024 IST

indiatoday

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରିଛନ୍ତି। କିଛି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ଓ ବିରୋଧୀଙ୍କୁ ଟାର୍ଗେଟ କରି ଘୃଣା ଓ ଅସାମ୍ବିଧାନିକ ଭାଷଣ ଦେଇ ମୋଦୀ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ଗରିମା କ୍ଷୁର୍ଣ୍ଣ କରିଛନ୍ତି ବୋଲି ମନମୋହନ ସିଂହ କହିଛନ୍ତି।

ଏପ୍ରିଲ ମାସରେ ପ୍ରଧାନମନ୍ତ୍ରୀ ମୋଦୀ ରାଜସ୍ଥାନରେ ଏକ ରାଲିରେ କହିଥିଲେ ଯେ କଂଗ୍ରେସ କ୍ଷମତାକୁ ଆସିଲେ ଅଧିକ ପିଲାଛୁଆ ଥିବା ଲୋକଙ୍କ ପାଇଁ ଦେଶର ସମ୍ପତ୍ତି ଉଡ଼ାଇ ଦେବ। ଏଥିସହିତ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କର ସେଇ ମନ୍ତବ୍ୟକୁ ମଧ୍ୟ ମୋଦୀ ଉଠାଇଥିଲେ। ମୁସଲିମଙ୍କର ଦେଶର ସମ୍ପତ୍ତିରେ ଆଗ ଭାଗ ରହିଛି ବୋଲି ମନମୋହନ କହିଥିବା ମୋଦୀ କହିଥିଲେ।

ଜୁନ ୧ ତାରିଖରେ ପଞ୍ଜାବର କିଛି ଅଞ୍ଚଳରେ ଅନ୍ତିମ ପର୍ଯ୍ୟାୟ ଭୋଟ୍ ହେବାର ଅଛି। ଏହି ଅବସରରେ ପଞ୍ଜାବ ଜନତାଙ୍କ ପାଇଁ ଚିଠି ଜାରି କରି ମନମୋହନ ଅଭିଯୋଗ କରିଛନ୍ତି ଯେ ପିଏମ୍‌ ମୋଦୀ  “ସବୁଠାରୁ ନୃସଂଶ ଘୃଣା ସୃଷ୍ଟିକାରୀ ଭାଷଣରେ ଲିପ୍ତ ରହିଛନ୍ତି। ଯାହା ସମ୍ପୂର୍ଣ୍ଣ ବିଭାଜନକାରୀ ପ୍ରକୃତିର। ସେ ମୋ ଉପରେ କିଛି ମିଛ ଅଭିଯୋଗ ମଧ୍ୟ କରିଛନ୍ତି। ମୁଁ ମୋ ଜୀବନରେ ଗୋଟିଏ ସମ୍ପ୍ରଦାୟକୁ ଅନ୍ୟ ସମ୍ପ୍ରଦାୟ ଠାରୁ କେବେ ବି ଅଲଗା କରି ନାହିଁ। ଏହା ବିଜେପିର ଏକମାତ୍ର କପିରାଇଟ୍।” 

୨୦୨୨ ସୁଦ୍ଧା କୃଷକଙ୍କ ରୋଜଗାର ଦୁଇଗୁଣା କରିବା ନେଇ ପିଏମ୍‌ ମୋଦୀଙ୍କ ପ୍ରତିଶ୍ରୁତିକୁ ନେଇ ମନମୋହନ ସିଂହ କହିଛନ୍ତି ଯେ ଗତ ୧୦ ବର୍ଷରେ ସରକାରଙ୍କ ନୀତି କୃଷକଙ୍କ ଆୟକୁ ନଷ୍ଟ କରି ଦେଇଛି। ପୂରା ହିସାବ ଦେଇ ସେ କହିଛନ୍ତି “କୃଷକମାନଙ୍କର ଜାତୀୟ ହାରାହାରି ମାସିକ ଆୟ ଦିନକୁ ୨୭ ଟଙ୍କା ଥିବାବେଳେ କୃଷକଙ୍କ ହାରାହାରି ଋଣ ୨୭,୦୦୦ ଟଙ୍କା (NSSO) ରହିଛି। ଇନ୍ଧନ ଓ ସାର ବିଷ ଆଦିରେ ଅଧିକ ଖର୍ଚ୍ଚ, କୃଷି ସମ୍ପର୍କି ୩୫ ସାମଗ୍ରୀ ଉପରେ ଜିଏସ୍‌ଟି, ଏବଂ ରପ୍ତାନୀ ଓ ଆମଦାନୀ ଉପରେ ହଠାତ୍ ଅଦୂରଦର୍ଶି ନିଷ୍ପତ୍ତି ଆମ କୃଷକ ପରିବାରର ସଞ୍ଚୟ ନଷ୍ଟକରି ସେମାନଙ୍କୁ ଏକ ନିମ୍ନ ସ୍ଥିତିରେ ଛାଡ଼ି ଦେଇଛି।”  

ମନମୋହନ ସିଂହ ଆହୁରି କହିଛନ୍ତି “ ଗତ ୧୦ ବର୍ଷରେ ଦେଶର ଅର୍ଥନୀତି ଅକଳ୍ପନୀୟ ଭାବେ ଅସ୍ଥିର ରହିଛି। ବିମୁଦ୍ରୀକରଣ ଭଳି ବିପର୍ଯ୍ୟୟ ଲଦିବା, ତ୍ରୁଟିପୂର୍ଣ୍ଣ ଜିଏସ୍‌ଟି, ଏବଂ କୋଭିଡ୍ ସମୟରେ ପରିଚାଳନାରେ ଦୁଃଖଦ ତ୍ରୁଟିର ପରିଣାମ ଏଭଳି ଦୟନୀୟ ସ୍ଥିତି ଆଣି ଦେଇଛି ଯେଉଁଠି ୬-୭ ପ୍ରତିଶତ ଜିଡିପି ଅଭିବୃଦ୍ଧି ଆଜି ଏକ ନୂଆ ସାଧାରଣ କଥା ହୋଇଛି।”

ସେହିପରି ୨୦୨୦-୨୧ରେ କୃଷକ ଆନ୍ଦୋଳନକୁ ନେଇ ମଧ୍ୟ ମନମୋହନ ସିଂହ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ମନମୋହନ କହିଛନ୍ତି “ ବିଶେଷ କରି ପଞ୍ଜାବରୁ ଆସିଥିବା ୭୫୦ ଶ୍ରମିକଙ୍କର ମାସ ମାସ ଧରି ଦିଲ୍ଲୀ ସୀମାରେ ଅପେକ୍ଷା କରି ମୃତ୍ୟୁ ହୋଇଗଲା। ପୁଲିସର ଲାଠି ଓ ରବର ବୁଲେଟ କମ ପଡ଼ିଲା ଯେ ପ୍ରଧାନମନ୍ତ୍ରୀ ମୋଦୀ ସଂସଦରେ କୃଷକଙ୍କୁ ଆନ୍ଦୋଳନଜୀବୀ  ଓ ପରଜୀବୀ କହି ଆକ୍ରମଣ କରିଦେଲେ। ସେମାନଙ୍କର କେବଳ ଏତିକି ଦାବି ଥିଲା ଯେ ସେମାନଙ୍କ ସହ ପରାମର୍ଶ ନ କରି ଉପରେ ଲଦି ଦିଆଯାଇଥିବା ୩ କୃଷି ଆଇନ୍‌ ପ୍ରତ୍ୟାହାର କରିବା। ଗତ ୧୦ ବର୍ଷରେ ବିଜେପି ସରକାର ପଞ୍ଜାବରେ ପଞ୍ଜାବ, ପଞ୍ଜାବୀ ଓ ପଞ୍ଜାବୀୟତକୁ ବଦ୍‌ନାମ କରିବାରେ କୌଣସି ଉଦ୍ୟମ ଛାଡ଼ି ନାହାନ୍ତି।” ବୋଲି ମନମୋହନ କହିଛନ୍ତି। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.