ଡିଲରୁ ରେଡବାର୍ଡ ଆଇଏମଆଇ ହଟିବା ପରେ ‘ଟେଲିଗ୍ରାଫ’ ପୁଣି ବିକ୍ରିପାଇଁ ପ୍ରସ୍ତୁତ

Published By : Prameya-News7 Bureau | April 30, 2024 IST

ଲଣ୍ଡନ ୩୦।୪: ବ୍ରିଟେନର ଟେଲିଗ୍ରାଫ ସମୂହକୁ ୬୦୦ ମିଲିୟନ ପାଉଣ୍ଡ ଅଧିଗ୍ରହଣ ପ୍ରସ୍ତାବ ଦେଇଥିବା ୟୁଏଏଇ ସମର୍ଥିତ କନସୋର୍ଟିୟମ ରେଡବାର୍ଡ ଆଇଏମଆଇ କାରବାରରୁ ପଛକୁ ହଟି ଯାଇଛି। ଏଥି ପାଇଁ ରେଡବାର୍ଡ ଦେଶର ନୂଆ ଆଇନକୁ କାରଣ ବୋଲି କହିଥିବା ବେଳେ ଏହି ଆଇନରେ ଅଧିଗ୍ରହଣ ଏବେ ଅସମ୍ଭବ ବୋଲି କହିଛି। ଏଣୁ ସମ୍ବାଦପତ୍ର ପୁଣି ଥରେ ନିଲାମର ସମ୍ମୁଖୀନ ହୋଇଛି। 

ୟୁଏଇ ଉପରାଷ୍ଟ୍ରପତି ଶେଖ ମନସୁର ବିନ ଜାୟଦ ଅଲ-ନାହୟାନ ଓ ଆମେରିକୀୟ ନିବେଶ ଫାର୍ମ ରେଡବାର୍ଡ କ୍ୟାପିଟାଲ ପାର୍ଟନରଙ୍କ ସମର୍ଥିତ ଭାଗିଦାରୀ ରେଡବାର୍ଡ ଆଇଏମଆଇଙ୍କ ନିଷ୍ପତି ଲାଗି ଗଣମାଧ୍ୟମ ସଂସ୍ଥା ପୁଣି ଥରେ ନିଲାମକୁ ଆସିଥିବା ବେଳେ ଏଥର ହାଇପ୍ରୋଫାଇଲ କ୍ରେତା ବୋଲି ଲଗାଇ ପାରନ୍ତି ବୋଲି ଆଶା କରାଯାଉଛି। 

ଗତ ଡିସେମ୍ବରରେ ରେଡବାର୍ଡ ଆଇଏମଆଇ ଟେଲିଗ୍ରାଫ ସମ୍ବାଦପତ୍ର ଓ ସ୍ପେକ୍ଟାକ୍ଟର ମ୍ୟାଗଜିନକୁ ପ୍ରଭାବୀ ରୂପେ ନିଜ ନିୟନ୍ତ୍ରଣକୁ ନେଇଥିଲା। ସେତେବେଳେ କନସର୍ଟିୟମ ସମ୍ବାଦପତ୍ରର ମାଲିକ ବାର୍କଲେ ପରିବାରଙ୍କ ଋଣ ପୈଠ ମଧ୍ୟ କରିଦେଇଥିଲା। ଏଥିରେ ଟାଇଟଲ ଲାଗି ୬୦୦ ମିଲିୟନ ପାଉଣ୍ଡ ଋଣ ମଧ୍ୟ ଥିଲା। ତେବେ ରେଡବାର୍ଡ ଆଇଏମଆଇ ଏବେ ଏହି କାରବାରରୁ ପଛକୁ ହଟିଥିବାର ଘୋଷଣା କରିଛନ୍ତି। 

ବ୍ରିଟେନ ସରକାରଙ୍କ ନୂଆ ଆଇନକୁ ଏହାର କାରଣ ବୋଲି କହିଛନ୍ତି। ଏହି ଆଇନ ଦେଶର ସମ୍ବାଦପତ୍ର ସଂସ୍ଥାଙ୍କ ମାଲିକ ହେବାକୁ ବିଦେଶ ସହ ସମ୍ପର୍କିତ ବ୍ୟକ୍ତି ଅଥବା ସଂସ୍ଥାଙ୍କୁ ବାରଣ କରୁଛି।  ଗତମାସରେ ଏହି ଆଇନ ଔପଚାରିକ ରୂପେ ପ୍ରସ୍ତାବିତ ହେବା ପରଠାରୁ ରେଡବାର୍ଡ ଆଇଏମଆଇର ଟେଲିଗ୍ରାଫ କିଣା ଡିଲ ପାଣିରେ ପଡିଥିଲା ବୋଲି ବିଚାର କରାଯାଉଥିଲା। ଟେଲିଗ୍ରାଫ ଯାହାକୁ କଞ୍ଜରଭେଟିଭ ପାର୍ଟିର ହାଉସ ଜର୍ଣ୍ଣାଲ ରୂପେ ଦେଖାଯାଏ ଏହାର ଅଧିଗ୍ରହଣକୁ ଟୋରୀ ସାଂସଦ ଓ ସାଥୀମାନେ କଡା ବିରୋଧ କରିଥିଲେ। ଏଥିରେ ସେମାନେ ଅଭିବ୍ୟକ୍ତିର ଅଧିକାରକୁ ନେଇ ଉଦବେଗ ପ୍ରକାଶ କରିଥିଲେ। 

ରେଡବାର୍ଡ ଆଇଏମଆଇର ୭୫ ପ୍ରତିଶତ ମାଲିକ ୟୁଏଇ ଅତୀତରେ ପ୍ରେସ୍ ସ୍ୱାଧୀନତାର ଉଲ୍ଲଂଘନ ନିମନ୍ତେ ସମାଲୋଚନାର ଶିକାର ହୋଇଥିଲା। ଏଣୁ ଏପରି ସବୁ ଚିନ୍ତା ସରକାରଙ୍କୁ ଆଇନ ଆଣିବାକୁ ଏବେ ବାଧ୍ୟ କରିଛି। ଏହି ବିଧେୟକ ଆଗାମୀ ଦିନରେ ଆଇନରେ ପରିଣତ ହେବ ବୋଲି ଆଶା କରାଯାଉଛି। ଟେଲିଗ୍ରାଫ ନିମନ୍ତେ ଗତବର୍ଷ ୨୦ରୁ ଅଧିକ ସଂସ୍ଥା ଆଗ୍ରହ ପ୍ରକାଶ କରିଥିଲେ। ତେବେ ରେଡବାର୍ଡ ଆଇଏମଆଇର ପ୍ରସ୍ତାବ ପରେ ନିଲାମ ଅଟକାଇ ଦିଆଯାଇଥିଲା। 

ଏବେ ଡେଲିମେଲ ଓ ଜେନରାଲ ଟ୍ରଷ୍ଟ, ପାଲ ମାର୍ସଲ, ହେଜ ଫଣ୍ଡ ସଂସ୍ଥାପକ ତଥା ଜିବି ନ୍ୟୁଜ୍‌ ସମର୍ଥକ ଟେଲିଗ୍ରାଫ ପାଇଁ ବୋଲି ଲଗାଇ ପାରନ୍ତି ବୋଲି ଅନୁମାନ କରାଯାଉଛି। ଏହା ଛଡା ରୂପର୍ଟ ମର୍ଡୋକ ମାଲିକାନାଧୀନ ନ୍ୟୁଜ ୟୁକେ ଏବେ ସ୍ପେକ୍ଟାକ୍ଟରକୁ ଅଧିଗ୍ରହଣ କରିବାକୁ ଋଚି ଦେଖାଇଛି। ତେବେ କମ୍ପାନୀ କହିଛି ଯେ ଟାଇଟଲ ଦୁଇଟିର ସୁଚାରୁ ଓ ବ୍ୟବସ୍ଥିତ ବିକ୍ରି ସୁନିଶ୍ଟିତ କରିବା ପାଇଁ ଆମେ ସରକାରଙ୍କ ସହିତ ସକରାତ୍ମକ ଆଲୋଚନା କରିଛୁ। ସଂସ୍ଥା ଉପରେ ରେଡବାର୍ଡ ର ୬୦୦ ମିଲିୟନ ପାଉଣ୍ଡର ଋଣ ରହିଛି, ଯାହାକୁ ସେ ଟେଲିଗ୍ରାଫ ଓ ସ୍ପେକ୍ଟାକ୍ଟର ନିମନ୍ତେ ଲୟଡସ୍ ବ୍ୟାଙ୍କକୁ ଦେଇଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.