ନୂଆଦିଲ୍ଲୀ: ଗାଜାର ରାଫାରେ ମୁତୟନ ଅବସରପ୍ରାପ୍ତ ଭାରତୀୟ କର୍ଣ୍ଣେଲ ବୈଭବ ଅନିଲ କାଲେଙ୍କ ମୃତ୍ୟୁ ହୋଇଛି । ଗାଜା ଯୁଦ୍ଧ ଆରମ୍ଭ ହେବା ପରେ ଏହା ପ୍ରଥମ ବିଦେଶୀ ୟୁଏନ୍ କର୍ମଚାରୀଙ୍କ ମୃତ୍ୟୁ ବୋଲି କୁହାଯାଉଛି । ବୈଭବ ଅନିଲଙ୍କ ମୃତ୍ୟୁକୁ ନେଇ ୟୁଏନର ଜଣେ ବରିଷ୍ଠ ଅଧିକାରୀ ବୟାନ ଦେଇଛନ୍ତି । ୟୁଏନ୍ ଅଫିସର କହିଛନ୍ତି ଯେ ଯେଉଁ ଗୁଳି ଭାରତୀୟ ରିଟାୟର୍ଡ କର୍ଣ୍ଣେଲଙ୍କୁ ବାଜିଛି, ତାକୁ ଟ୍ୟାଙ୍କ ଜରିଆରେ ଫାୟାର କରାଯାଇଛି ।
ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସଙ୍କ ଉପ-ପ୍ରବକ୍ତା ଫରହାନ ହକ ଏକ ସାମ୍ୱାଦିକ ସମ୍ମିଳନୀରେ ଉତ୍ତର ଦେଇ କହିଛନ୍ତି, ଅନୁମାନ କରାଯାଉଛି ଯେ ଯେଉଁ ୟୁଏନ୍ ଗାଡ଼ିରେ କର୍ଣ୍ଣେଲ ବୈଭବ ଅନିଲ ଯାତ୍ରା କରୁଥିଲେ, ତାକୁ ପଛରୁ ଟାର୍ଗେଟ୍ କରାଯାଇଥିଲା । ଗାଡ଼ିରେ ଦୁଇ ଜଣ ୟୁଏନ୍ ସଦସ୍ୟ ଥିଲେ, ଅନିଲ୍ ଏବଂ ଡିଏସଏସର ଜଣେ ମହିଳା ସଦସ୍ୟ ଥିଲେ ଯାହାଙ୍କ ଚିକିତ୍ସା କରାଯାଉଛି । ଯେତେବେଳେ ୟୁଏନ୍ ଅଧିକାରୀଙ୍କୁ ପ୍ରଶ୍ନ କରାଯାଇଥିଲା ଗୁଳି ଚଲାଯାଇଥିବା ଟ୍ୟାଙ୍କ କଣ ଇସ୍ରାଏଲର ? ଏହାର ଜବାବରେ ସେ କହିଥିଲେ ଯେ ଏହା ହୋଇପାରେ, କାରଣ ଏହି ଅଞ୍ଚଳରେ କେବଳ ଇସ୍ରାଏଲର ଟ୍ୟାଙ୍କ ରହିଛି । ଏହି ମାମଲାରେ ଇସ୍ରାଏଲ୍ ସହ ଆଲୋଚନା କରାଯାଉଥିବା ସେ କହିଛନ୍ତି ।
ଏଏଫପିର ରିପୋର୍ଟ ଅନୁସାରେ, କାହାକୁ ଦାୟୀ ନକରି ଇସ୍ରାଏଲ ସେନା କହିଛି ଯେ ଗାଡ଼ି ସେହି ଅଞ୍ଚଳ ଦେଇ ଯାଉଥିଲା, ଯେଉଁଠି ହମାସ ଏବଂ ସେନା ମଧ୍ୟରେ ଲଢେଇ ଜାରି ଥିଲା । ଏହି ଅଞ୍ଚଳ ନନ୍ ମୁଭମେଣ୍ଟ ଜୋନ୍ ବୋଲି କୁହାଯାଉଛି ଅର୍ଥାତ୍ ଯାନବାହାନ ଯିବା ଆସିବା ପାଇଁ ଅନୁମତି ନଥିଲା । କିନ୍ତୁ ଏହା ଉପରେ ଏବେ ସୁଦ୍ଧା ଏହା ସ୍ପଷ୍ଟ ହୋଇ ନାହିଁ ଯେ ଇସ୍ରାଏଲକୁ ୟୁଏନ୍ ଗାଡ଼ି ବିଷୟରେ ସୂଚନା ଥିଲା କି ନାହିଁ ।
ପଢନ୍ତୁ: ଚାବହାର ବନ୍ଦରକୁ ନେଇ ଚିହିଁକି ଉଠିଲା ଆମେରିକା; ଇରାନ ସହ ସମ୍ପର୍କ ରଖୁଥିବା ଦେଶକୁ ନାଲିଆଖି
ଅନିଲଙ୍କ ମୃତ୍ୟୁ ଉପରେ ବିଦେଶ ମନ୍ତ୍ରଣାଳୟ କହିଛି, ୨୦୨୪ ମେ ୧୩ରେ ଗାଜାରେ ଜାତିସଂଘ ସୁରକ୍ଷା ଏବଂ ସୁରକ୍ଷା ବିଭାଗ (ଡିଏସଏସ)ରେ ସୁରକ୍ଷା ଅଧିକାରୀ ରିଟାୟର୍ଡ କର୍ଣ୍ଣେଲ ବୈଭବ ଅନିଲ କାଲେଙ୍କ ମୃତ୍ୟୁରେ ଆମେ ଗଭୀର ଦୁଃଖିତ । ଆମେ ତାଙ୍କ ପରିବାର ଏବଂ ପ୍ରିୟଜନଙ୍କ ପ୍ରତି ଗଭୀର ସମବେଦନା ବ୍ୟକ୍ତ କରୁଛୁ । ନ୍ୟୁୟର୍କ, ତେଲ ଅଭୀବ ଏବଂ ରାମଲ୍ଲାହ ଆମ ମିଶନ ଶବକୁ ଭାରତ ଫେରାଇ ଆଣିବା ପାଇଁ ସହାୟତା କରୁଛନ୍ତି ।
ଆକ୍ରମଣରେ ପ୍ରାଣ ହରାଇଥିବା ବୈଭବ ଅନିଲ କାଲେ ୨୦୨୨ରେ ସେନାରୁ ସମୟ ପୂର୍ବରୁ ସେବାନିବୃତ ନେଇଥିଲେ । ସେ ଦୁଇ ମାସ ପୂର୍ବେ ଜାତିସଂଘର ସୁରକ୍ଷା ବିଭାଗରେ ସୁରକ୍ଷା ସମନ୍ୱୟକ ରୂପେ ସାମିଲ ହୋଇଥିଲେ ।